ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମହାମାରୀ କରୋନା ପାଇଁ ଦୀର୍ଘ ୧୦ମାସ ଧରି ମନ୍ଦିର ବନ୍ଦ ରହିବା ପରେ ଗତ ଜାନୁଆରୀ ୩ରେ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲିଥିଲା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ହେଲେ ମହାମାରୀ କରୋନାର ଭୟ ଥିବାରୁ କୋଭିଡ କଟକଣା ସହ ସୀମିତ ସମୟରେ ଭକ୍ତଙ୍କ ଦର୍ଶନ ପାଇଁ ମିଳିଥିଲା ଅନୁମତି । ଏପରିକି ଭକ୍ତମାନଙ୍କ ଦର୍ଶନ ବ୍ୟତିତ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ , ପୂଜାକର୍ମ ଓ ପ୍ରସାଦ ସେବନକୁ ବନ୍ଦ ରଖିଥିଲା ଜିଲା ପ୍ରଶାସନ । ଫେବୃଆରୀମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିୟମ ଜାରି ହେବା ପରେ ରବିବାର ଭଦ୍ରକ ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ସାମନ୍ୟ କୋହଳ କରାଯିବା ସହିତ ଭକ୍ତମାନଙ୍କ ମାଙ୍ଗଳିକ କାର୍ଯ୍ୟ ଓ ପୂଜାର୍ଚ୍ଚନାକୁ ମିଳିଛି ଅନୁମତି । ସୋମବାର ଠାରୁ ଆଗନ୍ତୁକ ଶ୍ରଦ୍ଧାଳୁମାନେ ପୂର୍ବପରି ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ମଣିବାବାଙ୍କୁ ଦର୍ଶନ କରିବା ସହିତ ମୁଣ୍ଡନକାର୍ଯ୍ୟ ନୂତନ ଚୂଳପକା ମଣ୍ଡପରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତାହାସହ ପୂଜାର୍ଚ୍ଚନା ଓ ମାଙ୍ଗଳିକ କାର୍ଯ୍ୟ ମନ୍ଦିର ଗଣେଷ ମଣ୍ଡପରେ କରାନଯାଇ ଶିବଗଙ୍ଗା ପୂଷ୍କରିଣୀକୂଳରେ ଥିବା ଚନ୍ଦନମଣ୍ଡପରେ କୋଭିଡ କଟକଣା ମଧ୍ୟରେ କରାଯିବା ପାଇଁ ମନ୍ଦିର ପକ୍ଷରୁ ନଟକା ଜାରି କରାଯିବା ସହିତ ସୂଚନା ଦିଆଯାଇଛି । ଏପରିକି ଗତ ମାର୍ଚ୍ଚମାସରୁ ବନ୍ଦ ରହିଥିବା ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ପକ୍ଷରୁ ଆଜି ସୋମବାର ଠାରୁ ମହାସୁଲ ରସିଦ କଟାଯିବା ପାଇଁ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ କୋହଳ ହେଲା ନିୟମ, ସକାଳ ୭ରୁ ସଂଧ୍ୟା ୫ଟା...