Home ଜିଲ୍ଲା ପରିକ୍ରମା ସବୁ ମନ୍ଦିର ପରିସରରେ ଲାଗିଥିଲା ୧୪୪ ଧାରା – ବାଲେଶ୍ୱରରେ ଗଡ଼ିଲାନି ଗୋଟଏ ବି ରଥ...

ସବୁ ମନ୍ଦିର ପରିସରରେ ଲାଗିଥିଲା ୧୪୪ ଧାରା – ବାଲେଶ୍ୱରରେ ଗଡ଼ିଲାନି ଗୋଟଏ ବି ରଥ – ଟିଭି ପରଦାରେ ଶ୍ରୀକ୍ଷେତ୍ର ଘୋଷଯାତ୍ରାକୁ ଦେଖିଲେ ସମସ୍ତେ

128

ବାଲେଶ୍ୱର, ୨୩ା୬(ଓଡ଼ିଆ ପୁଅ/ଅଭୟ ଦାସ): ଭାରତର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ବିନା ଉପସ୍ଥିତିରେ କେବଳ ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତ ଓ ପୁଲିସ କର୍ମଚାରୀ ରଥାଋଢ଼ ତିନିଦିଅଁଙ୍କୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଟାଣି ନେଇଥିବା ଭକ୍ତମାନେ ଟିଭି ପରଦାରେ ଦେଖିଥିଲେ। ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଭଳି ବାଲେଶ୍ୱରରେ ମଧ୍ୟ କୌଣସି ଶ୍ରୀଜଗନ୍ନାଥ ମନ୍ଦିରେ ରଥଯାତ୍ରା ଅନୁଷ୍ଠିତ ହୋଇନଥିବା ଲକ୍ଷ୍ୟ କରାଯାଇଛି। ରଥଯାତ୍ରାରେ ଛୋଟବଡ଼ ରଥକୁ ନେଇ ଜଗନ୍ନାଥମୟ ହୋଇଯାଉଥିବା ବାଲେଶ୍ୱର ଜିଲ୍ଲା ଆଜି ସମ୍ପୂର୍ଣ୍ଣ ଫାଙ୍କା ଲାଗୁଥିଲା। ପ୍ରତିବର୍ଷ ବାଲେଶ୍ୱର ସହରର ବାଣ୍ଟିଆ ଶ୍ରୀଜଗନ୍ନାଥ ମନ୍ଦିର, ପୁଲିସ ଲାଇନ୍ ଶ୍ରୀଜଗନ୍ନାଂଥ ମନ୍ଦିର, ଆଜିମାବାଦ ଶ୍ରୀଜଗନ୍ନାଥ ମନ୍ଦିର, ମଣ୍ଡଳବଜାର ଶ୍ରୀଜଗନ୍ନାଥ ମନ୍ଦିର ସମେତ ଶୋଭାରାମପୁର, ନୂଆସାହି ଓ ଇମାମୀ ଶ୍ରୀଜଗନ୍ନାଥ ମନ୍ଦିରର ଘୋଷଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥାଏ। ପହଣ୍ଡି ବିଜେଠାରୁ ମାଉସୀମା ମନ୍ଦିରରେ ରଥ ପହଞ୍ଚିବା ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥାଏ। ଏଥି ସହିତ ମାଉସୀମା ମନ୍ଦିରରେ ମହାପ୍ରଭୁଙ୍କ୯ ଦିନ ବ୍ୟାପୀ ଦିବ୍ୟ ଉତ୍ସବରେ ସାମିଲ ହୋଇଥାନ୍ତି ଅସଂଖ୍ୟ ଭକ୍ତ। ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଲୀଳମୟଙ୍କ ଯୋଗୁଁ ବାଲେଶ୍ୱର ସହର ନୁହେଁ ବରଂ ସମ୍ପୂର୍ଣ୍ଣ ଜିଲ୍ଲା ଉତ୍ସବମୁଖର ହୋଇ ଉଠିଥାଏ। ମାତ୍ର ମହାମାରୀ କରୋନା ପାଇଁ ସମସ୍ତ ବେଦନା ଓ କୋହକୁ ଚାପି ବାଲେଶ୍ୱରର ଭକ୍ତଗଣ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ପ୍ରଶାସନର କଟକଣାକୁ ମାନିଥିବା ଆଜି ପରିଲକ୍ଷିତ ହୋଇଛି। