Home ଓଡ଼ିଶା ୭୬ ବର୍ଷରେ ପଦାର୍ପଣ କଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ

୭୬ ବର୍ଷରେ ପଦାର୍ପଣ କଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ

636

ସମ୍ବଲପୁର, ୬/୭ (ଓଡ଼ିଆ ପୁଅ) ଶିକ୍ଷା କ୍ଷେତ୍ରରେ ସମ୍ବଲପୁର ଇଲାକା କେଉଁ ପ୍ରାଚୀନ କାଳରୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ଭାରତକୁ ଆସିଥିବା ବହୁ ପରିବ୍ରାଜକଙ୍କ ବର୍ଣ୍ଣନାରୁ ଜ୍ଞାତ ହୁଏ। ସେହି ସମୟରୁ ଏହି ଭୂଖଣ୍ଡରେ ଜ୍ଞାନ ପାଇଁ ସାଧନାର ଉପସ୍ଥିତି ରହିଆସିଛି। ୟୁରୋପରେ ନବଜାଗରଣ ଓ ଶିଳ୍ପ ବିପ୍ଲବ ପରେ ପରେ ଭାରତରେ ଆଧୂନିକ ଶିକ୍ଷା ବ୍ୟବସ୍ଥାର ଆୟମାରମ୍ଭ ହୋଇଥିଲା। ୧୮୫୦ ବେଳକୁ ସମ୍ବଲପୁରେ ଆନୁଷ୍ଠାନିକ ବିଦ୍ୟାଳୟ ଉନ୍ମୋଚିତ ହୋଇଛି। ପ୍ରଥମେ ମେଟ୍ରିକ ପରୀକ୍ଷା ଦେବା ସକାଶେ ଏଠାର ଛାତ୍ରଙ୍କୁ କଲିକତା, ପାଟଣା ଆଦି ଦୂର ସ୍ଥାନକୁ ଯିବାକୁ ପଡ଼ୁଥଲା। ଏହାବାଦ ଉଚ୍ଚ୍ ଶିକ୍ଷା ହାସଲ ଏକ ବଡ଼ ଆହ୍ୱାନ ଥିଲା। ଯଦ୍ୱାରା ଅନେକଙ୍କ ପକ୍ଷେ ଏହା ସମ୍ବବ ନଥିଲା। ପ୍ରତିଭା ରହିଥିଲେ ମଧ୍ୟ ପ୍ରଷ୍ପୁଟିତ ହୋଇପାରୁନଥିଲା। ଏହାକୁ ଦୃଷ୍ଟିରେ ରଖି ଅଂଚଳର ଶିକ୍ଷାନୁରାଗୀ ମାନେ ଜିଲ୍ଲାରେ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେମାନେ ଠିକ ଭାବେ ଜାଣିଥିଲେ ଯେ, ଶିକ୍ଷା ଦ୍ୱାରା ହିଁ ଉନ୍ନତି ସମ୍ଭବ। ଏହି ଚିନ୍ତାଧାରାରୁ ହିଁ ୧୯୪୪ ମସିହା ଆଜିର ଦିନରେ ବର୍ତ୍ତମାନର ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁର କଲେଜ ରୂପରେ ଜନ୍ମଲାଭ କରିଥିଲା। ସେହିବର୍ଷ ୧୯୧ ଜଣ ଛାତ୍ର ଏଠାରେ ନାମ ଲେଖାଇ ଥିଲେ। ଆଜକୁ ୭୫ ବର୍ଷ ପୂର୍ବେ ରୋପଣ କରାଯାଇଥିବା ବୃକ୍ଷ ଏବେ ମହାଦ୍ରୁମରେ ପରିଣତ ହୋଇଛି। ୧୯୪୯ ମସିହାରେ ଏହା ସ୍ୱଭାବକବି ଗଂଗାଧର ମେହେରଙ୍କ ନାମରେ ନାମିତ ହୋଇଥିଲା। ୧୯୬୪ରେ ଏଠାରେ ପିଜି ପାଠ୍ୟକ୍ରମ ପ୍ରଚଳିତ ହୋଇଥିଲା। ଏହି ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆଧାର ପଡିଥିଲା। ଗଂଗାଧର ମେହେର କଲେଜର ପିଜି ଶ୍ରେଣୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପନକୁ ସହାୟକ ହୋଇଥିଲା। ଏବେ ଏହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଛଅ ହଜାରରେ ପହଂଚିଲାଣି। କୋଡିଏରୁ ଅଧିକ ବିଷୟରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି। ଏଠାରେ ସ୍ନାତକ, ପିଜି, ଏମଫିଲ୍, ପିଏଚଡ଼ି ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି। ପାରମ୍ପରିକ ପାଠ୍ୟକ୍ରମର ରୂପରେଖ ବଦଳିଛି। ୨୦୧୫ରେ ଏହା ବଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଥିଲା। ଗବେଷଣା ଓ ଅନ୍ୱେଷଣ ଏବେ ଦେଶର ଏହି ଅନ୍ୟତମ ପୁରାତନ ଶିକ୍ଷାୟତନର ଆଧାର ହେବାରେ ଲାଗିଛି। ଏବର୍ଷ ପ୍ଲାଟିନିୟମ ଜୁବୁଲି ବର୍ଷରେ ସନ୍ଥକବି ଭୀମଭୋଇଙ୍କ ନାମରେ ଗବେଷଣା ଚେୟାର ପ୍ରତିଷ୍ଠା, ଚାରୋଟି ନୂଆ ବିଷୟରେ ଗବେଷଣା ଆଧାରିତ ପିଏଚଡ଼ି ପ୍ରୋଗ୍ରାମର ଉଦଘାଟନ ଓ ହସ୍ତତନ୍ତ କାରିଗରଙ୍କ ପ୍ରତିଭା ପ୍ରତି ସ୍ୱୀକୃତି ପ୍ରଦାନ ପୂର୍ବକ ସମ୍ବଲପୁରୀ ୟୁନିଫର୍ମ ପ୍ରଚଳନ, ୟୁଜିସିର ନ୍ୟାସନାଲ ଏକାଡ଼ଡ଼େମିକ ଡ଼ିପୋଜିଟୋରୀରେ ସାମିଲ ହେବା ଏବଂ ଏନଏଏସି ଦ୍ୱାରା ‘ଏ’ ଗ୍ରେଡ଼ ହାସଲ କରିବା ଉଲ୍ଲେଖନୀୟ ବିଷୟ ଅଟେ। ଦିନକୁଦିନ ଏହାର କାୟା ବୃଦ୍ଧି ପାଉଛି। ୫୯ ଏକଡ ପରିମିତ ବର୍ତ୍ତମାନର କ୍ୟାମ୍ପସରେ ସମ୍ପ୍ରସାରଣ ସୁଯୋଗ କମିବାରେ ଲାଗିଛି। ମହାନଦୀ ଅପରପାର୍ଶ୍ୱର ବସନ୍ତପୁର ମୌଜାରେ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ପଚାଶ ଏକଡ଼ ଜମିର ବନ୍ଦୋବସ୍ତ କରାଯାଇଛି। ଏଠାରେ ଏହାର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ। ତେବେ କୋଠାବାଡ଼ି ସହିତ ଶିକ୍ଷା କ୍ଷେତ୍ରରେ ଏହି ପ୍ରତିଷ୍ଠାନ କେତେ ଦୂର ଅଗ୍ରସର ହୋଇଛି ତାହାର ସଫଳତାର ଅନୁଧ୍ୟାନ ସହିତ ଆଗକୁ ଅଗ୍ରସର ହେବା ଏହି ଶିକ୍ଷାୟତନ ପାଇଁ ଏକ ଆହ୍ୱାନ ଅଟେ। ଏଥିପାଇଁ ସମସ୍ତଙ୍କ ଭୂମିକା ରହିବା ଦରକାର। ଏଠାର ଅଗଣିତ ଛାତ୍ରଛାତ୍ରୀ ଦେଶବଦେଶରେ ପ୍ରତିଷ୍ଠା ଅର୍ଜନ କରିଚାଲିଛନ୍ତି। ପ୍ରଶାସନିକ ସେବା, ଅଧ୍ୟାପନା, ଗବେଷଣା, ଆଇନ ସେବା, ଉଦ୍ୟୋଗ, ଚିକିତ୍ସା ବିଜ୍ଞାନ, ରାଜନୀତି, ଅର୍ଥନୀତି, ସମ୍ପାଦନା, ସାହିତ୍ୟ, କ୍ରୀଡା ନୈପୂଣ୍ୟତା ପ୍ରଦର୍ଶନ କରିଛନ୍ତି। ବ୍ୟାଙ୍କିଂ, ମ୍ୟାନେଜମେଣ୍ଟ ଆଦି ବହୁ କ୍ଷେତ୍ରରେ ସୁନାମ ହାସଲକରି ନିଜ ଅନୁଷ୍ଠାନ ପାଇଁ ଗୈାରବ ଆଣିଛନ୍ତି। