ପୁରୀ, ୯/୬-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହର ତଥା ଆଖପାଖ ଅଂଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ବ୍ରାଉନ ସୁଗାର, ଚରସ, ଭାଙ୍ଗ, ଗଞା, ଦେଶୀ ମଦ ଓ ବିଦେଶୀ ମଦର ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା କୁହାଯାଉଛି। ଚୋରା ବେପାରୀ ମାନଙ୍କ ପାଇଁ ଶ୍ରୀକ୍ଷେତ୍ର ଭୂସ୍ୱର୍ଗ ପାଲଟିଥିବା କୁହାଯାଏ। କାକଟପୁର, ଅସ୍ତରଙ୍ଗ ଓ କୋଣାକ ଅଂଚଳରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଏକ ଲମ୍ବା ରାକେଟ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଏହି ରାକେଟ ସହିତ କେତେକ ଶିକ୍ଷିତ ବୁଦ୍ଧିଜୀବୀ ଓ ଅବସର ପ୍ରାପ୍ତ ଶିକ୍ଷକ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ବାଇକ ଯୋଗେ ଏହି ସବୁ ଚୋରା କାରବାର ହେଉଥିବା କୁହାଯାଉଛି। ବିଶେଷ କରି ପୁରୀ ସହରରେ ଥିବା ବିଭିନ୍ନ ବସ୍ଥି ଅଂଚଳରେ ଏହି କାରବାର ଯୋରସୋର ରେ ଚାଲିଥିବା ଶୁଣାଯାଏ। ଜିଲା ପ୍ରଶାସନ ଏ ଦିଗରେ ଅନୁସନ୍ଧାନ କରି ଏହି ରାକେଟ ରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।