ସ୍ୱାମୀ ଚିଦାନନ୍ଦ
କାର୍ତ୍ତିକମାସର ଶୁକ୍ଳନବମୀ ତିଥି ଅଁଳା ନବମୀଭାବେ ସୁଖ୍ୟାତ।ଏହାକୁ ଅକ୍ଷୟ ନବମୀମଧ୍ୟ କୁହାଯାଏ।ସନାତନ ଧର୍ମରେ ଏହି ପରମ ପବିତ୍ର ଦିବସର ଅନେକ ମହତ୍ତ୍ବ ରହିଛି।ପ୍ରତ୍ୟେକ କଥାବିଧି ସ୍ବୟଂ ସମ୍ପୂର୍ଣ୍ଣ, ଶାଶ୍ବତ, ସନାତନ, ଅଁଳାଫଳର ଅମୃତ ଔଷଧୀୟ ଗୁଣସହ ସଂପର୍କୀତ।ଅଁଳାପୂଜନ ବିଧି:ସନ୍ତାନପ୍ରାପ୍ତି ତଥା ପ୍ରାପ୍ତ ସନ୍ତାନଙ୍କ ସୁଖସମୃଦ୍ଧି କାମନାକରି ସଂପୂର୍ଣ୍ଣ ବିଧିବିଧାନରେ ଏହିବ୍ରତ କରାଯାଏ।ପ୍ରାତଃରୁ ସ୍ନାନାଦି ସମାପନକରି ଅଁଳା ବୃକ୍ଷ ମୂଳେ ଶୁଦ୍ଧଜଳ ଓ ଗୋରସ ଢାଳି ଧୂପ ଦୀପ, ଅକ୍ଷତ, ପୁଷ୍ପ ଓ ନୈବେଦ୍ୟ ଅର୍ପଣ କରାଯାଏ।ବୃକ୍ଷଗଣ୍ଡିରେ ନଅ ପରିକ୍ରମାକରି ମୌଳୀ ବା ସୂତ୍ର ବନ୍ଧାଯାଏ।କେହି କେହି ଏକଶହ ଆଠ ପରିକ୍ରମା ମଧ୍ୟ କରନ୍ତି।ବ୍ରତକଥା ପଠନ ବା ଶ୍ରବଣ କରିସାରିଲାପରେ ଅଁଳାବୃକ୍ଷତଳେ ରନ୍ଧନ କରି ବ୍ରାହ୍ମଣଭୋଜନ କରାଇ ବନ୍ଧୁକୁଟୁମ୍ବଙ୍କ ସହ ନିଜେ ହବିଷାନ୍ନ ଗ୍ରହଣ କରାଯାଏ।ଭୋଜନ ସମୟରେ ଅଁଳାପତ୍ର ଗଛରୁ ଝଡି ଖାଦ୍ୟରେ ପଡିଲେ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ଅଛି।
ଅଁଳା ନବମୀର ମହତ୍ତ୍ବ:
୧)ଏହି ସମୟରେ ଋତୁପରିବର୍ତ୍ତନର ତୀବ୍ର ପ୍ରଭାବ ରହେ।ତେଣୁ ଏ ସମୟରେ ଅଁଳାବୃକ୍ଷ ନିକଟରେ ବାସ କରିବା ଓ ଅଁଳା ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।ପୁଣି ଅଁଳା ଭିଟାମିନ ସି ରେ ଭରପୂର ଯାହା ଶରୀରପାଇଁ ଅମୃତତୁଲ୍ୟ ବୋଲି ମହର୍ଷି ଚରକ କହିଛନ୍ତି।
୨)ମହର୍ଷି ଚ୍ୟବନ ଏହି ତିଥିରେ ଅଁଳା ସେବନ କରି ପନଃ ଯୋବନକୁ ପ୍ରାପ୍ତ କରିଥିଲେ ଏବଂ ଚ୍ୟବନପ୍ରାସ ପ୍ରସ୍ତୁତ କରି ଦେବତାମାନଙ୍କୁ ପ୍ରଦାନ କରିଥିଲେ।
୩)ଏହି ପବିତ୍ର ତିଥିରେ ଭଗବାନ ବିଷ୍ଣୁ କୁଷ୍ମାଣ୍ଡକ ଅସୁରକୁ ବଧ କରି ଥିଲେ।ଏହିଦିନ କୁଷ୍ମାଣ୍ଡଫଳକୁ ଦାନ ଦେଲେ ଫଳ ମଧ୍ୟରେ ଯେତେ ବି ବୀଜଥାଏ ଦାତାଙ୍କୁ ସେତିକି ବର୍ଷ ପର୍ୟ୍ୟନ୍ତ ସ୍ବର୍ଗ ପ୍ରାପ୍ତିର ସୁଯୋଗ ମିଳିଥାଏ ବୋଲି କଥିତ ଅଛି।