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ସହିତ ଗଣମାଧ୍ୟମରେ ଏଠାର ଅଗଣିତ ଛାତ୍ରଛାତ୍ରୀ ସଫଳତା ହାସଲ କରିବାରେ ଲାଗିଛନ୍ତି। ଏହିଭଳି ପ୍ରତିଭାବାନ ମାନଙ୍କ ତାଲିକା ସୁଦୀର୍ଘ ହେବ। ତେବେ ବର୍ତ୍ତମାନ ମଧ୍ୟ ଏହି ବିଦ୍ୟାପୀଠର ବହୁ ପୁରାତନ ଛାତ୍ରଛାତ୍ରୀ ସମ୍ମାନଜନକ ପଦପଦବୀରେ ଅଧିଷ୍ଠିତ ଅଛନ୍ତି। ପିଏମଓର ଅତିରିକ୍ତ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର, ନାବାର୍ଡ଼ ଫାଇନାନ୍ସ କର୍ପୋରେସନର ଅଧ୍ୟକ୍ଷ ଆଇଏଏସ ଡ଼. ଯୁଗଳ କିଶୋର ମହାପାତ୍ର, ଜାତୀୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପ୍ରଦୀପ ପୂଜାରୀ, କେନ୍ଦ୍ରୀୟ ସାହିତ୍ୟ ଏକାଡ଼ଡ଼େମୀ ପୁରସ୍କାର ପ୍ରାପ୍ତ ବରେଣ୍ୟ କବି ଡ଼. ରାଜେନ୍ଦ୍ର କିଶୋର ପଣ୍ଡା, କେନ୍ଦ୍ରୀୟ ଡେପୁଟେସନରେ ଥିବା (ଆଇସିଆରଆଇଏସଏଟି)ର ନିର୍ଦ୍ଦେଶକ ଆଇଏଏସ ଡ଼. ଅରବିନ୍ଦ କୁମାର ପାଢୀ, ତାମିଲନାଡ଼ୁର ରାଜ୍ୟ ପୋଲିସ ଡ଼ିଜି ଜେକେ ତ୍ରିପାଠୀ, ବରିଷ୍ଠ ଆଇପିଏସ ଡ଼. ସଞ୍ଜିବ କୁମାର ପାଟ୍ଟଯୋଶୀ ଏବଂ ଦେବେଶ କୁମାର ବେହେରା, କର୍ଣ୍ଣାଟକ ରାଜ୍ୟ ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ଡ଼. ଅନୁପ ପୂଜାରୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆର ସ୍ୱାଧୀନ ନିର୍ଦ୍ଦେଶକ ଡ଼. ପ୍ରସନ୍ନ କୁମାର ଦାଶଙ୍କ ନାମ ଉଲ୍ଲେଖେଯୋଗ୍ୟ। ରାଜ୍ୟ ଉପଭୋକ୍ତା ମିମାଂସା କମିଶନର ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୂଳପତି ଅରୁଣ ପୂଜାରୀ, ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥର ନିର୍ଦ୍ଦେଶକ ଅଜିତ କୁମାର ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳପତି ଦୀପକ ବେହେରା, ଲୋକସଭା ସଦସ୍ୟ ସୁରେଶ ପୂଜାରୀ, ରାଜ୍ୟର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ନବ କିଶୋର ଦାସ, ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ଅଗ୍ନିଶିଖାର ସମ୍ପାଦକ ଅର୍ଜ୍ଜୁନ ରଞ୍ଜନ ପଂଡ଼ା, କୋଶଳର ସମ୍ପାଦକ ତ୍ରିବିକ୍ରମ ତ୍ରିପାଠୀ, ସିନେ ତାରକା ପଦ୍ମଶ୍ରୀ ଡ଼. ସାଧୁ ମେହେର, ଅପରାଜିତା ମହାନ୍ତି, ମନୋଜ ମିଶ୍ର, ସମାଜର ସମ୍ପାଦକ ବାମପଦ ତ୍ରିପାଠୀ, ସମ୍ବାଦର ସମ୍ପାଦନା ନିର୍ଦ୍ଦେଶକ ରଣଜିତ ଗୁରୁ, ପ୍ରମେୟର ଗ୍ରୁପ ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର, ଓାର୍ଲଡ଼ ଫୋକସର ନିର୍ବାହୀ ସମ୍ପାଦକ ଡ଼. ଭବାନୀ ଶଙ୍କର ଦୀକ୍ଷିତ, ଏମବିସି ଟିଭିର ମୁଖ୍ୟ ସମ୍ପାଦକ ଅଶୋକ ମହାପାତ୍ର, ଟାଇମ୍ସ ଅଫ ଇଣ୍ଡିଆର ରାଜ୍ୟ ବ୍ୟୁରୋ ମୁଖ୍ୟ ଅଶୋକ ପ୍ରଧାନ, ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଡ଼. ଅଶୋକ ପଣ୍ଡା, ଶରତ ଚନ୍ଦ୍ର ନନ୍ଦ, ଏୟାରପୋର୍ଟ ଅଥରିଟି ଅଫ ଇଂଡ଼ିଆର ଅନ୍ୟତମ ଏୟାରପୋର୍ଟ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, ରଣଜୀ ଟ୍ରଫି ଖେଲାଳି ସୀତାଂଶୁ ଶେଖର ଷଡ଼ଙ୍ଗୀ, ମହିପାଲ ସୈାଦାଗର, ମନୋଜ ଖେତାନୀ ଏହି ବିଶ୍ୱବିଦ୍ୟାଳୟରେ ପଢିଥଲେ। ସୂଚନାଯୋଗ୍ୟ ଯେ, ୭୫ ବର୍ଷ ପୂର୍ବେ ସ୍ଥାପିତ ଏହି ଶିକ୍ଷାୟତନ ପାଇଁ ୧୯୪୫ ଅଗଷ୍ଟ ମାସରେ ସହରର ଉପକଣ୍ଠ ମାଲତୀ ଗୁଣ୍ଡେରପୁର ଠାରେ ତତ୍କାଳୀନ ଗଭର୍ଣ୍ଣର ସାର ହଥର୍ଣ୍ଣ ଲୁଇସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ସହରରୁ ଗାଡ଼ି ମୋଟର କରି ଯାଉଥିବା ଅଧ୍ୟାପକ, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅନ୍ୟ ନାଗରିକମାନେ ମାଳତୀ ଜୋରରେ ବନ୍ୟା ଯୋଗୁଁ ସଭାସ୍ଥଳରେ ପହଞ୍ଚି ନ ପାରି ଫେରି ଆସିଥିଲେ। ଯଦ୍ୱାରା ସେଠାରେ ଆଉ ସମ୍ବଲପୁର କଲେଜ ନିର୍ମାଣ ଆରମ୍ଭ ହୋଇ ପାରି ନଥିଲା। ବର୍ତ୍ତମାନ ଥିବା କୋଠାରେ ସମ୍ବଲପୁର ଜିଲ୍ଲାସ୍କୁଲ ଚାଲିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସମ୍ବଲପୁରରେ ଓଡ଼ିଶାର ରାଜଧାନୀ କରାଯାଇଥିଲା। ଏହି କୋଠାରେ ସଚିବାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସବୁ ରହିଲା। ହେଲେ ପରେ ରାଜଧାନୀ ସ୍ଥାନାନ୍ତର ହେଲା ପରେ ଏହି କୋଠାରେ ସମ୍ବଲପୁର କଲେଜ ବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କାର୍ଯ୍ୟାରମ୍ଭ କରିଥିଲା। କେମ୍ପସରେ ଅନେକ ହଷ୍ଟେଲ ଓ କିଛି କ୍ୱାର୍ଟର ରହିଛି। ଏହାର କ୍ରମବିକାଶରେ କର୍ମଯୋଗୀ ବ୍ରଜମୋହନ ପଣ୍ଡା, ଡ. ପର୍ଶୁରାମ ମିଶ୍ର, ରାଜନୈତିଜ୍ଞ ବୋଧରାମ ଦୁବେ, ଜନନେତା ବନମାଳୀ ବାବୁ, ଡ. ମାୟାଧର ମାନସିଂହ, ଡ. ପ୍ରଫୁଲ୍ଲ କୁମାର ପତି ପ୍ରମୁଖ ଅନେକ ଚିନ୍ତାଶୀଳ ବୁଦ୍ଧିଜୀବୀଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.