ବାଲିଗୁଡା, ୨/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ଥାନା ନିକଟସ୍ଥ ସରାମୂଳି ପଞ୍ଚାୟତର ବୁତେଡି ଗାଁ ମୌଳିକ ସୁବିଧା ରୁ ବଞ୍ଚିତ। ଦେଶ ସ୍ଵାଧୀନ ହୋଇ ୭୩ ବର୍ଷ ବିତିଯାଇଥିଲେ ସୁଧା ଗାଁ ରେ ହୋଇ ପାରିନି ପକ୍କା ରାସ୍ତା ଓ ପିଇବା ପାଣି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା ଦୁର୍ଗମ ଅଞ୍ଚଳ ମାନଙ୍କରେ ବିକାଶ ହୋଇପାରୁନାହିଁ। ଏହି ବୁତେଡି ଗ୍ରାମରେ ୩୦ ରୁ ଉର୍ଦ୍ଧ ପରିବାର ୨ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ଗ୍ରାମରେ ସବୁ ଆଦିବାସୀ ପରିବାର ବସବାସ କରନ୍ତି। ଏଠାରେ ସରକାରୀ ଯୋଜନା ଦିଗହରା। ପ୍ରଧାନମନ୍ତ୍ରୀ ସଡକ ମୁଖ୍ୟ ରାସ୍ତା ଠାରୁ ଗାଁକୁ ୩ କିମି ବାଟ ହୋଇଥିବା ବେଳେ ରାସ୍ତା ଅତି କର୍ଦମାକ୍ତ ପାହାଡିଆ ଖାଲଖମା। ଗାଁକୁ ପାଦରେ ଚାଲିଯିବା କଷ୍ଟ ସାଧ୍ୟ। ରାସ୍ତା ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନାହିଁ। ରୋଗି ଗର୍ଭବତୀ ମହିଳା ମାନଙ୍କୁ ୩ କିମି ଦୁରୁ ଖଟିଆରେ ବୋହି ନେବାକୁ ପଡେ। ଗୁରୁତର ରୋଗି ମାନେ ଖଟିଆରେ ବୋହିନେବା ସମୟରେ ମୁତ୍ୟୁ ବରଣ କରୁଥିବା ବହୁ ନଜିର ରହିଛି। ଗର୍ଭବତୀ ମହିଳା ମାନେ ମଝି ରାସ୍ତାରେ ହିଁ ପ୍ରସବ କରୁଛନ୍ତି। ଏଠାରେ ଅନ୍ୟ ଏକ ସମସ୍ୟା ହେଲା ବିଶୁଦ୍ଧ ପାନୀୟ ଜଳ। ଗ୍ରାମରେ ୨ ଟି ନଳକୂପ ଅଛି। ଗୋଟିଏ ବହୁବର୍ଷ ହେଲା ଅଚଳ। ଅନ୍ୟଟି ସ୍କୁଲ ପରିସର ମଧ୍ୟରେ ରହିଛି। ସେଥିରୁ ଦୁର୍ଗନ୍ଧ ବାହାରିବା ସହ ଲୌହଯୁକ୍ତ ପାଣି ବାହାରୁଛି। ତାହା ପିଇବା ପାଣି ଯୋଗ୍ୟ ନୁହେଁ। ଲୋକେ ବାଧ୍ୟ ହୋଇ ନିଜର ଶୋଷ ମେଣ୍ଟାଇବା ପାଇଁ ଚୁଆ ପାଣି ଓ ପାହାଡିଆ ନାଳ ପାଣି ବ୍ୟବହାର କରୁଛନ୍ତି ବୁତେଡି ଗ୍ରାମବାସୀ। ବର୍ଷା ଦିନ ହେଲେ ଗାଁକୁ ପାଦରେ ଚାଲିଯିବା ସମ୍ଭବ ନୁହେଁ। କାଦ ପଚପଚ ହୋଇଥାଏ। ବର୍ତ୍ତମାନ ବର୍ଷା ଦିନ ହୋଇଥିବାରରୁ ନାଳ ପାଣି ଓ ଚୁଆ ପାଣି ଗୋଳିଆ ହୋଇଯାଏ। ଗୋଳିଆ ପାଣି ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି ବୁତେଡି ଗ୍ରାମବାସୀ। ଏହି ପାନୀୟ ଜଳ ସମସ୍ୟା ଓ ରାସ୍ତା ସମସ୍ୟା ନେଇ ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କୁ ବହୁବାର ଅଭିଯୋଗ କରିଥିଲେ ସୁଧା କୌଣସି ସଫଳ ମିଳୁନଥିବା ଜଣାପଡିଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।