Home Top News ହସନ୍ତୁ ଏବଂ ହସ ବାଣ୍ଟନ୍ତୁ: ହସିବାରେ ରହିଛି ଅନେକ ଫାଇଦା ..

ହସନ୍ତୁ ଏବଂ ହସ ବାଣ୍ଟନ୍ତୁ: ହସିବାରେ ରହିଛି ଅନେକ ଫାଇଦା ..

127

ଭୁବନେଶ୍ୱର: ହସିବା ପାଇଁ କୌଣସି ବାହାନାର ଆବଶ୍ୟକତା ହୋଇନଥାଏ। କିନ୍ତୁ, ଆପଣଙ୍କ ହସରେ ଲୁଚି ରହିଥିବା ସୁଖ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ହୋଇଥାଏ, ଯାହା ଜାଣିବା ପରେ ଆପଣ ସବୁବେଳେ ହସିବାର ବାହାନା ଖୋଜିବେ। ଜାଣନ୍ତୁ, ହସିବା ଦ୍ୱାରା ମିଳୁଥିବା ୭ଟି ଜବରଦସ୍ତ ଫାଇଦା ..

ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ –
ଅନୁସନ୍ଧାନକାରୀଙ୍କ ଦାବି ଅନୁଯାୟୀ ହସିବାର ସମ୍ବଦ୍ଧ ଶରୀରରେ ରକ୍ତ ସଞ୍ଚାଳନ ସହିତ ଜଡ଼ିତ। ହସିବାର ଫାଇଦା ଉପରେ ଜାଣିବା ପାଇଁ ଏକ ଅଧ୍ୟୟନରେ କିଛି ଅଂଶଗ୍ରହଣକାରୀ ମାନଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଗଲା। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀଙ୍କ ଆଗରେ କମେଡି ପ୍ରୋଗ୍ରାମ ଏବଂ ଅନ୍ୟ ଗୋଷ୍ଠୀଙ୍କ ଆଗରେ ଡ୍ରାମା ପ୍ରଦର୍ଶନ କରାଗଲା। ଅନୁସନ୍ଧାନରୁ ଜଣାପଡ଼ିଲା ଯେ କମେଡି କାର୍ଯ୍ୟକ୍ରମ ଦେଖୁଥିବା ଗୋଷ୍ଠୀ ଖୋଲାଖୋଲି ଭାବରେ ହସୁଥିଲେ ଏବଂ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ରକ୍ତ ସଞ୍ଚାଳନ ବହୁତ ଭଲ ଥିଲା।

ହସିବା ଦ୍ୱାରା ବଢ଼ିଥାଏ ପ୍ରତିରୋଧ କ୍ଷମତା –
ଅନେକ ଗବେଷଣାରେ, ସତ୍ୟ ପ୍ରମାଣିତ ହୋଇଛି ଯେ ହସିବା ଦ୍ୱାରା ଶରୀରର ପ୍ରତିରୋଧ କ୍ଷମତା ବଢ଼ିଥାଏ। ଯାହା ଶରୀରକୁ ରୋଗ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିଥାଏ। ଏହି ପ୍ରକ୍ରିୟା ସମୟରେ ଶରୀରରେ ଆଣ୍ଟି- ଭାଇରାଲ୍ ଏବଂ ସଂକ୍ରମଣ- ପ୍ରତିରୋଧକ କୋଷଗୁଡ଼ିକ ବୃଦ୍ଧି ପାଇଥାଏ।

ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ହସ –
ଅନେକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ ସ୍ପଣ୍ଡିଲାଇଟିସ୍ କିମ୍ବା ପିଠି ଯନ୍ତ୍ରଣା ପରି ଅସହ୍ୟ ଯନ୍ତ୍ରଣାକୁ ଆରାମ କରିବା ପାଇଁ ହସ ଏକ ପ୍ରଭାବଶାଳୀ ବିକଳ୍ପ ହୋଇଥାଏ। ଡାକ୍ତରମାନେ ଲାଫିଙ୍ଗ୍ ଥେରାପି ସାହାଯ୍ୟରେ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ଆରାମ ପ୍ରଦାନ କରିବାକୁ ଚେଷ୍ଟା କରନ୍ତି। କେବଳ ଏତିକି ନୁହେଁ, ୧୦ ମିନିଟ୍ ପାଇଁ ହସ ଆପଣଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ କିମ୍ବା ଭଲ ନିଦ ଆସିପାରେ।

