କଳାହାଣ୍ଡି – ୧୫/୦୬/୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମଗ୍ର ଦେଶର ଛୋଟ ଛୋଟ ସହରକୁ ବିମାନ ଯୋଗାଯୋଗ କରିବା ପାଇଁ କେନ୍ଦ୍ର ସରକାର ଉଡାନ ଯୋଜନା ଘୋଷଣା କରିଥିବା ବେଳେ ଓଡିଶାର ଝାରସୁଗୁଡା ଠାରେ ଦ୍ୱିତୀୟ ବିମାନ ବନ୍ଦର କାର୍ଯ୍ୟକ୍ଷମ କରାଯାଇଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲ୍ଲା ଉକ୍ରେଳା ଠାରେ ଥିବା ସର୍ବପୁରାତନ ଏୟାରଷ୍ଟ୍ରିପ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ୧୯୬୨ ମସିହାରେ ସ୍ଥାପନ କରାଯାଇଥିବା ଏହି ଉକ୍ରେଳା ଏୟାରଷ୍ଟ୍ରିପ ରୁ ଭୂବନେଶ୍ୱର, ରାୟପୁର, ବିଶାଖାପାଟଣା ଆଦି ବିଭିନ୍ନ ସ୍ଥାନକୁ ବିମାନ ଉଡାଣ କରାଯିବାର କ୍ଷମତା ରହିଥିବା ଜଣାପଡିଛି । ଗତ ୨୦୧୬ ମେ ୨୩ ତାରିଖ ଦିନ ପରୀକ୍ଷା ମୂଲକ ଭାବେ ଏଠାକୁ ଭୂବନେଶ୍ୱର ଠାରୁ ଏୟାର ଓଡିଶା ପକ୍ଷରୁ ବିମାନ ଉଡାଣ କରାଯାଇଥିଲା ଏବଂ ୨୦୧୭ ରେ ଭୂବନେଶ୍ୱର ବିମାନ ବନ୍ଦର ରୁ ଉକ୍ରେଳାକୁ ବିମାନ ଉଡାଣ କରାଯିବାର ଘୋଷଣା କରାଯାଇଥିଲା । ପ୍ରାୟ ୩୨ ଏକର ଜମିରେ ନିର୍ମିତ ଏହି ଉକ୍ରେଳା ବିମାନ ପଡିଆର ଉନ୍ନତି ପାଇଁ ଗତ ୨୦୧୬-୧୭ ଆର୍ଥôକ ବର୍ଷରେ ୩ କୋଟୀ ବ୍ୟୟ ଅଟକଳରେ ରନୱେ, ବାଡ, ରାସ୍ତା, ପିଚ, ଡ୍ରେନ ଇତ୍ୟାଦି ର ସଂପ୍ରସାରଣ କରାଯାଇଥିବା ଜଣାପଡିଛି । ରନୱେର ଦୈର୍ଘ୍ୟ ଦକ୍ଷିଣରୁ ଉତରକୁ ୯୧୮ ମିଟର ଥିବା ବେଳେ ପୂର୍ବରୁ ପଶ୍ଚିମକୁ ଓସାର ୩୨ ମିଟର ଥିବା କୁହାଯାଉଛି । ସେହିପରି ଏହି ଉଡାଜାହାଜ ପଡିଆକୁ ସଂପ୍ରସାରଣ ଓ ଉନ୍ନତିକରଣ କରିବା ପାଇଁ ପାଶ୍ୱର୍ସ୍ଥ ୩୪୦ ଏକର ଜମି ଅଧିଗ୍ରହଣ କରିବାକୁ ପୂର୍ତ ବିଭାଗ ପକ୍ଷରୁ ସରକାରଙ୍କୁ ଗତ ୨୦୧୪-୧୫ରେ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ଗତ ୨୦୧୩-୧୪ରେ ୧କୋଟୀ ବ୍ୟୟ ଅଟକଳରେ ପିଚୁ କାମ ତଥା ବିମନ ପଡିଆ ଠାରୁ ଜାତୀୟ ରାଜପଥକୁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇ ଥିବା ବେଳେ ଏଠାରେ ୧୨ରୁ ୫୦ ସିଟ ବିଶିଷ୍ଟ ବିମାନ ଅବତରଣର ସମସ୍ତ ସୁବିଧା କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଅନ୍ୟାନ୍ୟ ଆନିଷଙ୍ଗିକ ବ୍ୟବସ୍ଥା ଯଥା ସିଗନାଲ ରୁମ,ବିଶ୍ରାମ ଗୃହ,ଇତ୍ୟାଦି ମଧ୍ୟ ପ୍ରାୟତଃ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି । ଏହି ବିମାନ ପଡିଆଠାରେ ବିମାନ ଯୋଗାଯୋଗ ବ୍ୟବସ୍ଥା ଚାଳୁରଖିବା ପାଇଁ ଜିଲ୍ଲାର ଜନପ୍ରତିନିଧିମାନେ ବାରମ୍ବାର ଦାବୀ କରୁଥିଲେହେଁ ଅଦ୍ୟାବଧି ଉକ୍ରେଲା ବିମାନ ପଡିଆ ରେ ବିମାନ ଅବତରଣ ବ୍ୟବସ୍ଥା କରାଯାଉନାହିଁ । ଉକ୍ରେଲା ବିମାନ ପଡିଆରେ ପ୍ରସ୍ତାବିତ ପ୍ରାୟ ସମସ୍ତ କାର୍ଯ୍ୟ କରାଯାଇଥିବା ପୂର୍ତ ବିଭାଗ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ । କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାମିଲ କରାଗଲେ ଏହି ବିମନ ପଡିଆରେ ନିୟମିତ ବିମାନ ଅବତରଣ କରିବା ସହିତ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।






