ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ଦ୍ୱାରା ଏନ ଗୋପାଳସ୍ୱାମୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ଷମତାପ୍ରାପ୍ତ ବିଶେଷଜ୍ଞ ସମିତି (ଇଇସି) ୧୫ଟି ସରକାରୀ ଓ ୧୫ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଶ୍ରେଷ୍ଠ ସଂସ୍ଥାନ’ ମାନ୍ୟତା ପ୍ରଦାନ କରିବା ଲାଗି ସୁପାରିସ କରିଛି। ଅଗଷ୍ଟ ୨, ୨୦୧୯ରେ ଅନୁଷ୍ଠିତ ବିଶ୍ୱ ବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି)ର ୫୪୨ତମ ବୈଠକରେ ଏହି ସୁପାରିସକୁ ବିବେଚନା କରାଯାଇଛି।
ଯେହେତୁ ଏହି ଯୋଜନାରେ ୧୦ଟି ସରକାରୀ ଏବଂ ୧୦ଟି ଘରୋଇକୁ ମିଶାଇ ମୋଟ ୨୦ଟି ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ସଂସ୍ଥାନ ତାଲିକାରେ ସାମିଲ କରାଯିବା ଲାଗି ବ୍ୟବସ୍ଥା ରହିଛି, ସେଥିପାଇଁ ସ୍ୱଚ୍ଛ ତଥା ନିରୀକ୍ଷଣକାରୀ ପ୍ରକ୍ରିୟାରେ ୧୫ଟି ଘରୋଇ ଏବଂ ୧୫ଟି ସରକାରୀ ସଂସ୍ଥାନକୁ ୟୁଜିସି ଚୟନ କରିଛି।
୧୫ଟି ଘରୋଇ ଶିକ୍ଷାନୁଷ୍ଠାନ ତାଲିକାରେ ଭୁବନେଶ୍ୱରର କିଟ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। କ୍ୟୁଏସ ୨୦୧୯ ର୍ୟାଙ୍କିଙ୍ଗ୍ ରେ କିଟ ୬୧ରୁ ୬୫ ସ୍ଥାନ ମଧ୍ୟରେ ରହିଥିବା ବେଳେ ୨୦୧୮ ଓ ୨୦୧୯ର ଏନଆଇଆରଏଫ ର୍ୟାଙ୍କିଙ୍ଗରେ ଯଥାକ୍ରମେ ୪୨ ଓ ୩୧ତମ ସ୍ଥାନରେ ରହିଥିଲା। କିଟ ବିଶ୍ୱବିଦ୍ୟାଳୟକୁ ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ସଂସ୍ଥାନରେ ସାମିଲ କରିବା ଲାଗି ସହମତି ପତ୍ର ଦିଆଯାଇଛି।
ଇଇସି ଦ୍ୱାରା ସୁପାରିସ କରାଯାଇଥିବା ୧୫ଟି ସରକାରୀ ଏବଂ ୧୫ଟି ଘରୋଇ ସଂସ୍ଥାନ ମଧ୍ୟରୁ ୧୦ଟି ସରକାରୀ ଏବଂ ୧୦ଟି ଘରୋଇ ସଂସ୍ଥାନ ବାଛିବା ଲାଗି ନିମ୍ନୋକ୍ତ ନିୟମ ଅବଲମ୍ବନ କରାଯିବ।
କ. ଏହି ଯୋଜନାରେ ବିଶ୍ୱ ମାନ୍ୟତା ପାଇଁ ସଂସ୍ଥାନଗୁଡ଼ିକୁ ପ୍ରସ୍ତୁତ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି, ତେଣୁ କୌଣସି ବିଶ୍ୱ କିମ୍ବା ଜାତୀୟ ର୍ୟାଙ୍କିଙ୍ଗରେ ସ୍ଥାନ ପାଇନଥିବା ସଂସ୍ଥାନକୁ ଶ୍ରେଷ୍ଠ ସଂସ୍ଥାନ ମାନ୍ୟତା ଲାଗି ସୁପାରିସ କରାଯିବ ନାହିଁ।
ଖ. ଉପରୋକ୍ତ ପ୍ରକ୍ରିୟା ଦେଇ ନିରୀକ୍ଷଣ କରାଯିବା ପରେ ଯଦି ତାଲିକାରେ ଖାଲି ସ୍ଥାନ ଥାଏ, ପ୍ରତିଷ୍ଠା ହେବାକୁ ଥିବା (ଗ୍ରୀନ ଫିଲ୍ଡ) ଶିକ୍ଷାନୁଷ୍ଠାନର ପ୍ରସ୍ତାବଗୁଡ଼ିକୁ ବିବେଚନା କରାଯିବ।
ସରକାରୀ ସଂସ୍ଥାନ :
ଉପରୋକ୍ତ ନିୟମ ଅନୁଯାୟୀ, କ୍ୟୁଏସ-୨୦୨୦ ବିଶ୍ୱ ର୍ୟାଙ୍କିଙ୍ଗ ଆଧାରରେ ୟୁଜିସି ୧୫ଟି ସଂସ୍ଥାନର ତାଲିକା ପ୍ରସ୍ତୁତ କରିଛି। ଅମୀମାଂଶିତ ରହିବା ସ୍ଥିତିରେ କ୍ୟୁଏସ-୨୦୧୯ ଇଣ୍ଡିଆ ର୍ୟାଙ୍କିଙ୍ଗକୁ ଉପଯୋଗ କରାଯିବ।
ତଦନୁଯାୟୀ ନିମ୍ନୋକ୍ତ ସଂସ୍ଥାନଗୁଡ଼ିକୁ ଶ୍ରେଷ୍ଠ ସଂସ୍ଥାନ ମାନ୍ୟତା ପ୍ରଦାନ ଲାଗି ସୁପାରିସ କରାଯାଇଛି :
