କଟକ ୭-୭ (ଓଡ଼ିଆ ପୁଅ) କଟକ ସହରର ପରିମଳ ଓ ଜଳନିଷ୍କାସନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ, ଅଳିଆ, ଆବର୍ଜନ ରାସ୍ତାଘାଟରେ ପଡ଼ି ରହି ସଢ଼ୁଛି। ଅସରାଏ ବର୍ଷାରେ ରାସ୍ତା ଓ ଡେନ୍ ଏକାକାର ହୋଇ ପଡ଼ୁଛି। ପାନୀୟ ଜଳ ପ୍ରଭାବିତ ହୋଇ କାମଳ ରୋଗ ପରେ ଡେଙ୍ଗୁ ବ୍ୟାପିଲାଣି। ଆଜିସୁଦ୍ଧା ୧୨ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ। ଜାଇକା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ଓ ଡ୍ରେନର ମରାମତି ବିଳମ୍ବ ହେଉଥିବାରୁ କଟକ ସହର ସଂପୂର୍ଣ୍ଣ ଜଳବନ୍ଦିରେ ପରିଣତ ହୋଇଛି। ମ୍ୟୁନିସ୍ପାଲ୍ କର୍ପୋରେସନ୍ର ମିଆଦି ପୁରିଯିବା ପରେ ଅଧିକାରୀମାନଙ୍କ ହାତରେ କ୍ଷମତା ଆସିଯାଇଛି। ଦୁଃଖର କଥା ସି.ଏମ୍.ସି. ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କ ଆଭିମୁଖ୍ୟରୁ ପୂର୍ଣ୍ଣ ଆଳସ୍ୟ ପ୍ରଦର୍ଶିତ ହେଉଅଛି। ଡ୍ରେନ୍ ଗୁଡ଼ିକରୁ ପଙ୍କୋଦ୍ଧାର କାର୍ଯ୍ୟ ବର୍ଷା ଆସିବାର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା, ଯାହା ଫଳରେ ବର୍ଷାଦ୍ୱାରା ପୁନଶ୍ଚ ସେ ଗୁଡ଼ିକ ଡ୍ରେନ୍ ଭିତରକୁ ଭାସିଯାଇଛି। କଟକ ସହରର ଭୟଙ୍କର ପରିସ୍ଥିତି ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସମସ୍ୟାର ସମାଧାନ ହେବା ପରିଲକ୍ଷିତ ହେଉନାହିଁ।

ସି.ଏମ୍.ସି ଏବଂ ଜିଲ୍ଲା ପ୍ରସାଶନର ଏଭଳି ଅପାରଗତା ଏବଂ ସ୍ଥ୍ାଣୁତା ବିରୋଧରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା, କଟକ ନଗର ଜିଲ୍ଲା ସଭାପତି ଜ୍ୟେତିରଞ୍ଜନ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସି.ଏମ୍.ସି କମିସନରଙ୍କୁ ଭେଟି ଏହିସବୁ ସମସ୍ୟାର ତ୍ୱରିତ ସମାଧାନ ନହେଲେ ଆଗାମୀ ଦିନରେ ଭାରତୀୟ ଜନତା ଯୁବମୋର୍ଚ୍ଚା ସି.ଏମ୍.ସି ଓ କଟକ ପ୍ରସାଶନକୁ ସଂପୂର୍ଣ୍ଣ ରୂପେ ଅଚଳ କରିବାକୁ ବାଧ୍ୟ ହେବ ବୋଲି କମିଶନରଙ୍କୁ ଚେତାଇ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ପ୍ରଭାରୀ ଦେବାଶିଷ ଘୋଷ, ଜିଲ୍ଲା ସମ୍ପାଦକ ଲଲାଟେନ୍ଦୁ ଦାସ, ଦେବରାଜ ସୁବୁଦ୍ଧି, ଅଭିଜିତ ମିଶ୍ରା, କୀର୍ତ୍ତୀ ପଟ୍ଟନାୟକ, ସୁଶାନ୍ତ ବେହେରା, ମୁକେଶ ସାହୁ, ଦୀପକ ଦାସ, ଦୀପକ କାହାଳୀ, ଦୀଲ୍ଲିପ ଦାସ, ନିତିକାନ୍ତ ସେଠୀ, ବ୍ରଜବନ୍ଧୁ ପରିଡ଼ା, ଅସଦ୍ ରାଜ, ସାକୀବ୍ ଖାନ୍, ପଦ୍ମଶ୍ରୀ ଦାସ, ସୌମ୍ୟରଞ୍ଜନ ସିହ୍ନାରାୟ, ନିରଞ୍ଜନ ସାହୁ, ସାରଦା ଷଡ଼ଙ୍ଗୀ, ସିଦ୍ଧାନ୍ତ ନାୟକ, ସରୋଜ ରଣା, ଅଭିଶେକ ସିଂ, ଅଜୟ ସିଂ ଓ ଆଦିତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।







