ସମ୍ବଲପୁର, ୨୯/୬ (ଓଡ଼ିଆ ପୁଅ) ସମ୍ବଲପୁର ସହରର ଅଇଁଠାପାଲି ଥାନା ପୋଲିସ ଗତକାଲି ଉପରବେଳା ନାକାବନ୍ଦି ଚଳାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫକରି ୫ଟି ଚୋରା ବାଇକ ଜବତ କରିଛି। ଗତମାସ ୨୭ ତାରିଖ ଦିନ ବାଟମଂଗଳା ମନ୍ଦିର ପାଖ କଲୋନୀର ଧୀରେନ୍ଦ୍ର କୁମାର ପାଢୀ ତାଙ୍କ ହିରୋ ହୋଂଡ଼ା ପେସନ ପ୍ଲସ ବାଇକ ଚୋରୀ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ଅଭିଯୁକ୍ତ ବୟାନ କ୍ରମେ ଜଣେ ରିସିଭର ଠାରୁ ଅଭିଯୋଗକାରୀ ପାଢୀଙ୍କ ବାଇକ ଜବତ କରିଥିଲେ। ଅଧିକ ତଦନ୍ତ କ୍ରମେ ଏମାନଙ୍କ ଠାରୁ ଆଉ ଚାରୋଟି ବିଭିନ୍ନ ଜାଗାରୁ ଚୋରୀ ହୋଇଥିବା ବାଇକ ଠାବ କରାଯାଇଥିଲା। ଏହି ବାଇକ ଗୁଡ଼ିକ ଯଥା କ୍ରମେ ଚଳିତ ମାସ୧, ୧୨, ୧୪ ଓ ୧୮ ତାରିଖ ଦିନ ଅଇଁଠାପାଲି ଥାନା ଇଲାକାରୁ ଚୋରୀ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଜୟରାମ ସାହୁ(୨୭) ଠାରୁ ଚାରୋଟି ଓ ଏକ ଚୋରା ବାଇକ ରଖିଥିବା ଅଇଁଠାପାଲି ର ଦୟାନିଧି ପ୍ରଧାନ(୨୭) ମଧ୍ୟ ଗିରଫ ହୋଇଥିବା ସଦର ଏସଡ଼ିପିଓ ଭବାନୀ ଶଙ୍କର ଉଦଗାତା ସୂଚନା ଦେଇଛନ୍ତି। ହୀରାଜୁଦର ଝାଙ୍କରପଡ଼ାରୁ ଜୟରାମ ସାହୁ ଏକ ବାଇକକୁ ସନ୍ଦେହ ଜନକ ଭାବେ ନେଉଥିବା ବେଳେ ସିସିଟିଭି ଫୁଟେଜରୁ ଜାଣିପାରି ଅଧିକ ତଦନ୍ତ କଲାବେଳେ ମାମଲାର ପର୍ଦ୍ଦୀଫାଶ କରିବାରେ ସକ୍ଷମ ହୋଇଥିବା ଶ୍ରୀ ଉଦଗାତା ଜଣାଇଛନ୍ତି। ଏହାଙ୍କ ଘର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ଡ଼ଂଗରପଡ଼ାରେ ବୋଲି ସେ କହିଛନ୍ତି। ବାରମ୍ବାର ବାଇକ ଚୋରୀ ପରେ ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଏହି ଧରପକଡ଼ କରିବାରେ ସଫଳ ହୋଇଥିବା ସେ ସୂଚାନା ଦେଇଛନ୍ତି।