ଯାଜପୁର ୨୨/୪ (ଓଡ଼ିଆ ପୁଅ/ମାନସ ରାଉତ)- ରାଜ୍ୟରେ ଅନେକ ସରକାର ଆସୁଛି ଏବଂ ଯାଉଛି। ସାଧାରଣ ଲୋକଙ୍କ ଭୋଟ ନେଇ ନେତାମାନେ ରାଜଧାନୀରେ ମଉଜ ମଜଲିସ କରୁଥିବା ବେଳେ ଗାଁ ଭିତରେ ପଡିଥିବା ଦୁଃଖୀ ରଙ୍କିଙ୍କ ପାଇଁ ଟିକିଏ ବି ଦରଦ ନାହିଁ। ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଂଚାୟତର ଖରମଙ୍ଗୀ ଗ୍ରାମର ଅଧିବାସୀ ବିଶ୍ୱନାଥଙ୍କ କରୁଣ କାହାଣି ସତେ ଯେମିତି ହୃଦୟ ବିଦାରକ, କେହି ନଦେଖିଲେ ଅନୁଭବ କରିପାରିବେ ନାହିଁ। ବିଜୁ ବାବୁଙ୍କୁ ଭଲ ପାଉଥିବା ଏବଂ ତାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ନାଟକ ମାଧ୍ୟମରେ ପ୍ରଚାର କରିବା କଥା କାହାକୁ ଅଛପା ନାହିଁ। ସମଗ୍ର ଯାଜପୁର ଜିଲ୍ଲାର ଅନେକ ଅଂଚଳରେ ନିଜର କଳା ନୌପୂଣ୍ୟ ପ୍ରଦର୍ଶନ କରି ତାଙ୍କ ଯୁବାବସ୍ଥାରେ ବେଶ ଆଦୃତ ହୋଇଥିଲେ। ଏକାଥରକେ ୨୦ରୁ ଉର୍ଦ୍ଧ ବାଦ୍ୟ ଯନ୍ତ୍ର ବଜାଇବା ସହ ସଙ୍ଗୀତ ପରିବେଷଣ କରିବା ତାଙ୍କର ଯେମିତି ନିଶା ହୋଇଯାଇଥିଲା। ବିଭିନ୍ନ ଗ୍ରାମକୁ ଯାଇ କୀର୍ତନ, ନାଟ୍ୟ ମଂଚ ଆଦି କାର୍ଯ୍ୟକ୍ରମରେ ଯୋଗଦାନ କରି ଅନ୍ୟ କଳାକାରମାନଙ୍କୁ ବାଦ୍ୟ ଯନ୍ତ୍ର ଓ ସଙ୍ଗୀତ ଶିକ୍ଷା ଲାଭ ସେ ଦେଇଥାନ୍ତି। କିନ୍ତୁ ତା ପ୍ରତି ବଦଳରେ କାହାକୁ ବି ସେଭଳି ଆର୍ଥିକ ପାରିଶ୍ରମିକ ଦାବି କରି ନଥାନ୍ତି। ବୟସର ଅପରାହ୍ନରେ ସତେ ଯେମିତି ସେ ଆଜି ନିଜର ଅସହାୟତା ପରିପ୍ରକାଶ କରିଛନ୍ତି। ତାଙ୍କର ଏକମାତ୍ର ପୁଅ ତାଙ୍କୁ ଛାଡି ନିଜ ଶ୍ୱଶୁର ଘରକୁ ଚାଲିଗଲା ବେଳେ ଏକ ଭଙ୍ଗା କୁଡିଆ ଘରେ ବହୁ ଅଭାବ ଅନଟନ ଭିତରେ ପଡି ରହିବା ସହ ନିଜ ଭୋକ ମେଂଟାଇବା ପାଇଁ ଭିକ୍ଷା ବୃତିକୁ ଆପଣାଇ ନେଇଛନ୍ତି। ୧୦ ବର୍ଷ ପୂର୍ବରୁ ନିଜର ଗୃହ ନିର୍ମଣ ପାଇଁ ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ଅଳ୍ପ କିଛି ଅର୍ଥ ପାଇ ଏକ ଅର୍ଦ୍ଧ ନିର୍ମିତ ଗୃହ କରିଛନ୍ତି। ଅବଶିଷ୍ଟ ଅର୍ଥ ନମିଳିବାରୁ ସେ ପଥର କାନ୍ଥ ଉପରେ ଚାଳଛପର କରି ସେଠାରେ ସିଏ ଏକୁଟିଆ ବସବାସ କରୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଖାଦ୍ୟ ସୁରକ୍ଷା କିମ୍ବା କଳାକାର ଭତାଟିଏ ଆଜି ଯେମିତି ତାଙ୍କ ପାଇଁ ସାତ ସପନ ପାଲଟିଯାଇଛି। ନିଜର କେହି ନଥିବାରୁ କୌଣଶି ବଡ ବଡିଆ ବାବୁଙ୍କୁ ହାତଗୁଞ୍ଜା ଦେଇ ପାରି ନଥିବାରୁ ନା କୌଣସି ନିର୍ବାଚିତ ରାଜନୈତିକ ନେତା କିମ୍ବା ପ୍ରଶାସନିକ ଅଧିକାରୀ ତାଙ୍କ ଦୁଃଖରେ ସହଭାଗିତା ହୋଇ ସହ ଯୋଗର ହାତ ବଢାଇବାର ଆନ୍ତରିକତା ଦେଖାଉନାହାନ୍ତି। ଏ ହେଉଛି ବଡଚଣାର ବିକାଶର ଚିତ୍ର।