ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଙ୍କତିରା-ସରମରା ରାସ୍ତା ଶୋଚନୀୟ । ୨୦ ବର୍ଷ ହେଲା ରାସ୍ତାରେ ମାଟି ମୁଠାଏ ପଡି ନାହି ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଏହି ରାସ୍ତାର ମରାମତି କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ସରକାର ଗ୍ରାମାଞ୍ଚଳରେ ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଏହି ଅର୍ଥର ସଦୁପଯୋଗ ହେଉଛି କେବଳ କାଗଜ କଲମରେ । ଯାହାକି ବାଙ୍କତିରା-ତୁମ୍ଭାପଦୀ ଗାଁକୁ ଦେଖିଲେ ଜଣାପଡୁଛି । ଏହି ଜିଲାର ବନ୍ତ ବ୍ଲକ୍ କାଦବରାଙ୍ଗ ପଂଚାୟତ ଅଧୀନ ୨ ନଂ ଓ ୩ନଂ ୱାର୍ଡ ଅନ୍ତର୍ଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଏହି ୨ଟି ଗାଁ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ନଜର ଆଢୁଆଳରେ ରହିଯାଇଛି । ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୫୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ବାଙ୍କତିରା ସ୍କୁଲ ଠାରୁ ଏକ କାଦୁଅ ରାସ୍ତା ଏହାକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରାଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବନାହିଁ । ଅନ୍ୟ ଦିନମାନଙ୍କରେ ଦୁଇଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲିଯିବା ମଧ୍ୟ ବିପଦ ଶଙ୍କୁଳ । ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ, ଆଗରପଡା କଲେଜକୁ, କୋମଳମତି ଶିଶୁ ବାଙ୍କତିରା ଅଙ୍ଗନୱାଡି କେନ୍ଦ୍ରକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇଯାଏ, ଯଦ୍ୱାରା ଗମନାଗମନରେ ଘୋର ଅସୁବିଧା ସୃଷ୍ଟି ହୁଏ ।
ଏହି ରାସ୍ତାଟି ବନ୍ତ ବ୍ଲକ୍ ଓଡଙ୍ଗ ପଂଚାୟତ ଅନ୍ତର୍ଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ୍ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତା ଦେଇ ଯାଆଆସ କରୁଛନ୍ତି । ଗତ ପ୍ରାୟ ୨୦ ବର୍ଷ ତଳେ ଏହି ରାସ୍ତାରେ ମୋରମ୍ ବିଛାଯାଇଥିଲା । ତା ପରଠାରୁ କୌଣସି ମରାମତି କାର୍ଯ୍ୟ ହୋଇପାରିନାହିଁ । ନିର୍ବାଚନ ସମୟରେ ବିଭିନ୍ନ ର ।ଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶ୍ରୁତିମାନ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି ବୋଲି ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ସବୁଆଡେ ରାସ୍ତା କାର୍ଯ୍ୟ ହେଉଛି ଅଥଚ ଏଠାରେ ହେଉନାହିଁ । ଆମ ଗାଁ ବାସିନ୍ଦାଙ୍କୁ ଏହା ଏକ ଅଭିଶାପ ବୋଲି କିଛି ବୟସ୍କ ଲୋକ କହିବା ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି । ଏନେଇ ବିସ୍ତୃତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକ୍ ଉନ୍ନୟନ ଅଧିକାରୀ ରେବିକା ବେଲୁଙ୍ଗ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତିଙ୍କ ସହ ରାସ୍ତା କାମର ତଦାରଖ କରି ରାସ୍ତା ଏବଂ ପୋଲ କାର୍ଯ୍ୟର ରକ୍ଷଣାବେକ୍ଷଣ ବାବଦରେ ୫ ଲକ୍ଷ ଖର୍ଚ୍ଚ ହୋଇଥିବାର ସୂଚନା ଦେଇଥିଲେ ଓ ଖୁବ୍ ଶୀଘ୍ର ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ୪ ଲକ୍ଷ ଏବଂ ଏମ୍ଜିଏନ୍ଆରଜିଏସ୍ ମାଧ୍ୟମରେ ୧୦ ଲକ୍ଷ ଟଙ୍କାର ବିନିଯୋଗ କରାଯାଇ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବାର ସୂଚନା ଦେଇ ସମସ୍ତ ଜବକାର୍ଡଧାରୀଙ୍କୁ ତାଙ୍କ ସହ ଯୋଗ ଦେବାକୁ ଅନୁରୋଧ କରିଥିଲେ ଓ ଏବେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାର ଜଣାପଡିଛି ।