Home ଜିଲ୍ଲା ପରିକ୍ରମା ସଂଗୀତା ମୋଟର୍ସ କର୍ମଚାରୀ ମୃତ୍ୟୁ ଘଟଣା : କଂଗ୍ରେସର ଧାରଣା ପରେ ୩ ଦିନ ସମୟ...

ସଂଗୀତା ମୋଟର୍ସ କର୍ମଚାରୀ ମୃତ୍ୟୁ ଘଟଣା : କଂଗ୍ରେସର ଧାରଣା ପରେ ୩ ଦିନ ସମୟ ନେଲା ପୁଲିସ : ନିଶା କାରବାର, ଅପରାଧିକ କାର୍ଯ୍ୟ ବନ୍ଦ କରିବାରେ ପୁଲିସ ବିଫଳ – କଂଗ୍ରେସ

108

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଗୀତା ମୋଟର୍ସର କର୍ମଚାରୀଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ସୋ’ରୁମ ୍ ମାଲିକ ଚନ୍ଦନ ଶାହାଙ୍କୁ ଗିରଫ କରିବା ସହିତ ଭଦ୍ରକ ଜିଳ୍ଲାରେ ଚାଲିଥିବା ଅବାଧ ନିଶା କାରବାର ବନ୍ଦ କରିବା ଦାବି ନେଇ ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କୁ ନେତୃତ୍ୱରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଗଣଧାରଣା ଦିଆ ଯାଇଥିଲା । ଭଦ୍ରକ ଗବସାହି ଅଞ୍ଚଳର ଚିତ୍ତରଂଜନ ଜେନା ନାମକ ଯୁବକ ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିବା ବେଳେ ସୋ’ରୁମ୍‌ର ମାଲିକ ଚନ୍ଦନ ଶାହାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ । ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ବୟାନ ଲେଖି ତାଙ୍କ ମୃତ୍ୟୁ ପାଇଁ ଚନ୍ଦନ ଶାହା ହିଁ ଦାୟୀ, ତାଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ମଧ୍ୟ ପୁଲିସ ଚନ୍ଦନ ଶାହାଙ୍କୁ ଗିରଫ କରୁନାହିଁ । ଏଥି ସହିତ ଭଦ୍ରକରେ ନିଶା କାରବାରର ସମ୍ରାଟ ସାଜି ଜିଲ୍ଲାକୁ ନିଶା କବଳିତ କରିଥିବା ଶ୍ୟାମସୁନ୍ଦର ଗୁପ୍ତା ଜିଲ୍ଲା ତମାମ ନିଶାର ସାମ୍ରାଜ୍ୟ ସୃଷ୍ଟି କରି ଖୋଲାଖୋଲି ଦେଶୀ ମଦ କାରବାର କରୁଥିଲା ବେଳେ ପୁଲିସ ମାସିକିଆ ବଟି ନେଇ ଚୂପ୍ ରହିଛି । ସହରର ଯୁବ ସମାଜ୍ ଡ୍ରଗ୍ସ କବଳରେ କବଳିତ ହୋଇଥିଲେ ମଧ୍ୟ ଡ୍ରଗ୍ସ କାରବାର ବନ୍ଦ କରିବାରେ ପୁଲିସ ବିଫଳ । ପୁଲିସ ହେଲମେଟ୍ ଯାଞ୍ଚ, ମାସ୍କ ଯାଞ୍ଚ କରି ସାଧାରଣ ଲୋକଙ୍କୁ ହଇରାଣ କରିବା, ମାଡ ମାରିବା ଭଳି କାର୍ଯ୍ୟକୁ ପୁଲିସ ଦକ୍ଷତାର ସହିତ କରୁଥିବା ବେଳେ ନିଶା କାରବାର ବନ୍ଦ କରିବା କ୍ଷେତ୍ରରେ ପୁଲିସର ଦକ୍ଷତା ପୁରାପୁରି ଶୂନ୍ ବୋଲି ଶ୍ରୀ ମହାନ୍ତି ଆରୋପ କରିଛନ୍ତି ।

 

 

ତୁରନ୍ତ ଚନ୍ଦନ ଶାହାଙ୍କୁ ଗିରଫ କରିବା ସହିତ ବିହାରୀ ଅପରାଧି ଲିଙ୍କ୍ ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ତାଙ୍କ ସମ୍ପତିର ସ୍ୱତସ୍ତ୍ର ଟାସ୍କ ଫୋର୍ସ ମାଧ୍ୟମରେ ତଦନ୍ତ କରିବାକୁ ଶ୍ରୀ ମହାନ୍ତି ଦାବି କରି ଧାରଣାରେ ବସିଥିଲେ । ତେବେ ଅତରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡା ଆଗାମୀ ୩ ଦିନ ମଧ୍ୟରେ ଚିତ୍ତରଂଜନଙ୍କ ମୃତ୍ୟୁର ଅଭିଯୁକ୍ତ ଚନ୍ଦନ ଶାହାଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ଏବଂ ଜିଲ୍ଲାରେ ଚାଲିଥିବା ନିଶା କାରବାର ବନ୍ଦ କରିବା କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପୁଲିସ ୩ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନ କଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ଆଜି ଏହି ଧାରଣାରେ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ପୂର୍ବତନ କାଉନସିଲର ଦିଲିପ ନାୟକ, ପୀତବାସ ଧଳ, ସେକ୍ ସମ୍‌ଦାନୀ, ଗୁଲାମ୍ ମଇରୁଦ୍ଦିନ, ଅସ୍‌ରଫ୍ ଅଲ୍ଲୀ ଖାଁ, ଦେବେନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ, ଇଲିୟାସ ଅଲ୍ଲୀ ଖାଁ, ରିଆଜ ଖାଁ, ପିଣ୍ଟର ରିଆଜ୍‌, ସେକ୍ ଜିକୁ, ସେକ୍ ଲାଲୁ, ରଂଜନ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.