ମାଲକାନଗିରି, ୪ା୩(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ହାଇସ୍କୁଲ ରେ ୧୦୮ ପିଲାଙ୍କ ମାଟ୍ରିକ ଖାତା ଗାଏବ ଘଟଣାରେ ୫ଜଣ ଆଜି ଗିରଫ ହେବା ସହିତ ୩ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଗତ ଶନିବାର ଦିନ ଗଣିତ ବିଷୟରେ ପରୀକ୍ଷା ଥିଲା, ପଡିଆ ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ସରକାରୀ ଉଚ୍ଚବିଦ୍ୟାଳୟ (ଏସଏସଡି ହାଇସ୍କୁଲ) କେନ୍ଦ୍ରରେ ୧୦୮ଜଣ ପରୀକ୍ଷାର୍ଥୀ ପ୍ରଥମ ସିଟିଂ ରେ ଗଣିତ ବିଷୟର ୫୦ ମାର୍କର ସଂକ୍ଷିପ୍ତ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରେ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଓ ଅନ୍ୟା ଶିକ୍ଷକ ମାନେ ଖାତାଗୁଡିକୁ ସଂଗ୍ରହ କରି ପ୍ରଧାନ ଶିକ୍ଷକଙ୍କ କୋଠରୀରେ ରଖିଦେଇଥିଲେ। ଦ୍ୱିତୀୟ ସିଟିଂରେ ଗଣିତ ବିଷୟର ଲଙ୍ଗଟାଇପ ପ୍ରଶ୍ନର ପରୀକ୍ଷା ହୋଇଥିଲା। ସେ ପରୀକ୍ଷା ସରିବା ପରେ ଖାତା ରଖିବାକୁ ଯାଇ ଦେଖିଲା ବେଳକୁ ପ୍ରଥମ ସିଟିଂର ୧୦୮ଟି ଓଏମଆର ସିଟ ମିଳି ନଥିଲା, କଡାପୁଲିସ ସୁରକ୍ଷା ବଳୟରେ ୧୦୮ଟି ଓଏମଆର ସିଟ ପ୍ରଧାନଶିକ୍ଷକଙ୍କ ଅଫିସ ରୁମ ଭିତରୁ କିପରି ଗାଏବ ହୋଇଗଲା ତାହା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ଓ ଶନିବାର ରାତ୍ର ତମାମ ଖୋଜା ଖୋଜି କରି ସେଗୁଡିକୁ ନ ପାଇବାରୁ ବାଧ୍ୟ ହୋଇ ରବିବାର ଦିନ ପଡିଆ ଥାନା, ଜିଲ୍ଲା ପ୍ରଶାସନ ଓ କଟକ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏ ଘଟଣା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀ ଜାଣିବା ପରେ ପଡିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ସୁପରିଟେଣ୍ଡେଣ୍ଟ, ସହାକାରି ସୁପରି ଟେଣ୍ଡେଣ୍ଟ, ଅବଜର୍ଭର ଓ ଅନ୍ୟାନ କର୍ମଚାରି ମାନଙ୍କ ନାମରେ ପଡିଆ ଥାନାରେ ଏତଲା ଦେଇଥିଲେ। ସହକାରି ଏସପି ଉଦ୍ଧବ ଚରଣ ନାୟକ, ପଡିଆ ଥାନା ଅଧିକାରୀ ବିଷ୍ଣୁ ନାୟକ ପଡିଆ ହାଇସ୍କୁଲରୁ ୧୦୮ଟି ଓଏମଆର ସିଟ ଗାଏବ ଘଟଣାର ତଦନ୍ତ କରି ଉକ୍ତବିଦ୍ୟାଳୟର ୫ଜଣଙ୍କୁ ଗତକାଲିଠାରୁ ଥାନାରେ ଅଟକ ରଖି ଜେରା ଆରମ୍ଭ କରିଥିଲେ। ତଦନ୍ତ ଦୁଇଦିନ ବିତିଗଲାପରେ ମଧ୍ୟ ଗାଏବ ହୋଇଥିବା ୧୦୮ଟି ମାଟ୍ରିକ ଖାତା ର କୌଣସି ପତା ନମିଳିବାରୁ ଆଜି ଅପରାହ୍ନରେ ପଡିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ବିଦ୍ୟୁତ କୁମାର ପାତ୍ର, ସହକାରି ସୁପରି ଟେଣ୍ଡେଣ୍ଟ ଶତୃଘ୍ନ ସ୍ୱାଇଁ, ଅବଜର୍ଭର ସନ୍ଦୀପ କୁମାର ସାହୁ, ଶିକ୍ଷକ ଜଳନ୍ଧର ବେହେରା, ପିଅନ ଏସ.ପ୍ରିୟ ସେଠୀଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଗୋଠନପାଲି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରାଙ୍କୁ ନିଲମ୍ବନ କରିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦିପ୍ତ କୁମାର ପଣ୍ଡା ପଡିଆ ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟୁତ କୁମାର ପାତ୍ର, ସହାକରି ଶିକ୍ଷକ ଶତୃଘ୍ନ ସ୍ୱାଇଁଙ୍କୁ ନିଲମ୍ବନ କରିଥିବାର ସୂଚନା ମିଳିଛି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଓ ବିବାଦ ପିଛା ଛାଡୁନାହିଁ। ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ମାଟ୍ରିକ ପରୀକ୍ଷାରେ ପରିଚାଳନାଗତ ତୃଟି ଯୋଗୁଁ ନିରିହ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ କୁନେଇ ଖେଳ ଖେଳାଯାଉଥିବାରୁ ପରୀକ୍ଷାର୍ଥୀ ମାନେ ବଳିପଡୁଛନ୍ତି, ମାଟ୍ରିକ ପରୀକ୍ଷାରେ କେନ୍ଦ୍ରକୁ ପରୀକ୍ଷାର୍ଥୀ ମାନଙ୍କୁ ବାରମ୍ବାର ଜାଞ୍ଚ ଓ କେନ୍ଦ୍ରରେ ତ୍ରୀସ୍ତରୀୟ କଡାପୁଲିସ ସୁରକ୍ଷା ମଧ୍ୟରେ ପ୍ରଧାନ ଶିକ୍ଷକଙ୍କ କୋଠରୀରୁ କିପରି ୧୦୮ଜଣ ପରୀକ୍ଷାର୍ଥୀଙ୍କ ଗଣିତ ଖାତା ଗାଏବ ହୋଇଗଲା ସେ ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାସହ ରାଜ୍ୟରେ ମୁଖ୍ୟଚର୍ଚ୍ଚାର ବିଷୟ ପାଲଟିଛି। ତିନି ଦିନ ବତିଗଲାପରେ ମଧ୍ୟ ଗାଏବ ମାଟ୍ରିକ ଖାତାର ପତା ମିଳୁନଥିବାରୁ କେତକ ପରୀକ୍ଷାର୍ଥୀ ମାନଙ୍କ ନିରକ୍ଷର ସରଳ ଅଦିବାସୀ ଅଭିଭାବକ ମାନେ ଏହା ଡୁମା(ଭୂତର) କାମ ହୋଇଥାଇ ପାରେ, ପ୍ରଧାନଶିକ୍ଷକଙ୍କ କୋଠରୀ ଓ ବିଦ୍ୟାଳୟରେ ଡୁମା ପୂଜା କରିବାପାଇଁ ପରାମର୍ଶ ଦେଉଛନ୍ତି।






