ହାଟଡ଼ିହି, ୧୧ । ୫ : ଲକଡାଉନ ଯୋଗୁଁ କାମଦାମ ବନ୍ଦ ହୋଇଯିବାପରେ ତାମିଲନାଡୁର ପେରେମ୍ବଦୁର ଠାରେ ଥିବା ଶ୍ରମିକ ମାନେ ନାନା ସମସ୍ୟା ଦେଇ ଗତି କରୁଥିବାବେଳେ ଦ୍ୱିତୀୟ ଲକଡାଉନ ଆରମ୍ଭ ହେବାରୁ କମ୍ପାନୀ ଗୁଡିକ ଖୋଲିବାର କୌଣସି ସମ୍ଭାବନା ନଦେଖି ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ୨୩ଜଣ ପ୍ରବାସୀ ଓଡିଆ ଶ୍ରମିକ ସାଇକେଲ ଧରି ଘରକୁ ଆସୁଥିଲେ । ଦୀର୍ଘ ୨୦୦କିଲୋମିଟର ଆସିବାପରେ ସେମାନଙ୍କୁ ଆନ୍ଧ୍ର ପୁଲିସ ନେଲୁର ଚେକଗେଟ ନିକଟରେ ଅଟକାଇ ରଖିଥିଲା । ସେମାନଙ୍କୁ ନିଟକସ୍ଥ ନବନୀତ ପବ୍ଲିକ ସ୍କୁଲରେ ଅଟକ ରଖିବାପରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲା । ସେହି ଅନୁସ।।ରେ ସେଠାକାର ପୁଲିସ ପ୍ରଶାସନ ସେମାନଙ୍କୁ ଖାଇବାକୁ ପିଇବାର ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲା । କିନ୍ତୁ ଆଜକୁ ୨୩ଦିନ ପରେବି ସେଠାକାର ପୁଲିସ ଏହି ଓଡିଆ ଯୁବକ ମାନଙ୍କୁ ଛାଡୁନି । ୍ତୁମ ଓଡିଶା ସରକାର ଅନୁମତି ଦେଉ ନଥିବାରୁ ଆମେ ତ୍ୁମକୁ ଛାଡି ପାରିବୁ ନି ବୋଲି ସ୍ଥାନୀୟ ପ୍ରଶାସନ କହିବାପରେ ପ୍ରବାସୀ ଓଡିଆ ଯୁବକମାନେ ନାନା ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । ଏବେ ସେମାନଙ୍କୁ ଠିକ ଭାବେ ଖାଇବା ପିଇବାକୁ ଆଉ ଦିଆଯାଉନି । ଯେଉଁମାନେ ସ୍ଥାନୀୟ ପ୍ରଶାସନ ବିରୁଦ୍ଧରେ ମୁହଁ ଖୋଲୁଛନ୍ତି ସେମାନଙ୍କୁ ସ୍ଥାନୀୟ ପୁଲିସ ଧମକ ଚମକ ଦେଉଛି ବୋଲି ଏହି ଯୁବକମାନେ ଅଭିଯୋଗ କରିଛନ୍ତି । ଏହି ୨୩ଜଣଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ହାଟଡିହି, ଘସିପୁରା, ଯାଜପୁର, ଖୋର୍ଦ୍ଧା, ବାଲିପାଟଣା ଅଞ୍ଚଳର ଯୁବକମାନେ ଅଛନ୍ତି । ଏମାନେ ତାମିଲନାଡୁର ଶ୍ରୀପେରମ୍ବଦୁର ଠାରେ ଏକ ପ୍ଲାଏଉଡ କମ୍ପାନୀରେ କାମ କରୁଥିବାବେଳେ ଗତ ଏପ୍ରିଲ ୧୮ତାରିଖ ଦିନ ସାଇକେଲ ଧରି ଓଡିଶା ଅଭିମୁଖେ ବାହାରି ଥିଲେ । କିନ୍ତୁ ଆନ୍ଧ୍ରରେ ପହଞ୍ଚିବାପରେ ଆନ୍ଧ୍ରପୁଲିସ ପ୍ରଶାସନ ସେଠାରେ କ୍ୱାରେଣ୍ଟାଇନରେ ରଖିବା ସହିତ ସେମାନଙ୍କ ସ୍ୱାବ ଟେଷ୍ଟ ମଧ୍ୟ କରାଇଛି । ସମସ୍ତଙ୍କର ନେଗେଟିଭ ବାହାରିଥିଲେ ମଧ୍ୟ ସେମାନଙ୍କୁ ଓଡିଶା ଯିବାକୁ ଅନୁମତି ଦେଉନି ବୋଲି କୁରାଢ଼ିଘସା ଗ୍ରାମର ରାଜୁ ବେହେରା, ବେଣୁରାମ ବେହେରା, ବିଭୁତି ବେହେରା, ଆନନ୍ଦପୁର ର ସଞ୍ଜିବ ସ୍ୱାଇଁ, ଘସିପୁରାର ଜିତେନ୍ଦ୍ର ରାଉତ, ବିକାଶ ରାଉତ, ଭୋଳାନାଥ ସା, ପରମେଶ୍ୱର ରାଉତ, ନରେଶ ରାଉତ, ଖୋଦ୍ଧାର ପ୍ରସନ୍ନ ବେହେରା, ବାଲିପାଟଣାର ଜିତେନ୍ଦ୍ର ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନଙ୍କୁ ତୁରନ୍ତ ଓଡିଶା ଫେରାଇ ଆଣିବାଲାଗି ବ୍ୟବସ୍ଥା କରିବାକୁ ସେମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ।