ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନର ବ୍ୟବଧାନ ପରେ ଏବେ ବିଧାୟକଙ୍କ ସହଯୋଗରୁ ସହରର ପ୍ରବେଶ ପଥ ୧୩ନଂ ୱାର୍ଡ ମହତାବ ଛକ ନିକଟ ଜଗନ୍ନାଥ କଲୋନୀ ବାସିନ୍ଦାଙ୍କ ଗମନାଗମନର ରାସ୍ତା ପ୍ରଶସ୍ତିକରଣ, ସ୍ୱରେଜ ବ୍ୟବସ୍ଥା ହେବାକୁ ଯାଉଛି । ଏଥି ଉପଲକ୍ଷେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ନିଜ ପାଣ୍ଠିରୁ ଏହି ଅଂଚଳ ପାଇଁ ୨୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଯାହାଫଳରେ ଏହି କଲୋନୀ ବାସିନ୍ଦାଙ୍କ ଯାତାୟତରେ ହେଉଥିବା ଅସୁବିଧା ଦୂର ହେବାକୁ ଯାଉଛି ବୋଲି ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ପୂର୍ବତନ ସ୍ଥାନୀୟ କାଉନ୍ସିଲର ପ୍ରଣୟ କୁମାର ଦାସ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠିତ ଏହି ଶିଳାନ୍ୟାସ ଉତ୍ସବରେ କଲୋନୀ ସଭାପତି ପ୍ରତାପ ପଟ୍ଟନାୟକ, ସଂପାଦକ ସୁକାନ୍ତ ମହାନ୍ତି, ଉପଦେଷ୍ଟା ପ୍ରଫେସର ଡ. ବଳରାମ ମିଶ୍ର, ଆଇନ୍ଜୀବୀ ଚିତ୍ତରଂଜନ ମହାନ୍ତି ପ୍ରମୁଖ ଯୋଗଦେଇ ବିଧାୟକଙ୍କ ସହଯୋଗ ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ ସହ କଲୋନୀ ବାସିନ୍ଦା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମ୍ବର୍ଦ୍ଧନା ଉତ୍ତରରେ ବିଧାୟକ ଶ୍ରୀ ମଲ୍ଲିକ କେବଳ ଏହି କଲୋନୀ ନୁହେଁ, ଭଦ୍ରକ ସହରକୁ ଏକ ସ୍ମାର୍ଟ ସିଟିରେ ପରିଣତ କରିବା ସହ ଏହାର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳ ନିଷ୍କାସନ କ୍ଷେତ୍ରରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଏବଂ ଏଥିପାଇଁ ଜାତି, ଧର୍ମ, ବର୍ଣ୍ଣ ଦଳ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ଦ୍ୱାରା ଜଗନ୍ନାଥ କଲୋନୀ ରାସ୍ତା ପ୍ରଶସ୍ତିକରଣ ଓ ସ୍ୱରେଜ୍ ବ୍ୟବସ୍ଥାର ଶିଳାନ୍ୟାସ