Home Coronavirus Outbreak ୧୧୭୬ରେ ପହଞ୍ଚିଲା ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

୧୧୭୬ରେ ପହଞ୍ଚିଲା ବାଲେଶ୍ୱର ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

70

ବାଲେଶ୍ୱର, ୬ା୮(ଓଡ଼ିଆ ପୁଅ/ଅଭୟ ଦାସ): ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୬୫ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୪୦ ହଜାର ଟପିଛି। ଅନୁରୂପ ଭାବେ ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୯୯ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦ହଜାର ୭୧୭ଛୁଇଁଚିି। ତେବେ ଅଦ୍ୟାବଧି ୨୫, ୭୩୮ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୪, ୬୯୯ଜଣ ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଏବେ ୨୩୫ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ଗତ କିଛିଦିନ ଧରି କ୍ରମାଗତ ଭାବେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ଚଳିତ ଅଗଷ୍ଟ ମାସରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ନେଇ ବିଶେଷଜ୍ଞମାନେ ମତ ଦେଇଥିବା ବେଳେ ବାଲେଶ୍ୱରର ସ୍ଥିତି କ୍ରମଶଃ ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବାକୁ ଯାଉଛି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୭୬ରେ ପହଞ୍ଚିଛି। ଅଦ୍ୟାବଧି ୮୫୬ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୩୧୪ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ପିଜିଟିଭ୍‌ଙ୍କ ମଧ୍ୟରୁ ୩ ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ଅନ୍ୟ ୧୪ଟି ସ୍ଥାନୀୟ ସଂକ୍ରମଣ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। ଅନ୍ୟରୋଗରେ ଚିକିତ୍ସା ପାଇଁ ଭୁବନେଶ୍ୱର ସୋମ ହସପିଟାଲ ଯାଇଥିବା ବାଲେଶ୍ୱର ପୌରାଞ୍ଚଳର ୬୫ ଓ ୫୪ ବର୍ଷର ପୁରୁଷ ଏବଂ ଆପୋଲୋ ହସପିଟାଲ ଯାଇଥିବା ଭୋଗରାଇ ବ୍ଲକ ପାଣିଷଣ୍ଢା ଅଞ୍ଚଳର ୩୦ ବର୍ଷର ଯୁବକଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ପୌରାଞ୍ଚଳ ମାଣିଖମ୍ବର ୬୫ ବର୍ଷର ପୁରୁଷ ଥିବା ବେଳେ ଅନ୍ୟ ସମସ୍ତ ୧୩ ଜଣ ଯାକ ଭୋଗରାଇ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ସୁଲତାନପୁର ଅଞ୍ଚଳର ୩୯ ବର୍ଷର ପୁରୁଷ, ଉତପଡ଼ା ଅଞ୍ଚଳର ୪୧ ବର୍ଷ ଓ ୪୮ ବର୍ଷର ପୁରୁଷ, ଦେହୁର୍ଦ୍ଦା ଅଞ୍ଚଳର ୩୪ ଓ ୩୫ ବର୍ଷର ଯୁବକ, ଶ୍ରୀବତ୍ସପୁର ଅଞ୍ଚଳର ୪୨ ବର୍ଷର ଜଣେ ପୁରୁଷ, ପାଣିଷଣ୍ଢା ଅଞ୍ଚଳର ୩୬ ବର୍ଷର ଜଣେ ପୁରୁଷ, ଜଳେଶ୍ୱରପୁର ଅଞ୍ଚଳର ୨୭ ଓ ୨୮ ବର୍ଷର ଦୁଇଜଣ ଯୁବକ ଏବଂ ୬୦ ବର୍ଷର ଜଣେ ବୟସ୍କ, ନିଧିବଣି ଅଞ୍ଚଳର ୩୫ ବର୍ଷର ଯୁବକ ଏବଂ ତେଘରୀ ଅଞ୍ଚଳର ୫୦ ବର୍ଷର ପୁରୁଷ ଓ ୩୬ ବର୍ଷର ଯୁବକ ସ୍ଥାନୀୟ ସଂକ୍ରମଣ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶ ଆସିଥିବା ଯୋଗୁଁ ସେମାନେ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଗତ କିଛିଦିନ ଧରି ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଅଗଷ୍ଟ ମାସ ଶେଷ ସୁଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କେଉଁଠି ପହଞ୍ଚିବ ତାହାକୁ ନେଇ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.