ସକାରାତ୍ମକ ଭାବନା ସୃଷ୍ଟି କରେ –
ହସିବା ସମୟରେ ଶରୀରରେ ଏଣ୍ଡୋରଫିନ୍ ନାମକ ଏକ ହରମୋନ୍ ସୃଷ୍ଟି ହୁଏ। ଯାହା ସମଗ୍ର ଶରୀରକୁ ସୁଖଦ ଅନୁଭବ ଦେଇଥାଏ ଏବଂ ସକରାତ୍ମକତା ଭରିଦିଏ। ଏହି ହରମୋନ୍ ସତେଜ ମନୋଭାବ ଆଣିବା ଦିଗରେ ସହାୟକ ହୋଇଥାଏ।

ଶରୀରରେ ଉର୍ଜା ପ୍ରାପ୍ତ ହୁଏ –
ଅନୁସନ୍ଧାନରୁ ଜଣାପଡିଛି ଯେ ହସିବା ବେଳେ ଆମେ ଗଭୀର ନିଶ୍ୱାସ ପ୍ରଶ୍ୱାସ ନେଇଥାଏ। ଯାହା ଶରୀରରେ ଅମ୍ଳଜାନ ସଞ୍ଚାର କରିଥାଏ। ଏହାଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ଏବଂ ଉର୍ଜାବାନ ରହିପାରିବେ।

ବାର୍ଦ୍ଧକ୍ୟ ବିରୋଧୀ ସୂତ୍ର –
ଯେଉଁମାନେ ଅଧିକ ହସନ୍ତି, ବୟସ ବଢ଼ିବା ସତ୍ତ୍ୱେ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ଯୁବା ଦେଖାଯାଆନ୍ତି। ହସିବା ଦ୍ୱାରା ମୁହଁର ମାଂସପେଶୀର ବ୍ୟାୟାମ ହୁଏ। ଯାହାଦ୍ୱାରା ଚେହେରାରେ ଏତେ ଶୀଘ୍ର କୌଣସି କୁଞ୍ଚନ ଆସିନଥାଏ। ତେଣୁ ଆଣ୍ଟି- ଏଜିଙ୍ଗ (ବାର୍ଦ୍ଧକ୍ୟ ନିରୋଧୀ) ପ୍ରଡକ୍ଟ ଉପରେ ଅଯଥା ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ହସନ୍ତୁ। ନିଜ ମୁହଁକୁ କୋମଳ ରଖନ୍ତୁ, ନିଜକୁ ଯୁବା ରଖନ୍ତୁ।

ଟେନ୍ସନ କମିଯାଏ –
ଖୋଲାଖୋଲି ହସିବା ସମସ୍ତ ଟେନ୍ସନ (ଚାପ)କୁ ବାହାର କରି ଦେଇଥାଏ। ଯାହା ଆପଣଙ୍କୁ ସଂପୂର୍ଣ୍ଣ ଆରାମ ଦେଇଥାଏ, ଟେନ୍ସନ ମୁକ୍ତ ରଖିଥାଏ। ଟେନ୍ସନ ବା କୌଣସି ସମସ୍ୟା ଯୋଗୁଁ ଶରୀରରେ ସୃଷ୍ଟି ହେଉଥିବା ମାନସିକ ଚାପରୁ ମୁକ୍ତି ପାଇବାର ଚାବି କାଠି ହୋଇଥାଏ ଖୋଲା ହସ। ତେଣୁ ହସନ୍ତୁ, ଖୋଲା ହସ ହସନ୍ତୁ ଏବଂ ହସ ବାଣ୍ଟନ୍ତୁ।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.