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ମାନିବା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ ହୋଇଥିବା ବେଳେ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଲେଶ୍ୱରର ଜଗନ୍ନାଥପ୍ରେମୀ ଭକ୍ତମାନେ ବେଶ୍ ନିଜ ନିଜର ମନକୁ ବିଝାଇପାରିଥିବା ଦେଖିବାକୁ ମିଳିଥିଲା। ତେବେ ବାଲେଶ୍ୱରରେ ରଥଯାତ୍ରା ଆୟୋଜନ ହୋଇ ନଥିଲେ ବି ବିଭିନ୍ନ ଜଗନ୍ନାଥ ମନ୍ଦିରରେ କେବଳ ପୂଜକଙ୍କ ଦ୍ୱାରା ତିନିଦିଅଁଙ୍କ ସ୍ୱତନ୍ତ୍ର ନୀତିପୂଜା ଓ କର୍ମକାଣ୍ଡ ଚାଲିଥିଲା। ପ୍ରତ୍ୟେକ ମନ୍ଦିର ଚତୁର୍ପାଶ୍ୱର୍ରେ ୧୪୪ ଧାରା ଲାଗୁ ହୋଇଥିବା କାରଣରୁ ଭକ୍ତମାନେ ବି ମନ୍ଦିର ଭିତରକୁ ପ୍ରବେଶ କରିପାରି ନଥିଲେ। ତେବେ ବାଲେଶ୍ୱରର କେତେକ ମନ୍ଦିର ପରିସରରେ ବିନା ଭକ୍ତରେ ସାଙ୍କେତିକ ରଥଯାତ୍ରା ଅନୁଷ୍ଠିତ ହୋଇଥବା ସେବାୟତମାନେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟଙ୍କ ରାୟ ଓ ସରକାରଙ୍କ ନିର୍ଦ୍ଦେଶକୁ ପ୍ରତ୍ୟେକ ମନ୍ଦିରରେ ପାଳନ କରାଯାଇଥିବା କେତେକ ମନ୍ଦିର ପରିଚାଳନା କମିଟି ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲା ପୁଲିସ ପକ୍ଷରୁ ମନ୍ଦିର ପରିସରରେ ଲାଗୁ ହୋଇଥିବା ୧୪୪ ଧାରାର କାର୍ଯ୍ୟକାରିତା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପୁଲିସ ଟିମ୍ ରହିବା ସହ ସ୍ୱତନ୍ତ୍ର ପୁଲିସ ପାଟ୍ରୋଲିଂ ପାର୍ଟି ମଧ୍ୟ ପରିସ୍ଥିତି ଅନୁଧ୍ୟାନ କରୁଥିବା ନେଇ ଟାଉନଥାନା ଅଧିକାରିଣୀ ସରୋଜିନୀ ନାୟକ ସୂଚନା ଦେଇଛନ୍ତି। ଦେଶର ସର୍ବୋର୍ଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ କେବଳ ପୁରୀ ବ୍ୟତୀତ ଓଡ଼ିଶାରେ ଅନ୍ୟ କେଉଁଠି ବି ରଥଯାତ୍ରା ଯେପରି ଆୟୋଜନ ନହୁଏ ସେଥିପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷପ ନିଆଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ବାଲେଶ୍ୱର ଉପ-ଜିଲ୍ଲାପାଳ ଓ ନୀଳଗିରି ଉପ-ଜିଲ୍ଲାପାଳଙ୍କ ପକ୍ଷରୁ ସମଗ୍ର ଜିଲ୍ଲାର ଦେବାଦେବୀ ମନ୍ଦିରରେ ଆଜି ଓ ଆସନ୍ତା ଜୁଲାଇ ୧ ତାରିଖ ଦୁଇଦିନ ପାଇଁୠତକାଲି ସଂଧ୍ୟାରେ ୧୪୪ ଧାରା ଲାଗୁ କରାଯାଇଥିଲା। ଅତିବେଶୀରେ ଦୁଇଜଣ ସେବାୟତଙ୍କ ଦ୍ୱାରା ମନ୍ଦିର ପୂଜା କାର୍ଯ୍ୟ ସମ୍ପନ୍ନ ସାଙ୍ଗକୁ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.