Home ଜିଲ୍ଲା ପରିକ୍ରମା ୯ ବର୍ଷରେ ୨୩୯୪ ଟି ସଡକ ଦୁର୍ଘଟଣା, ୫ ବର୍ଷରେ ୮୬୫ ଜଣଙ୍କର ପ୍ରାଣ ହାନି...

୯ ବର୍ଷରେ ୨୩୯୪ ଟି ସଡକ ଦୁର୍ଘଟଣା, ୫ ବର୍ଷରେ ୮୬୫ ଜଣଙ୍କର ପ୍ରାଣ ହାନି ଘଟିଛି

7

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡକ ସୁରକ୍ଷା ଜୀବନ ରକ୍ଷା କେବଳ ସ୍ଲୋଗାନରେ ସୀମିତ ରହିଛି । ଅନ୍ୟପକ୍ଷରେ ପ୍ରଶାସନର ସଡକ ସୁରକ୍ଷା କମିଟି ବୈଠକ ଏକ ଫାର୍ସ ଜନସାଧାରଣରେ ଚର୍ଚ୍ଚା ହେଉଛି । ପ୍ରତିମାସରେ ଅନୁଷ୍ଠିତ ହୋଇଥିବା ବୈଠକ ଓ ସଚେତନତା ରଥ ଗଡିବାରେ ସରକାରଙ୍କ ବିପୁଳ ଅର୍ଥ ବ୍ୟୟ କରାଯାଉଛି । ଅନ୍ୟପଟେ ସଡକ ଦୁର୍ଘଟଣା କମିବା ପରିବର୍ତ୍ତେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସଡକ ପରିବହନ କର୍ତ୍ତୃପକ୍ଷଙ୍କ ଦୁର୍ଘଟଣା ରୋକିବା ଦିଗରେ ଗୁରୁତ୍ୱ ନଦେବା ଏହାର ମୁଖ୍ୟ କାରଣ ବୋଲି ବୁଦ୍ଧିୀଜୀବ ମହଲରେ ମତପ୍ରକାଶ ପାଇଛି । ଅପରପକ୍ଷରେ ଅଭିଜ୍ଞତା ନଥିବା ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ସହ ଗାଡିରେ ନିର୍ଦ୍ଧାରିତ ଯାତ୍ରୀ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ପରିବହନ କରିବା, ସେହିପରି ମାଲ ବୋଝେଇ ଟ୍ରକ୍‌ରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମାଲ ବହନ କରିବା ସଡକ ଦୁର୍ଘଟଣାର ଅନ୍ୟତମ କାରଣ । ସେହିପରି ରାଜ୍ୟ ଓ ଜାତୀୟ ରାଜପଥ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ସହ ଠିକ୍ ସମୟରେ ମରାମତି ନହେବା ଓ ବିପଦ ସଂକୁଳ ସ୍ଥାନରେ ସଂକେତ ଚିହ୍ନ ନରହିବା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବାର ଲକ୍ଷ୍ୟ କରାଯାଉଛି । ବିଶେଷକରି ଯୁବକମାନଙ୍କ ଦ୍ରୁତଗତିରେ ଦୁଇଚକିଆ ଗାଡି ଚାଳନା କରିବା, ମଦ୍ୟପାନ କରି ଡ୍ରାଇଭିଂ କରିବା ଆଦି କାରଣମାନ ସଡକ ଦୁର୍ଘଟଣାର ସଂଖ୍ୟାକୁ ବୃଦ୍ଧି କରାଉଥିବାର ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାଯାଇଛି । ସଡକ ସୁରକ୍ଷା କମିଟିର ସମୀକ୍ଷା ବୈଠକରେ ଦୁର୍ଘଟଣାର ସଂଖ୍ୟା ମୃତକଙ୍କ ସଂଖ୍ୟା ନେଇ ଚର୍ଚ୍ଚା କରାଯାଉଥିବାବେଳେ ପ୍ରକୃତ କାରଣ ସଂପର୍କରେ ଆଲୋଚନା ହେଉନାହିଁ । କେବଳ ଔପଚାରିକତାରେ ବୈଠକ ଚାଲିଛି । ସରକାରୀ ନିର୍ଦ୍ଦେଶନାମାର ପରମ୍ପରା ବଜାୟ ରଖିଛି ।

