ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ. ଅଶୋକ କୁମାର ମହାପାତ୍ର ଭଦ୍ରକ ମାଟିର ଅନ୍ୟତମ ଗର୍ବ ଓ ଗୌରବ । ଓଡିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବି ମାନ୍ୟତା ଲାଭ କରିଥିବା ଡ.ମହାପାତ୍ର କେବଳ ଜଣେ ବିଚକ୍ଷଣ ଆଇନଜୀବି ନଥିଲେ ବରଂ ଜଣେ ଦକ୍ଷ ସଙ୍ଗଠକ, ସଂସ୍କୃତିବିତ୍ ଓ ସରଳ ହୃଦୟର ପରୋପକାରୀ ମଣିଷ ଥିଲେ । ବହୁ ଅନୁଷ୍ଠାନର ସ୍ଥାପନ ସହ ଅନେକ ଅନୁଷ୍ଠାନର ସେ ଥିଲେ ପୁୃଷ୍ଠପୋଷକ ଓ ମାର୍ଗଦର୍ଶକ । ୧୯୫୯ ମସିହା ସେପ୍ଟେମ୍ବର ୨୫ ତାରିଖରେ ଯାତ୍ରା ସମ୍ରାଟ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କର ଜ୍ୟେଷ୍ଠପୁତ୍ର ଭାବେ ମାତା ସ୍ୱର୍ଗତ ଶକୁନ୍ତଳା ଦେବୀଭ୍କ କୋଳମଣ୍ଡନ କରି ସେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ସାରୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୧ ମସିହାରେ କଟକ ଉଚ୍ଚନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରି ନିଜକୁ ଜଣେ ଦକ୍ଷ ଆଇଡ଼ଜୀବି ଭାବେ ପ୍ରତିଷ୍ଠିତ କରାଇଥିଲେ । ଆଇନଜୀବିମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଭିନ୍ନ ସମରେ ସେ ନେତୃତ୍ୱ ନେଇ ନବାଗତ ଓ କନିଷ୍ଠ ଆଇନଜୀବିଙ୍କ ପାଇଁ ପ୍ରଣମ୍ୟ ବରିଷ୍ଠ ମାର୍ଗଦର୍ଶକ ଭାବେ ହାଇକୋର୍ଟ ବାର ଓ ରାଜ୍ୟର ଅନ୍ୟ ବାରର ସଦସ୍ୟମାନଙ୍କ ଦ୍ୱାରା ପ୍ରଶଂସିତ । ‘ଭାରତୀୟ ସମ୍ବିଧାନରେ ସମାନତା ଅଧିକାର’ ଶିର୍ଷକ ଗବେଷଣାତ୍ମକ ସନ୍ଦର୍ଭ ପାଇଁ ସେ ଡକ୍ଟରେଟ ହାସଲ କରିଥିଲେ । ଅନେକ ଆଇନ ପୁସ୍ତକ ରଚନା ସହ ଓଡିଆ ଆଇନ ପତ୍ରିକା ‘ସରପଞ୍ଚ’ର ସମ୍ପାଦନା ମଧ୍ୟ କରୁଥିଲେ । ଓଡିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ କାର୍ଯ୍ୟ କରି ସେ ବାର ଆସୋସିଏସନର ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଆଇନଜୀବିମାନଙ୍କ କଲ୍ୟାଣ ଓ ସ୍ୱାର୍ଥ, ସମ୍ମାନ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ କାମ କରି ପ୍ରଶଂସା ଲାଭ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣର୍ ମାମଲା ପରିଚାଳନା କରି ସେ ପ୍ରଶଂସା ଲାଭ କରିଛନ୍ତି । ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଭଳି ଅନେକ ଜନସ୍ୱାର୍ଥ ସମ୍ବଳିତ ମାମଲା ଓ ଅନେକ ଗରିବ ଲୋକମାନଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦେଇଥିଲେ । କେବଳ ଆଇନ ବ୍ୟବସାୟ ନୁହଁ, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଉତ୍ଥାନ ପାଇଁ ସେ କାର୍ଯ୍ୟ କରିଛନ୍ତି । ସାରୋ ଗ୍ରାମରେ ଏକ ହାଇସ୍କୁଲ, ଡାକ୍ତରଖାନା, ମନ୍ଦିର ପ୍ରତିଷ୍ଠା ସହ ଅନ୍ୟ ସ୍ଥାନରେ ମଧ୍ୟ ଅନୁଷ୍ଠାନ ସ୍ଥାପନ ପାଇଁ ସହଯୋଗ କରିଛନ୍ତି । ‘ଅଞ୍ଜଳି’ ଓ ଅନ୍ୟ ପତ୍ରିକା, ସାପ୍ତାହିକ ସମ୍ବାଦପତ୍ରଗୁଡିକର ଦିଗ୍ଦର୍ଶକ ଭାବେ ସେ ସ୍ମରଣୀୟ । ରାଜ୍ୟର ଜଳେଶ୍ୱର, ଧାମନଗର ପରି ଅନେକ ବାର ଆସୋସିଏସନର ସେ ଥଲେ ମାର୍ଗଦଶକ । ସଂସ୍କୃତିର ଉତ୍ ଥାନ ପାଇଁ ‘ଭାରତ ଗଣନାଟ୍ୟ’ ପ୍ରତିଷ୍ଠା କରିଥିଲେ । ଭଦ୍ରକରେ ଜନ୍ମିତ ଏହି ଯୋଗ୍ୟ ସନ୍ତାନ କଟକକୁ ସ୍ମାର୍ଟ ସିଟି କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ଆବାହକ ଭାବେ କାର୍ଯ୍ୟ କରିଥିଲେ । ଗତ ନଭେମ୍ବର ସାତ ତାରିଖରେ ତାଙ୍କ ପରଲୋକ ଖବରକୁ ଅନେକ ସହଜରେ ବିଶ୍ୱାସ କରିପାରିନଥିଲେ । ତାଙ୍କ ବିୟୋଗ ଆଇନ ଜଗତ ସହ ସାହିତ୍ୟ, ସଂସ୍କୃତି ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି । ତାଙ୍କ ଦ୍ୱାଦଶାହରେ ଅମର ଆତ୍ମାର ସଦଗତି କାମନା ସହ ଭକ୍ତି ଶ୍ରଦ୍ଧାଞ୍ଜଳୀ ।