ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଦସ୍ୟମାନଙ୍କ ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଦୋଳସାହି ସ୍ଥିତ ଯୋଗୀ ଋଷି ଲଛମନ ଦାସ ଶିଶୁ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ, କଟକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ ସମିତି, ଭଦ୍ରକଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କର୍ମଶାଳାରେ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ସରପଂଚ ଗୌରୀଶଙ୍କର ଯେନା, ଆଇସିଡିଏସ୍?ର ମହିଳା ପରିଦର୍ଶିକା ମଞ୍ଜୁଶ୍ରୀ ପତି, ଶିଶୁ ସୁରକ୍ଷା କମିଟି ର ସଦସ୍ୟ ଅଶୋକ କୁମାର ନାୟକ ଓ ସୁକୁମାର ପତି ସମେତ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ସାମାଜିକ ଆଇନ ପରାମର୍ଶ ଅଧିକାରୀ ସୁବ୍ରତ ଦାସ, ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ମଲ୍ଲିକ ଏବଂ ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଫଳପ୍ରସୂ କରିବା ଉପରେ ମତବ୍ୟକ୍ତ କରିଥିଲେ।ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂ ବିଷୟ ବିଶେଷଜ୍ଞ ଭାବେ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ଗଠନ, ଭୂମିକା, ଦାୟିତ୍ୱ ଓ କାର୍ଯ୍ୟକାରିତା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।ଏହି କର୍ମଶାଳା ରେ ଶିଶୁ ସୁରକ୍ଷା ସମିତିର ସମସ୍ତ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାମାଜିକ ପ୍ରତିନିଧିମାନେ ଉପସ୍ଥିତ ରହି ଖୋଲା ମଂଚ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ସଂଯୋଗର ମଣ୍ଡଳ ସଂଯୋଜକ ଜଗନ୍ନାଥ ସାହୁ, ରିଙ୍କୁ ବିଶ୍ୱାଳ,ବିକାଶ ମହାନ୍ତି ସହଯୋଗ କରିଥିବା ବେଳେ ଯୋଗିଋଷୀ ଲଛମନ ଦାସ ଶିଶୁ ଆଶ୍ରମ ର ସମ୍ପାଦକ ଲୋକନାଥ ପତି, ଅଧୀକ୍ଷକ ଜ୍ୟୋତି ପ୍ରକାଶ ପତି,ହିସାବ ରକ୍ଷକ ଚକ୍ରଧର ମହାରଣା , ପରାମର୍ଶଦାତା ରଶ୍ମିରଂଜନ ବେହେରା,ମିଲନ ଭାଟ ରାଏ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ପରିଶେଷରେ ସରପଂଚ ଶ୍ରୀଯେନା ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।








