Home ଓଡ଼ିଶା ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଆଲୋଚନାଚକ୍ର

ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଆଲୋଚନାଚକ୍ର

75

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ସୁପ୍ରିମକୋଟର ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସାମାଜିକ କର୍ମୀ ପ୍ରଶାନ୍ତଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଦେଶର ସୁପ୍ରିମ କୋର୍ଟ। ଦେଶର ସଂବିଧାନ ପ୍ରଦତ୍ତ ମାନବିକ ଅଧିକାର ସପକ୍ଷରେ ବିଭିନ୍ନ ଅଦାଲତରେ ଲଢ଼େଇକରି ପ୍ରଶାନ୍ତଭୂଷଣ ଶାସକ ଦଳର ଆକ୍ରୋଶର ଶୀକାର ହୋଇଛନ୍ତି। ତେଣୁ ପ୍ରଶାନ୍ତଭୂଷଣଙ୍କୁ ଦଣ୍ଡବିଧାନ କରି ସ୍ୱାଧୀନମତ ବ୍ୟକ୍ତ କରିବାର ଅଧିକାରକୁ ମାନ୍ୟବର ସୁପ୍ରିମକୋର୍ଟ ସଂକୁଚିତ କରୁଛନ୍ତି ବୋଲି ‘ଆମେ ଭାରତବାସୀ’ସଂଗଠନ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ତେଣୁ ଏହି ଆଦେଶର ପୁନଃବିଚାର ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ସ୍ଥାନୀୟ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସଂଗଠନର ଆବାହକ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ବାମପନ୍ଥୀ ଦର୍ଶନର ପ୍ରବକ୍ତା ସନ୍ତୋଷ ଦାସ ଯୋଗଦେଇ ଶାସକଦଳକୁ ସୁହାଇଲାଭଳି ଅଦାଲତମାନଙ୍କ କେତେକ ଆଦେଶକୁ ଦୃଷ୍ଟାନ୍ତମୂଳକ ଭାବେ ଉପସ୍ଥାପିତ କରିଥିଲେ। ପ୍ରଶାନ୍ତଭୂଷଣଙ୍କ ସପକ୍ଷରେ ଦେଶର ବହୁ ବିଚାରପତି, ସଂବିଧାନବିତ୍‌, ଆଇନଜୀବି ଓ ସାମାଜିକ ସଂଗଠନମାନେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନଃବିଚାର ଓ ସମୀକ୍ଷା ପାଇଁ ଲିଖିତ ଆବେଦନ କରିଥିବା ବକ୍ତାମାନେ ପ୍ରକାଶ କରିଥିଲେ। ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିଭାବେ ଆଇନଜୀବି ଭାଗବତ ପ୍ରତିହାରୀ, ସେଖ୍ ଅବଦୁଲ୍ ରଫିକ୍‌, ଉତ୍ପଳ ମହାନ୍ତି, ସେକ୍ ଆକବରଉଦ୍ଦିନ୍‌, ଅଶୋକ ସେନାପତି, ଦୀପକ ଦାସ ଓ ନିରଞ୍ଜନ ପରିଡ଼ା ପ୍ରମୁଖଙ୍କ ସମେତ ଶିଶିର ହୁଇ, ବିକ୍ରମ ପଣ୍ଡା, ନିର୍ମଳ ନାୟକ, ଅର୍ଚ୍ଚନା ନନ୍ଦୀ, ତାପସୀ ପ୍ରହରାଜ, ବନ୍ଦନା ବିଶ୍ୱାସ ଓ ଲକ୍ଷ୍ମୀଧର ଗିରି ପ୍ରମୁଖ ଆଲୋଚନାରେ ପ୍ରଶାନ୍ତଭୂଷଣଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପିତ କରିଥିଲେ। ଶ୍ରମିକନେତା ତଥା ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଶ୍ୟାମସୁନ୍ଦର ଜେନା ଶରତ ଚନ୍ଦ୍ର ଦଳାଇ, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଶଶିକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.