Home ଜିଲ୍ଲା ପରିକ୍ରମା ସରକାରୀ ବିଦ୍ୟାଳୟରେ ପ୍ରତିଷ୍ଠା ହେବ ‘ଏଆଇ ଇନୋଭେସନ୍ ଓ ସ୍କିଲିଂ ହବ୍‌’, ଭଦ୍ରକ ଜିଲ୍ଲା ପ୍ରଶାସନ...

ସରକାରୀ ବିଦ୍ୟାଳୟରେ ପ୍ରତିଷ୍ଠା ହେବ ‘ଏଆଇ ଇନୋଭେସନ୍ ଓ ସ୍କିଲିଂ ହବ୍‌’, ଭଦ୍ରକ ଜିଲ୍ଲା ପ୍ରଶାସନ ଓ ୱାନ୍ ଫ୍ୟୁଚର୍ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

1

ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆଧୁନିକ, ବୈଷୟିକ ଏବଂ ଡିଜିଟାଲ୍ ଭିତିକ କରିବା ସହ ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ପ୍ରଯୁକ୍ତି ଶିକ୍ଷାର ସୁଯୋଗ ଯୋଗାଇବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରସ୍ଥିତ ୱାନ୍ ଫ୍ୟୁଚର୍ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ପାଂଚବର୍ଷୀୟ ଭାଗିଦାରୀ ଅଧୀନରେ ଭଦ୍ରକ ଜିଲ୍ଲାର ମନୋନୀତ ସରକାରୀ ବିଦ୍ୟାଳୟଗୁଡ଼ିକରେ ‘ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ (ଏଆଇ) ଇନୋଭେସନ୍ ଓ ସ୍କିଲିଂ ହବ୍‌’ ପ୍ରତିଷ୍ଠା କରାଯିବ। ଭଦ୍ରକ ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ୱାନ୍ ଫ୍ୟୁଚର୍ ଫାଉଣ୍ଡେସନର ନିର୍ଦ୍ଦେଶକ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି–୨୦୨୦, ଡିଜିଟାଲ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ପିଏମ୍ ଶ୍ରୀ ବିଦ୍ୟାଳୟ ଯୋଜନା, ଓଡ଼ିଶାର ଡିଜିଟାଲ୍ ଶିକ୍ଷା ଲକ୍ଷ୍ୟ ଏବଂ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ–୪ (ଏସଡିଜି-୪) ସହ ସାମଞ୍ଜସ୍ୟ ରଖୁଛି। ଏହି ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହିଥିଲେ ଯେ, ଏହି ପାଂଚବର୍ଷୀୟ ସହଯୋଗ ଜିଲ୍ଲାର ଗ୍ରାମାଂଚଳ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ (ଏଆଇ), ରୋବୋଟିକ୍ସ, କୋଡିଂ ଓ ଇଂଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଭଳି ଆଧୁନିକ ପ୍ରଯୁକ୍ତିରେ ଦକ୍ଷ କରି ଭବିଷ୍ୟତ ପାଇଁ ଏକ ସକ୍ଷମ ଡିଜିଟାଲ୍ ପିଢ଼ି ଗଢ଼ି ତୋଳିବ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ କହିଥିଲେ ଯେ, ବର୍ତମାନ ସମୟରେ ଇଓ, ରୋବୋଟିକ୍ସ ଓ ଡାଟା ସାଇନ୍ସ ଭଳି କ୍ଷେତ୍ର ସମଗ୍ର ବିଶ୍ୱର କାର୍ଯ୍ୟଧାରାକୁ ପରିବର୍ତନ କରୁଛି। ଏହି ସହଯୋଗ ମାଧ୍ୟମରେ ଭଦ୍ରକ ଜିଲ୍ଲା ସରକାରୀ ବିଦ୍ୟାଳୟ ଶିକ୍ଷାରେ ନୂତନ ପ୍ରଯୁକ୍ତିର ସମନ୍ୱୟ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଏବଂ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସମାନ ସୁଯୋଗ ପାଇବେ। ଏହି ପଦକ୍ଷେପ ମାଧ୍ୟମରେ ପାରମ୍ପରିକ ଶିକ୍ଷାଦାନ ସହ ବ୍ୟବହାରିକ ଓ ପ୍ରକଳ୍ପ-ଭିତିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ଇଓ ଇନୋଭେସନ୍ ଓ ସ୍କିଲିଂ ହବ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମ୍ପ୍ୟୁଟେସନାଲ୍ ଚିନ୍ତାଧାରା, ସୃଜନଶୀଳ ସମସ୍ୟା ସମାଧାନ କୌଶଳ ଏବଂ ଷ୍ଟାର୍ଟଅପ୍ ମନୋଭାବର ବିକାଶ ଘଟିବ। ଏଥିସହ ଅତ୍ୟାଧୁନିକ ଭିତିଭୂମି, ସମନ୍ୱିତ ପାଠ୍ୟକ୍ରମ, ବିଭିନ୍ନ ସ୍ତରର ପ୍ରତିଯୋଗିତା ଏବଂ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ୱାନ୍ ଫ୍ୟୁଚର୍ ଫାଉଣ୍ଡେସନର ମୁଖ୍ୟ ପରାମର୍ଶଦାତା ଶାରଦା ପ୍ରସାଦ ପଣ୍ଡା କହିଥିଲେ ଯେ, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଚିନ୍ତାଧାରା ଓ ସମସ୍ୟା ସମାଧାନ ଦକ୍ଷତା ବିକଶିତ କରିବା ଫାଉଣ୍ଡେସନର ପ୍ରମୁଖ ଲକ୍ଷ୍ୟ। ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ କାର୍ଯ୍ୟ କରି ଗ୍ରାମାଂଚଳରେ ଅତ୍ୟାଧୁନିକ ଶିକ୍ଷା ପହଂଚାଇବା ସହ ଭବିଷ୍ୟତର ଦକ୍ଷ ନେତୃତ୍ୱ ସୃଷ୍ଟି କରାଯିବ। ଫାଉଣ୍ଡେସନ୍ ପକ୍ଷରୁ ବୟସ ଉପଯୋଗୀ ଶିକ୍ଷାଦାନ ମଡ୍ୟୁଲ୍ ପ୍ରସ୍ତୁତ ଓ ପରିଚାଳନା କରାଯିବ। ପାଠ୍ୟକ୍ରମରେ ଇଓ, ରୋବୋଟିକ୍ସ, କୋଡିଂ, ଡିଜାଇନ୍ ଥିଙ୍କିଂ, ଇଓ ନୈତିକତା, ଡିଜିଟାଲ୍ ସୁରକ୍ଷା ଏବଂ ଜଳବାୟୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଭଳି ବିଷୟଗୁଡ଼ିକ ସାମିଲ ରହିବ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା, ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ପ୍ରଦାନ ଏବଂ ବିଶେଷକରି ଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଜିଲ୍ଲା ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ କାର୍ଯ୍ୟ କରିବେ। କମିଟିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ୱାନ୍ ଫ୍ୟୁଚର୍ ଫାଉଣ୍ଡେସନର ପ୍ରତିନିଧି ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ସଦସ୍ୟ ଭାବେ ରହିବେ। ବୁଝାମଣା ପତ୍ର ସ୍ୱାକ୍ଷର ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ୱାନ୍ ଫ୍ୟୁଚର୍ ଫାଉଣ୍ଡେସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.