ବିଶ୍ୱ ର୍ୟାଙ୍କିଙ୍ଗରେ ୧୫୨ ତମ ତଥା ଜାତୀୟ ର୍ୟାଙ୍କିଙ୍ଗ ଶୀର୍ଷରେ ଥିବା ଆଇଆଇଟି ବମ୍ବେ ସରକାରୀ ସଂସ୍ଥାନ ତାଲିକାର ପ୍ରଥମ ସ୍ଥାନରେ ରହିଛି ତଥା ଏହାକୁ ଶ୍ରେଷ୍ଠ ସଂସ୍ଥାନ ଭାବେ ପୂର୍ବରୁ ଘୋଷଣା କରାଯାଇସାରିଛି। ଆଇଆଇଟି ଦିଲ୍ଲୀ (ବିଶ୍ୱ ର୍ୟାଙ୍କିଙ୍ଗ ୧୮୨ ଜାତୀୟ ର୍ୟାଙ୍କିଙ୍ଗ ୪) ଓ ଏକକ ବିଶ୍ୱବିଦ୍ୟାଳୟ ଆଇଆଇଏସସି ବାଙ୍ଗାଲୋର (ବିଶ୍ୱ ର୍ୟାଙ୍କିଙ୍ଗ ୧୮୪ ଓ ଜାତୀୟ ର୍ୟାଙ୍କିଙ୍ଗ ୨)କୁ ମଧ୍ୟ ଶ୍ରେଷ୍ଠ ସଂସ୍ଥାନ ଭାବେ ଘୋଷଣା କରାଯାଇସାରିଛି। ଏହାଛଡ଼ା ଆଇଆଇଟି ମାଡ୍ରାସ, ଆଇଆଇଟି ଖଡ଼ଗପୁର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତାପ୍ରାପ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ, ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟ, ବାରଣାସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ପୁନେର ସାବିତ୍ରୀ ଫୁଲେ ବିଶ୍ୱବିଦ୍ୟାଳୟ, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ, ତେଜପୁର ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ, ବିଶାଖାପାଟଣାର ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ଶ୍ରେଷ୍ଠ ସଂସ୍ଥାନ ମାନ୍ୟତା ଦେବା ଲାଗି ସୁପାରିସ କରାଯାଇଛି।
ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ରାଜସ୍ଥାନର ବିଟ୍ସ ପିଲାନି, ମନିପାଲ ଏକାଡେମୀ ଅଫ ହାୟର ଏଜୁକେସନ, ମହାରାଷ୍ଟ୍ରର ରିଲାଏନ୍ସ ଫାଉଣ୍ଡେସନ ଜିଓ ଇନଷ୍ଟିଚ୍ୟୁଟ (ପ୍ରତିଷ୍ଠା ହେବାକୁ ଥିବା ଗ୍ରୀନଫିଲ୍ଡ ସଂସ୍ଥାନ), ବାଙ୍ଗାଲୋରସ୍ଥିତ ଅମୃତା ବିଶ୍ୱ ବିଦ୍ୟାପୀଠମ, ତାମିଲନାଡ଼ୁର ଭିଆଇଟି ଭେଲୋର, ଦିଲ୍ଲୀର ଜାମିଆ ହମଦର୍ଦ୍ଦ, ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି (କିଟ ବିଶ୍ୱବିଦ୍ୟାଳୟ), ହରିୟାଣାର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ, ଉତର ପ୍ରଦେଶର ଶିବ ନାଦାର ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ସତ୍ୟ ଭାରତୀ ଫାଉଣ୍ଡେସନର ଭାରତୀ ଶିକ୍ଷାନୁଷ୍ଠାନ (ପ୍ରତିଷ୍ଠା ହେବାକୁ ଥିବା ଗ୍ରୀନଫିଲ୍ଡ ସଂସ୍ଥାନ), ବାଙ୍ଗାଲୋରର ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ, ଚେନ୍ନାଇର କେଆରଇଏ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋରର ଆଇଆଇଏଚଏସ, ଗାନ୍ଧୀନଗର ସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ପବ୍ଲିକ ହେଲ୍ ଥକୁ ସାମିଲ କରାଯାଇଛି।
ଶ୍ରେଷ୍ଠ ସଂସ୍ଥାନ ମାନ୍ୟତା ପାଇଁ ପ୍ରସ୍ତାବିତ ଘରୋଇ ସଂସ୍ଥାନଗୁଡ଼ିକୁ କୌଣସି ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ, ବରଂ ସେମାନଙ୍କୁ ସ୍ୱତନ୍ତ୍ର ବର୍ଗର ଏକକ ବିଶ୍ୱବିଦ୍ୟାଳୟ ଭାବେ ଅଧିକ କ୍ଷମତା ପ୍ରଦାନ କରାଯିବ।
ଗ୍ରୀନଫିଲ୍ଡ ସଂସ୍ଥାନଗୁଡ଼ିକୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ପ୍ରଚଳନ କରିବା ଲାଗି ୩ ବର୍ଷର ଅତିରିକ୍ତ ସମୟ ଦିଆଯିବ, ଏହାପରେ ଶ୍ରେଷ୍ଠ ସଂସ୍ଥାନ ମାନ୍ୟତା ପ୍ରଦାନ କରିବା ଲାଗି ଇଇସି ପ୍ରସ୍ତାବର ବିଚାର କରିବ।