Home ଜିଲ୍ଲା ପରିକ୍ରମା ୨ବର୍ଷରେ ସରିବ ସୁପର ସ୍ପେଶାଲିଟି ହସପିଟାଲ ନିର୍ମାଣ

୨ବର୍ଷରେ ସରିବ ସୁପର ସ୍ପେଶାଲିଟି ହସପିଟାଲ ନିର୍ମାଣ

55

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଜିଲ୍ଲାବାସୀଙ୍କୁ ହନ୍ତସନ୍ତ କରୁଛି । ତେଣୁ ଏକ ସରକାରୀ ମେଡିକାଲ କଲେଜ ସ୍ଥାପନ ହେଲେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଆସିବ ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି । ତେଣୁ ଗୋଟିଏ ପଟେ ମେଡିକାଲ କଲେଜ ସ୍ଥାପନ ପାଇଁ ଆନ୍ଦୋଳନ ଜାରୀ ରହିଛି । ଅନ୍ୟପକ୍ଷରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମୀର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଜିଲ୍ଲାବାସୀଙ୍କୁ ଉଲ୍ଲସିତ କରିଛି । ଭଦ୍ରକରେ ୮୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଏକ ସୁପର ସ୍ପେଶାଲିଟି ହସପିଟାଲ । ୩ଶହ ଶଯ୍ୟା ବିଶିଷ୍ଟ ଏହି ସୁପର ସ୍ପେଶାଲିଟି ହସପିଟାଲ ନିର୍ମାଣ ପାଇଁ ମୋ ସରକାରଙ୍କ ପକ୍ଷରୁ ଇଂଜିନିୟର ଇନ ଚିଫ(ଇଆଇସି)ଙ୍କ ଜରିଆରେ ଇତିମଧ୍ୟରେ ଟେଣ୍ଡର ଆହ୍ୱାନ କରାଯାଇଛି । ଆସନ୍ତା ୨୪ ତାରିଖ ଟେଣ୍ଡର ପ୍ରକ୍ରିୟାର ଶେଷ ତାରିଖ ଧାର୍ଯ୍ୟ ହୋଇଥିବାବେଳେ, ଆସନ୍ତା ୨୪ ମାସ ମଧ୍ୟରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ହେଲେ ଜିଲ୍ଲାବାସୀ ବହୁମାତ୍ରାରେ ଉପକୃତ ହେବେ ଓ ବହୁ ଜଟିଳ ରୋଗର ଗୁଣାତ୍ମକ ଚିକିତ୍ସା ଏଠାରେ ହୋଇ ପାରିବ ବୋଲି କୁହାଯାଉଛି । ଏହାବ୍ୟତୀତ ଏହି ମେଡିକାଲ କଲେଜ ସ୍ଥାପନ ଦିଗରେ ଯେଉଁ ଭିତ୍ତିଭୂମୀର ଆବଶ୍ୟକତା ସରକାରୀ ବ୍ୟବସ୍ଥା ଅନୁଯାୟୀ ରହିଛି, ଏହା ପ୍ରତିଷ୍ଠା ହେଲେ, ସେହି ପ୍ରତିବନ୍ଧକ ଦୂର ହୋଇପାରିବ ବୋଲି ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି । ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ସରକାର ଏହି ବଡ଼ ପ୍ୟାକେଜ ପ୍ରଦାନ କରିଥିବାରୁ ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଭଦ୍ରକ ଜିଲ୍ଲା ହସପିଟାଲର ଭିତ୍ତିଭୂମୀ ସୁଦୃଢ଼ କରିବା ସହ ଡାକ୍ତର ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ହେଉଥିବା ଦାବିକୁ ଗୁରୁତ୍ୱ ଦେଇ ମୋ ସରକାର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଦର ମହକୁମାର ସମରାଇପୁର ଠାରେ ୧୨ ଏକର ଜମି ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏମସିଏଚ କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରିସରରେ ଜିଲ୍ଲା ଭେକସିନ ସେଣ୍ଟର ନିର୍ମାଣ ସରିଛି । ଜିଲ୍ଲା ଡ୍ରଗ ଓୟାର ହାଉସ କାର୍ଯ୍ୟ ଚାଲିଛି । ଉକ୍ତ ଅଞ୍ଚଳର ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଚାଲିଛି । ଏହି କ୍ୟାମ୍ପସରେ ହିଁ ସୁପର ସ୍ପେଶାଲିଟି ହସପିଟାଲ ସ୍ଥାପନ ହେବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.