୪)ଏହିତିଥିରେ ସତ୍ୟଯୁଗର ପ୍ରରମ୍ଭ ହୋଇଥିଲା ଏବଂ ଅଁଳାବୃକ୍ଷର ଉତ୍ପତ୍ତି ହୋଇ ଏଇ ଅମୃତଗୁଣକୁ ଧାରଣ କରିଥିବା ଅଁଳାଫଳର ସୃଷ୍ଟିହେଲା।ଯେତେବେଳେ ସମଗ୍ର ସୃଷ୍ଟି ଜଳମୟ ଥିଲା ସେତେବେଳେ ପଦ୍ମାସନରେ ବସି ବ୍ରହ୍ମା ପଦ୍ମନାଭଙ୍କ ଧ୍ୟାନରେ ବସିଥିବାବେଳେ ବିଷ୍ଣୁଭକ୍ତିରେ ଉଲ୍ଲସିତ ହୋଇ ତାଙ୍କ ଚକ୍ଷୁରୁ ଅଶ୍ରୁବୁନ୍ଦା ଝରିବାକୁ ଲାଗିଲା ଏହିଅଶ୍ରୁବିନ୍ଦୁ ଚମତ୍କାର ଔଷଧୀୟଗୁଣ ଯୁକ୍ତ ଅଁଳାବୃକ୍ଷରୂପେ ପ୍ରକଟ ହେଲା, ସେଥିରୁ ଅଁଳାଫଳର ପ୍ରାପ୍ତହେଲା।ଏହିଫଳରେ ଅନେକ ଔଷଧୀୟ ଗୁଣରହିଛି।ଏହାସେବନଦ୍ବାରା ମନୁଷ୍ୟ ଶରୀରର କୋଷାଣୁବୃଦ୍ଧିକରାଇ ସୁସ୍ଥ ରଖେ।
୫)ପରଂବ୍ରହ୍ମ ଶ୍ରୀକୃଷ୍ଣ ଅଁଳା ନବମୀରେ କଂସର ସଂହାର ପୂର୍ବରୁ ତିନିବନ ପରିକ୍ରମା କରିଥିଲେ।ତେଣୁ ଏଇଦିନ ଭକ୍ତମାନେ ମଥୁରା ବୃନ୍ଦାବନକୁ ପରିକ୍ରମା କରି ପୂଣ୍ୟ ଅର୍ଜନ କରନ୍ତି।
୬)ଅଁଳାନବମୀ ଦିନ ଅଁଳାବୃକ୍ଷରୁ ଅମୃତ ଝରିଥାଏ।ଏହିଦିନ ଶ୍ରୀବିଷ୍ଣୁଙ୍କୁ ଅଁଳା ନୈବେଦ୍ୟ କରାଯାଏ।ଅଁଳାରେ ସେବନ କରିବାଦ୍ବାରା ଶରୀରରେ ଅମୃତର ସମାହିତ ହୋଇ ଶରୀର ନିରୋଗ ଓ ଦୀର୍ଘାୟୁ ହୁଏ।ଅଁଳାବୃକ୍ଷରେ ହରି ହର ଙ୍କ ସମେତ ସମସ୍ତ ଦେବତା ବାସ କରନ୍ତି।
୭)ଉତ୍କଳୀୟ ପରଂପରାରେ ସାକ୍ଷୀଗୋପାଳ ମନ୍ଦିରର ଗୁପ୍ତ ବୃନ୍ଦାବନରେ ଶ୍ରୀରାଧାରାଣୀ ପାଟ ଶାଢୀ ପିନ୍ଧି ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନଦେଇ ଜନ୍ମଜନ୍ମାନ୍ତରର କଳ୍ମଷ ହରଣ କରନ୍ତି। ଶାସ୍ତ୍ରାନୁସାରେ ଜଗଜ୍ଜନନୀ ମହାଲକ୍ଷ୍ମୀଙ୍କ ଦ୍ବାରା ଅଁଳାବୃକ୍ଷର ପୂଜନ ଅଁଳା ନବମୀରେ ଆରମ୍ଭ ହୋଇଥିଲା।ଥରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣରେ ଆସିବା ସମୟରେ ବିଚାରକଲେ ଯେ ଶ୍ରୀବିଷ୍ଣ ଓ ଶିବଙ୍କ ପୂଜା କିପରି କରାଯାଇପାରିବ?ତୁଳସୀ ଭଗବାନ ବିଷ୍ଣୁଙ୍କ ପ୍ରିୟ ହୋଇଥିବାବେଳେ ବିଲ୍ବ ଭଗବାନ ଶିବଙ୍କର।ମହିମାମୟ ଅଁଳାବୃକ୍ଷକୁ ଉଭୟ ଶିବ ଓ ବିଷ୍ଣୁଙ୍କର ପ୍ରତୀକଭାବେ ମାନି ତାର ଛାୟାରେ ଦେବୀ ପୂଜା ଆରମ୍ଭକଲେ।ପୂଜାରେ ପ୍ରସନ୍ନ ହୋଇ ହରିହର ତାଙ୍କ ସମ୍ମୁଖରେ ପ୍ରକଟ ହୋଇ ସ୍ବୟଂ ଲକ୍ଷ୍ମୀଙ୍କଦ୍ବାରା ପ୍ରସ୍ତୁତ ହବିଷାନ୍ନ ଅଁଳାବୃକ୍ଷ ଛାୟାତଳେ ବସି ଭୋଜନ କରିଥିଲେ।ତାପରେ ସ୍ବୟଂ ଲକ୍ଷ୍ମୀ ମଧ୍ୟ ଭୋଜନ ଗ୍ରହଣକରି ସେଇଦିନଠାରୁ ଅଁଳାପୂଜନର ବିଧାନ ଆରମ୍ଭ କରିଥିଲେ।
ଅରିଲୋ, ଜଗତସିଂହପୁର