Home ଜିଲ୍ଲା ପରିକ୍ରମା ସ୍ପୋର୍ଟସ ହଷ୍ଟେଲରୁ ବିଭିନ୍ନ ବିଭାଗ ଖେଳ ଉଚ୍ଛେଦକୁ ନେଇ ଉଦ୍‌ବେଗ : ଫୁଟବଲ ସହ ସମସ୍ତ...

ସ୍ପୋର୍ଟସ ହଷ୍ଟେଲରୁ ବିଭିନ୍ନ ବିଭାଗ ଖେଳ ଉଚ୍ଛେଦକୁ ନେଇ ଉଦ୍‌ବେଗ : ଫୁଟବଲ ସହ ସମସ୍ତ ଖେଳକୁ ପୁନଃ ଅବସ୍ଥାପନ ଦାବି

66

ବାଲେଶ୍ୱର, ୨୧ା୮(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାମାଞ୍ଚଳର ଉଦୀୟମାନ ଖେଳାଳିଙ୍କୁ ପ୍ରୋତ୍ସାହନ ସହ ସେମାନଙ୍କ ପ୍ରତିଭା ବିକାଶ ପାଇଁ ବାଲେଶ୍ୱରରେ ସ୍ଥାପିତ ହୋଇଥିବା କ୍ରୀଡ଼ା ଛାତ୍ରାବାସ(ସ୍ପେର୍ଟେସ ହଷ୍ଟେଲ)ରୁ ଗୋଟିଏ ପରେ ଗୋଟିଏ ବର୍ଗର ଖେଳକୁ ଅପସାରଣ କରାଯିବାକୁ ନେଇ ଜିଲ୍ଲାର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ପୂର୍ବରୁ ଆଥଲେଟିକ୍ସ ଓ ସିନିୟର ଭଲିବଲ୍ ଖେଳକୁ ଉଚ୍ଛେଦ କରାଯାଇଥିବା ବେଳେ ସମ୍ପ୍ରତି ଫୁଟବଲ୍ ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତରକୁ ବିରୋଧ କରିଛନ୍ତି ଜିଲ୍ଲାର ଭେଟେରାନ୍ ଫୁଟବଲ ଖେଳାଳିମାନେ। ଏହି ପରିପ୍ରେକ୍ଷୀରେ ସେମାନେ ବୁଧବାର ଦିନ ଅତିରିକ୍ତ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାର ସ୍ୱର୍ଣ୍ଣିମ କ୍ରୀଡ଼ା ଇତିହାସ ସମ୍ପର୍କରେ ଅବଗତ ସହ ଫୁଟବଲ ଉଚ୍ଛେଦ ନିଷ୍ପତିର ପୁନର୍ବିଚାର ପାଇଁ ଦାବି କରିଥିଲେ। ଏକଦା ଫୁଟବଲ ଖେଳରେ ରାଜ୍ୟ ଓ ଜାତୀୟ ସ୍ତରରେ ତତ୍କାଳୀନ ବାଲେଶ୍ୱର ଜିଲ୍ଲାର ପାୱାର କ୍ଲବ, ଏଫଏମ କ୍ଲବ, ପରମିଟ୍ କ୍ଲବ, ଦେବୀମାତା, ଅକ୍ଟୋପାସ୍‌, ୱାଇଏମସି ପ୍ରଭୃତି ବହୁ ଫୁଟବଲ ଟିମ୍ ବେଶ୍ ସୁନାମ ଅର୍ଜନ କରିଥିଲେ। ସେତେବେଳର ଫୁଟବଲ ପ୍ରତି ବଢ଼ୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରେଖି ଜାତୀୟ ସ୍ତରୀୟ ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ ୯୦ ଦଶକରେ ବାଲେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲମାନ ସ୍ଥାପନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବ ଓ ଛାତ୍ରଙ୍କୁ ଏହି ହଷ୍ଟେଲରେ ରଖାଯାଇ କ୍ରୀଡ଼ା ପ୍ରଶିକ୍ଷଣ ଦିଆଯାଉଥିଲା। ବିଶେଷ କରି ଫୁଟବଲ, ହକି, ଭଲ୍ଲିବଲ, ଓ ଆଥଲେଟିକ୍ସ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା। ଏଠାରୁ ପ୍ରଶିକ୍ଷଣ ପାଇ ଏହି ଯୁବ ଖେଳାଳିମାନେ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରରେ ବି ସୁନାମ ଅର୍ଜନ କରିଚାଲିଥିଲେ। ସାମ୍ପ୍ରତିକ ସମାଜରେ ବିଭିନ୍ନ କ୍ରୀଡ଼ାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ ରେମୁଣାର ଭୀମପୁରାଠାରେ ଏକ ବୃହତ ସ୍ପୋର୍ଟସ ହଷ୍ଟେଲ ଉଦ୍‌ଘାଟନ କରିଥିଲେ। ୧୦ ଏକରରୁ ଊର୍ଦ୍ଧ୍ୱ ଜମିରେ ସ୍ଥାପିତ ଏହି କ୍ୟାମ୍ପସ ହଷ୍ଟେଲ ଅନ୍ତେବାସୀଙ୍କ କ୍ରୀଡ଼ା ଅଭ୍ୟାସରେ ବେଶ ସହାୟକ ହୋଇପାରିଛି। ମାତ୍ର ଉତ୍କୃଷ୍ଟମାନର କ୍ରୀଡ଼ାଭିତ୍ତି ଭୂମି ଥିବା ସ୍ଥଳରେ ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲରୁ ଗୋଟିଏ ପରେ ଗୋଟିଏ ଖେଳକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅତ୍ୟନ୍ତ ଦୁର୍ଭଗ୍ୟର ବିଷୟ ବୋଲି ଭେଟେରାନ ଖେଳାଳିମାନେ କହିଛନ୍ତି। ଏହି ନିଷ୍ପତି ପ୍ରତ୍ୟାହାର ସହ ବାଲେଶ୍ୱର ସ୍ପୋର୍ଟସ ହଷ୍ଟେଲର ଫୁଟବଲ ସହ ସିନିୟର ଭଲିବଲ୍ ଓ ଆଥଲେଟିକ୍ସକୁ ପୁନଅବସ୍ଥାପନ ପାଇଁ ସେମାନେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ସ୍ମାରକପତ୍ର ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ଭେଟେରାନ୍ ଫୁଟବଲ ଖେଳାଳି ପଦ୍ମଲୋଚନ ଲେଙ୍କା, ସନ୍ତୋଷ ଟ୍ରଫି ଖେଳାଳି ଗୋପାଳ ସେଠୀ, ଶେଖ୍ ମାଜିଦ୍‌, ସଲିଲ ସିଂ, ସବାଇ ସିଂ, ନିରୋଦ ମହାନ୍ତି, ଡାକ୍ତର ଶାନ୍ତନୁ ଦାସ, ଶ୍ରୀନିବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.