Home ଓଡ଼ିଶା ରାଜ୍ୟ ପ୍ରଶାସନରେ ୫ଟି ପ୍ରଚାର – ଏକ ପ୍ରହସନ, ମନଗଢା ଏବଂ ମିଥ୍ୟା ପ୍ରଚାର :...

ରାଜ୍ୟ ପ୍ରଶାସନରେ ୫ଟି ପ୍ରଚାର – ଏକ ପ୍ରହସନ, ମନଗଢା ଏବଂ ମିଥ୍ୟା ପ୍ରଚାର : ଓଡ଼ିଆ ଲୋକଙ୍କୁ ବୋକା ଭାବୁଛି ପ୍ରଶାସନ

205

ଭୁବନେଶ୍ୱର, ୩୧.୮ (ଓଡ଼ିଆ ପୁଅ) : ରାଜ୍ୟ ପ୍ରଶାସନରେ ୫ଟିକୁ ମୁଖ୍ୟମନ୍ତ୍ରୀଙ୍କର ଗୁରୁମନ୍ତ୍ର ଏବଂ ପ୍ରଶାସନର ସମସ୍ତ ସ୍ତରରେ ଏହାକୁ କାର୍ଯ୍ୟକାରୀ କରେଇବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି। ଏହି ୫ଟି ସ୍ୱଚ୍ଛତା (ଟ୍ରାନ୍ସପରେନ୍ସି) ଏକ ମୁଖ୍ୟ ସ୍ଲୋଗାନ। ପ୍ରଶାସନରେ ବ୍ୟାପକ ସ୍ୱଚ୍ଛତା ରକ୍ଷା କରାଯାଉଛି ବୋଲି ପ୍ରଚାର ଲୋକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ କରାଯାଇଛି।

୨୦୦୫ ମସିହାରୁ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରଖିବା ପାଇଁ ସୂଚନା ଅଧିକାର ଆଇନ୍ କାର୍ଯ୍ୟକାରୀ ହୋଇ ଆସୁଅଛି। ଏହି ଆଇନ୍ର ଧାରା ୪(୧) (ବି) ଅନୁଯାୟୀ ସମସ୍ତ ସରକାରୀ ବିଭାଗ ସ୍ୱେଚ୍ଛାକୃତ ଭାବେ ୭ ପ୍ରକାରର ତଥ୍ୟ ସ୍ଥାନୀୟ ଭାଷା ଅର୍ଥାତ୍ ଓଡ଼ିଆ ଭାଷାରେ ପ୍ରକାଶ କରିବେ। ଏହିସବୁ ତଥ୍ୟ ପ୍ରତିବର୍ଷ ପ୍ରତ୍ୟେକ କର୍ତ୍ତୃପକ୍ଷ ବା ସରକାରୀ କାର୍ଯ୍ୟାଳୟ ନବୀକରଣ (ଅପଡ଼େଟେଡ଼) କରିବେ। ଏହିସବୁ ତଥ୍ୟଗୁଡ଼ିକ ହେଲା ସରକାରୀ କାର୍ଯ୍ୟାଳୟ ଗଠନର ଉଦ୍ଦେଶ୍ୟ, କାର୍ଯ୍ୟ, ନୀତିନିୟମ, କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା, ସବ୍ସିଡ୍ କାର୍ଯ୍ୟକ୍ରମ, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା କାର୍ଯ୍ୟାଳୟରେ କାର୍ଯ୍ୟରତ ଅଫିସର, ଷ୍ଟାଫମାନଙ୍କର ସବିଶେଷ ବିବରଣୀ, ଜନସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନାମ ଓ ମୋବାଇଲ୍ ନମ୍ବର ଇତ୍ୟାଦି ସ୍ୱେଚ୍ଛାକୃତ (ଭଲ୍ୟୁଣ୍ଟାରୀ) ପ୍ରକାଶ କରିବେ। ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯିବ। ଏହିସବୁ ବିଜ୍ଞାପନ ଜରିଆରେ ବ୍ୟାପକ ପ୍ରଚାର କରାଯିବ। ଏହିସବୁ ତଥ୍ୟ ହାସଲ ପାଇଁ ନାଗରିକମାନେ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବେ ଏବଂ ଇନ୍ସପେକ୍ସନ କରିବେ।

ଓଡ଼ିଶା ସୂଚନା ଅଧିକାର ସଂଶୋଧନ ନିୟମାବଳୀ, ୨୦୦୬ ଅନୁଯାୟୀ ପ୍ରତି ସରକାରୀ କାର୍ଯ୍ୟାଳୟରେ ଏକ ରେଜିଷ୍ଟର ରହିବ। ଯେଉଁ ନାଗରିକମାନେ ଉକ୍ତ ତଥ୍ୟ ହାସଲ କରିବାକୁ ଯିବେ, ସେମାନଙ୍କର ସବିଶେଷ ବିବରଣୀ ଏହି ରେଜିଷ୍ଟରରେ ସ୍ଥାନ ପାଇବ।

