Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ପୂର୍ବରୁ ପ୍ରତିଭା ଅନ୍ୱେଷଣ, ଧାମନଗରରେ ଏନଏସିରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା

ସ୍ୱାଧୀନତା ଦିବସ ପୂର୍ବରୁ ପ୍ରତିଭା ଅନ୍ୱେଷଣ, ଧାମନଗରରେ ଏନଏସିରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା

3

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦ୍ର ସରାକରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ (ଏନ୍‌ଏସି) ସଭାଗୃହରେ ଶନିବାର ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଧାମନଗର ସରକାରୀ ହାଇସ୍କୁଲ, ଧାମନଗର ବାଳିକା ହାଇସ୍କୁଲ ଏବଂ ଜଗନ୍ନାଥ ବିଦ୍ୟାପୀଠ, କାଙ୍କରାର ମୋଟ ୨୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ୧୨.୧୦ରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ମୂଲ୍ୟାୟନ ପରେ ପ୍ରକାଶିତ ଫଳାଫଳରେ ଚିତ୍ରାଙ୍କନ ବିଭାଗରେ ଧାମନଗର ସରକାରୀ ହାଇସ୍କୁଲର ଶାହା ତସିବ ରାଜା ପ୍ରଥମ, ପୁଷ୍ପାଞ୍ଜଳି ବେହେରା ଦ୍ୱିତୀୟ ଓ ଧାମନଗର ବାଳିକା ହାଇସ୍କୁଲର ଭୂମିକା ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସାଧାରଣ ଜ୍ଞାନ ବିଭାଗରେ ଜଗନ୍ନାଥ ବିଦ୍ୟାପୀଠ, କାଙ୍କରାର ସତ୍ୟଜିତ ପାତ୍ର ପ୍ରଥମ, ଧାମନଗର ସରକାରୀ ହାଇସ୍କୁଲର ଗୌରାଙ୍ଗ ମହାରଣା ଦ୍ୱିତୀୟ ଓ ଶୁଭ୍ରରଞ୍ଜନ ରାଉତ ତୃତୀୟ ସ୍ଥାନ ହାସଲ କରିଥିଲେ। ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ। ସାଂସଦଙ୍କ ପ୍ରତିନିଧି ସରୋଜ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନ୍‌ଏସି ଉପାଧ୍ୟକ୍ଷ ଏମ୍‌.ଡି. ଏସଦାନି କାଦ୍ରୀ, ବରିଷ୍ଠ ସରକାରୀ ଆଇନଜୀବୀ ବିଜୟ ରାମ, ଏନ୍‌ଏସି ଅଧିକାରୀ ସନ୍ତୋଷ ନାୟକ ଏବଂ କାଉନସିଲର ଜୈନୁଲ ହକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ସଂସ୍କାର ଓ ଅଧ୍ୟବସାୟର ମହତ୍ୱ ସମ୍ପର୍କରେ ଅବଗତ କରାଇବା ସହ ନିଷ୍ଠାର ସହ ପାଠପଢ଼ା କରି ଭବିଷ୍ୟତରେ ସମାଜ ଓ ରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଶିକ୍ଷକ ସୁଧାକର ମହାନ୍ତି, ପ୍ରଶାନ୍ତ ନାୟକ, ଅଭିମନ୍ୟୁ ଶଙ୍ଖୁଆ ଓ ଭାଗ୍ୟଲକ୍ଷ୍ମୀ ଅଗସ୍ତି ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ବରିଷ୍ଠ କିରାଣୀ ଧନେଶ୍ୱର ଧଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.