କୌତୁହଳର ବିଷୟ ହେଲା ସଡକ ସୁରକ୍ଷା ସପ୍ତାହ ପାଳନ ପାଇଁ ଜିଲା ପ୍ରଶାସନ କିମ୍ବା ପରିବହନ ବିଭାଗ ପକ୍ଷରୁ ଯେଭଳି ତତ୍ପରତା ପ୍ରକାଶ ପାଇଥାଏ, ଠିକ୍ ସପ୍ତାହେ ପରେ ଏସବୁ ଆପେ ଆପେ ମଉଳିଯାଏ । ଯଥା ପୂର୍ବଂ ତଥା ପରମ୍ ନୀତିରେ ସଡକପଥରେ ପରିବହନ କାର୍ଯ୍ୟ ଜାରି ରହେ । ଜିଲାର ଦୁର୍ଘଟଣ ପ୍ରବଣ ଇଲାକାଗୁଡିକରେ ଆବଶ୍ୟକୀୟ ସଚେତନତା ସୃଷ୍ଟି ପାଇଁ ଅଗ୍ରାଧିକାର ଭିତ୍ତିରେ ଯେଉଁସବୁ ଭିତ୍ତିଭୂମି ଲୋଡା ସେ ଦିଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ସଠିକ୍ ଦୃଷ୍ଟି ନଦେବା ଫଳରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଜିଲା ପୁଲିସ୍ ବିଭାଗର ସୂଚନା ଅନୁଯାୟୀ ଗତ ୨୦୧୮ ରୁ ୨୦୨୨ ୫ ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ୮୬୫ ଜଣଙ୍କର ମୁଣ୍ଡ ଗଡିଛି । ୨୦୧୮ ରେ ୧୪୮ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ୨୦୧୯ ରେ ୧୬୫, ୨୦୨୦ ରେ ୧୧୩, ୨୦୨୧ ରେ ୧୨୩ ଓ ୨୦୨୨ ମସିହାରେ ୩୧୬ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁଯାୟୀ ୨୦୧୪ ରୁ ୨୦୨୨ ମଧ୍ୟରେ ୨୩୯୪ ଟି ସଡକ ଦୁର୍ଘଟଣା ଘଟିଛି । ୨୦୧୪ ରେ ୨୧୪ ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୨୦୧୫ ରେ ୨୭୩, ୨୦୧୬ ରେ ୨୫୩, ୨୦୧୭ ରେ ୨୫୭, ୨୦୧୮ ରେ ୨୫୮, ୨୦୧୯ ରେ ୩୨୫, ୨୦୨୦ ରେ ଲକଡାଉନ୍ ଥିବା ସତ୍ୱେ ୨୪୧ ଟି ଦୁର୍ଘଟଣା ଘଟିଛି । ୨୦୨୧ ରେ ୨୫୭ଟି ଦୁର୍ଘଟଣା ଓ ୨୦୨୨ ରେ ୩୧୬ ଟି ଦୁର୍ଘଟଣା ଘଟିଥିବାର ପୁଲିସ୍ ବିଭାଗର ତଥ୍ୟରୁ ଜଣାଯାଇଛି । ୨୦୨୨ ରେ ଜାତୀୟ ରାଜପଥରେ ୮୨ଟି ଦୁର୍ଘଟଣା ଘଟିଛି । ୩୯ ଜଣଙ୍କର ପ୍ରାଣହାନି ଘଟିଛି । ୩୯ ଜଣ ଗୁରୁତର ଆହତ ହୋଇଥିଲେ । ୨୪ ଲକ୍ଷ ୬୫ ହଜାର ଟଙ୍କାର ସଂପତ୍ତି ନଷ୍ଟ ହୋଇଥିଲା । ସେହିପରି ରାଜ୍ୟ ରାଜପଥରେ ୧୬୦ ଟି ଦୁର୍ଘଟଣା ଘଟିଥିଲା । ଏଥିରେ ୮୯ ଜଣଙ୍କର ମୃତ୍ୟୁ ଘଟିଥିଲା । ୬୯ ଜଣ ଗୁରୁତର ଆହତ ହୋଇଥିଲେ । ୧୫ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିଲା । ଅନ୍ୟ ସଡକ ପଥରେ ୯୦ ଟି ଦୁର୍ଘଟଣା ଘଟିଥିଲା । ୩୩ ଜଣ ମରିଥିଲେ । ୩୭ ଜଣ ଗୁରୁତର ହୋଇଥିଲେ । ୫ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.