Home Coronavirus Outbreak ସାବଧାନ୍: ଟ୍ରେନ୍ ଟ୍ରାକ୍ ଉପରେ ଯାତାୟତ କରନ୍ତୁ ନାହିଁ

ସାବଧାନ୍: ଟ୍ରେନ୍ ଟ୍ରାକ୍ ଉପରେ ଯାତାୟତ କରନ୍ତୁ ନାହିଁ

277

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଛି। ତେବେ ଲୋକମାନଙ୍କ ସୁବିଧା ପାଇଁ ପୂର୍ବାପେକ୍ଷା ଏବେ ଧୀରେ ଧୀରେ କେତେକ କ୍ଷେତ୍ରରେ କଟକଣା ଗୁଡ଼ିକୁ କୋହଳ କରାଯାଉଛି। ରେଳ ଚଳାଚଳରେ ମଧ୍ୟ ଧୀରେ ଧୀରେ କଟକଣାକୁ ଦୂର କରିବାକୁ ଚେଷ୍ଟା ଚାଲିଛି। ସେହି କ୍ରମରେ ଦେଶରେ କ୍ୟାଟରିଂ ସେବା ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍, ଶ୍ରମିକ ସ୍ପେଶାଲ୍ ଟ୍ରେନ୍, ମାଲବାହୀ ଟ୍ରେନ୍ ରେଲୱେ ଟ୍ରାକରେ ଯାତାୟତ କରିବା ଆରମ୍ଭ କରିଛି। ତେଣୁ, ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଟ୍ରେନ୍ ଟ୍ରାକ ଉପରେ ଚାଲିବାଠାରୁ ନିଜକୁ ବାରଣ ରଖିବା ପାଇଁ ରେଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି।

ସୂଚନାଯୋଗ୍ୟ ଯେ ନିକଟରେ ମହାରାଷ୍ଟ୍ରର ଔ‌ରଙ୍ଗାବାଦ ନିକଟସ୍ଥ କରମଡ୍‌ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ରେଳଧାରଣା ଉପରେ ବିଶ୍ରାମ ନେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ମାଡ଼ିଯିବାରୁ ୧୬ ଜଣ ପ୍ରବାସୀ ଶ୍ରମିକଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ଅନେକ ପ୍ରବାସୀ ଶ୍ରମିକ ରେଳ ଧାରଣାରେ ଚାଲିଚାଲି ଘରକୁ ଫେରୁଛନ୍ତି। ସେହିପରି ଦୀର୍ଘଦିନ ଧରି ଟ୍ରେନ୍ ଚଳାଚଳ ବ୍ୟାହତ ଥିବାରୁ ଟ୍ରେନ୍ ଲାଇନର ବିପଦ ନେଇ ଲୋକେ ହୁଏତ କିଛିଟା ଅଣଦେଖା କରିଦେଇ ଥାଇପାରନ୍ତି। କିନ୍ତୁ, ଏବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଯାଇ ଥିବାରୁ ଏଥିପ୍ରତି ସତର୍କ ରହିବା ସହ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଟ୍ରେନ୍ ଲାଇନ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ। ନିଜେ ସଚେତନ ରୁହନ୍ତୁ, ଅନ୍ୟକୁ ମଧ୍ୟ ସଚେତନ କରାନ୍ତୁ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.