ନୂଆ ଦିଲ୍ଲୀ/ଭୋପାଳ/କର୍ଣ୍ଣାଟକ ୧୧-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ହାଇଭୋଲଟେଜ୍ ରାଜନୈତିକ ଡ୍ରାମା ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନାକୁଲନାଥ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକରେ ରହୁଥିବା କଂଗ୍ରେସ ବିଧାୟକମାନେ ଶୀଘ୍ର କଂଗ୍ରେସ ଶିବିରକୁ ଫେରିବେ।
କୁହାଯାଉଛି ଯେ ବାଙ୍ଗାଲୋର ଯାଇଥିବା ୧୨ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସୂଚନାନୁସାରେ, ବାଙ୍ଗାଲୋରରେ ପହଞ୍ଚିଥିବା ୧୦ ଜଣ ବିଧାୟକ ଏବଂ ଦୁଇଜଣ ମନ୍ତ୍ରୀ ବିଜେପି ଯିବାକୁ ପ୍ରସ୍ତୁତ ନୁହଁନ୍ତି। ବାଙ୍ଗାଲୁରୁରେ ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୧୯ ଜଣ ବିଧାୟକ ଗତକାଲି ଇସ୍ତପା ଦେଇଥିବା ଖବର ଆସିଥିଲା। ଏପରିକି ମଙ୍ଗଳଦିନ ସନ୍ଧ୍ୟାରେ ଭୋପାଳରେ ବିରୋଧୀ ଦଳର ନେତା ଗୋପାଳ ଭାଗର୍ଭା ଏବଂ ନରୋତ୍ତମ ମିଶ୍ର ବିଧାନସଭା ବାଚସ୍ପତି ଏନପି ପ୍ରଜାପତିଙ୍କ ବାସଭବନରେ ପହଞ୍ଚିଥିଲେ। କଂଗ୍ରେସରୁ ଇସ୍ତଫା ଦେଇଥିବା ୧୯ ଜଣ ବିଧାୟକଙ୍କ ତାଲିକା ବାଚସ୍ପତିଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ୧୯ ଜଣ ବିଧାୟକଙ୍କ ଇସ୍ତଫା ପତ୍ର ପାଇବା ପରେ ବିଧାନସଭାର ବାଚସ୍ପତି ଏନ.ପି ପ୍ରଜାପତି କହିଥିଲେଯେ ସେ ବିଧାନସଭା ନିୟମ ଅନୁଯାୟୀ ନିଷ୍ପତ୍ତି ନେବେ। କିନ୍ତୁ ମଙ୍ଗଳବାରଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସ ବିଧାୟକଙ୍କର ଏକ ବୈଠକ ଡାକିଥିଲେ। ଏହି ବୈଠକ ପରେ କଂଗ୍ରେସ ନେତା ପିସି ଶର୍ମା ଏବଂ ଶୋଭା ଓଝା ଦାବି କରିଥିଲେଯେ କମଲ ନାଥଙ୍କ ସରକାରରେ ସଂଖ୍ୟାଗରିଷ୍ଠତା ରହିଛି। ପିସି ଶର୍ମା ଗଣମାଧ୍ୟମକୁ କହିଥିଲେଯେ କଂଗ୍ରେସ ବିଧାୟକମାନଙ୍କ ସହ ଧୋକା ହୋଇଛି। ଇସ୍ତଫା ପତ୍ର, ନେତାମାନଙ୍କ ଉପରେ ଚାପ ପ୍ରୟୋଗ କରି ଲେଖାଯାଇଛି। ଶୋଭା ଓଝା କହିଥିଲେଯେ ରାଜ୍ୟସଭା ନିର୍ବାଚନ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ୍ ଦେବାକୁ ବିଧାୟକମାନଙ୍କୁ କୁହାଯାଇଥିଲା, ତେଣୁ ତାଙ୍କ ସମର୍ଥନ ନାଁରେ ବାହାନା କରି ବିଧାୟକମାନଙ୍କ ଠାରୁ ଏହି ଦସ୍ତଖତ ନିଆଯାଇଥିଲା। ଏହି ଦସ୍ତଖତକୁ ଇସ୍ତଫା ରୂପେ ଉପସ୍ଥାପିତ କରାଯାଇଛି।
ଅପର ପକ୍ଷେରେ, ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବାଙ୍ଗାଲୁରୁରେ ରହିଥିବା କଂଗ୍ରେସର ବିଧାୟକମାନେ କହିଛନ୍ତି ଯେ ସେ ମହାରାଜ (ଜ୍ୟୋତିରାଦିତ୍ୟ ସିନ୍ଧିଆ)ଙ୍କ ପାଇଁ ଆସିଥିଲେ କିନ୍ତୁ ବିଜେପିରେ ଯୋଗଦେବା ପାଇଁ ଆସିନଥିଲେ। ବିଦ୍ରୋହୀ ବିଧାୟକଙ୍କ ଏହି ମନୋଭାବ ସହିତ ମଧ୍ୟପ୍ରଦେଶର ରାଜନୀତିରେ ଏକ ନୂଆ ମୋଡ଼ ଆସିଛି।
ଇତିମଧ୍ୟରେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ସାଜନ ସିଂ ବର୍ମା ୧୯ ଟି ଦଳର ବିଧାୟକଙ୍କ ସହ ସାକ୍ଷାତ କରିଥିବା କଥା ଜଣାପଡ଼ିଛି। ସେ କହିଛନ୍ତିଯେ, ସିନ୍ଧିଆଙ୍କ ସହ ଯିବାକୁ କେହି ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କୁ ବିଭ୍ରାନ୍ତ କରି ବେଙ୍ଗାଲୁରୁକୁ ନିଆଯାଇଥିବା ସେ କହିଛନ୍ତି। ପୁନଶ୍ଚ ବର୍ମା କହିଛନ୍ତିଯେ, ଅଧିକାଂଶ ବିଧାୟକ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ନୁହଁନ୍ତି।