ପ୍ରଥମରୁ ରାଜ୍ୟ ସରକାର ସୂଚନା ଆଇନ୍ରେ ଏହି ବ୍ୟବସ୍ଥାକୁ ନଷ୍ଟ କରିଦେବାର ଚକ୍ରାନ୍ତ କଲେ। କିନ୍ତୁ ସୂଚନା ଅଧିକାର କର୍ମୀମାନଙ୍କର ଲଗାତର ଆନ୍ଦୋଳନ ଏବଂ ସୂଚନା କମିଶନଙ୍କ ଲଗାତର ନିର୍ଦ୍ଦେଶ ଯୋଗୁ ରାଜ୍ୟ ସରକାର ୨୦୦୯ ମସିହାରେ ଏକ ସ୍ୱତନ୍ତ୍ର ୱେବସାଇଟ୍ (rtiodisha.in) ଖୋଲିଲେ ଏବଂ ସମସ୍ତ ସରକାରୀ ବିଭାଗ ଏବଂ ଏହାର ଅଧିନସ୍ଥ କାର୍ଯ୍ୟାଳୟଗୁଡ଼ିକ ଯଥା ରାଜ୍ୟପାଳଙ୍କ ଦପ୍ତର ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତଙ୍କ ଆଇନ୍ର ଧାରା ୪(୧)(ବି) ସ୍ୱେଚ୍ଛାକୃତ ପ୍ରକଟନ ୧୭ଟି ତଥ୍ୟ ସ୍ଥାନ ପାଇବ। ଯାହାଦ୍ୱାରା ସମସ୍ତ ନାଗରିକ ଦେଶର ଯେକୌଣସି ତଥ୍ୟ ଏହି ୱେବସାଇଟ୍ରୁ ହାସଲ କରିପାରିବେ।

ଏହି ୱେବସାଇଟ୍ରେ ବିଭିନ୍ନ ବିଭାଗର ତଥ୍ୟ ଇଂରାଜୀରେ ସ୍ଥାନିତ ପାଇଛି ଯାହାକି ଓଡ଼ିଆ ଭାଷାରେ କରାଯିବା କଥା। ତେଣୁ ଳକ୍ଷାଧିକ ଜନସାଧାରଣ ଏହି ତଥ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦ୍ୱିତୀୟରେ ଏହିସବୁ ତଥ୍ୟଗୁଡ଼ିକ (ଅପଡ଼େଟେଡ଼) କରାଯାଉ ନାହିଁ ଯଥା ରାଜ୍ୟପାଳଙ୍କ ଦପ୍ତରର ତଥ୍ୟ ୨୦୧୭ ମସିହାରୁ ନବୀକରଣ କରାଯାଉ ନାହିଁ। ଓଡ଼ିଶା ବିଧାନସଭାର ଏହିସବୁ ତଥ୍ୟ ୨୦୧୩ ମସିହାରୁ ନବୀକରଣ ହୋଇନାହିଁ। ସଂସଦୀୟ ବ୍ୟାପାର ବିଭାଗର ତଥ୍ୟ ୨୦୧୪ ମସିହାରୁ ଅପଡ଼େଟେଡ଼ ହୋଇନାହିଁ। ଓଡ଼ିଶା ଲୋକସେବା କମିଶନଙ୍କ ତଥ୍ୟ ୨୦୧୦ ମସିହାରୁ ନବୀକରଣ ହୋଇନାହିଁ। ବିଭିନ୍ନ ବିଭାଗ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ୨୦୧୪ ମସିହା ପର୍ଯ୍ୟନ୍ତ ତଥ୍ୟ ରହିଛି। ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ସ୍ୱେଚ୍ଛାକୃତ ତଥ୍ୟ ୨୦୦୯ ପର୍ଯ୍ୟନ୍ତ ରହିଛି। ଏପର୍ଯ୍ୟନ୍ତ କୌଣସି ବିଭାଗ ଓଡ଼ିଆ ଭାଷାରେ ଏହିସବୁ ତଥ୍ୟ ପ୍ରକାଶ କରିନାହାଁନ୍ତି।

୨୯.୬.୨୦୧୭ରିଖରେ ସୂଚନା ଲୋକସମ୍ପର୍କ ବିଭାଗ ସମସ୍ତ ବିଭାର ଜନସୂଚନା ଅଧିକାରୀଙ୍କୁ ଧାରା ୪(୧) (ବି) ସ୍ୱେଚ୍ଛାକୃତ ତଥ୍ୟ ତୁରନ୍ତ ୱେବ୍ସାଇଟରେ ଦେବା ପାଇଁ ଓଡ଼ିଆଭାଷାରେ ପ୍ରକାଶ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୨୨.୬.୨୦୧୯ରେ ପୁଣିଥରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରତ୍ୟେକ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି ଏହିସବୁ ତଥ୍ୟ ଇଂରାଜୀ ଓ ଓଡ଼ିଆଭାଷାରେ ଅପଡ଼େଟେଡ଼ ପାଇଁ କହିଛନ୍ତି। କିନ୍ତୁ ଏହିସବୁ ବିଭାଗୀୟ ସର୍କୁଲାରକୁ କୌଣସି ବିଭାଗ ଧ୍ୟାନ ଦେଉନାହାଁନ୍ତି।

ସେହିପରି ରାଜ୍ୟ ସରକାର ଅନ୍ଲାଇନ୍ରେ ସୂଚନା ପାଇଁ ଆବଦେନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ବ୍ୟବସ୍ଥା ଦୀର୍ଘବର୍ଷ ଧରି ଅକାମୀ ହୋଇ ପଡ଼ିରହିଛି। ତେଣୁ ସ୍ୱଚ୍ଛ ଶାସନ ବା ସ୍ୱଚ୍ଛତା କଥା କହିଲେ ସୂଚନା ଆଇନ୍ର ବିଧିବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଇଲେ ଏହା ସମ୍ଭବ ହେବ ବୋଲି ସୂଚନା ଅଧିକାରୀମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ନଚେତ୍ ଅଯଥା ସ୍ୱଚ୍ଛତାର ମିଥ୍ୟା ସ୍ଲୋଗାନ ଏବଂ ପ୍ରଚାରରୁ ନିବୃତ୍ତ ରହିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ସୁଧୀର ମହାନ୍ତି, ଚିତ୍ତରଞ୍ଜନ ସେନାପତି, ଜ୍ଞାନରଞ୍ଜନ ମହାପାତ୍ର, ଶ୍ରୀକାନ୍ତ ପାକଳ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.