Home ଜିଲ୍ଲା ପରିକ୍ରମା ସ୍କୁଲ ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ କଂଗ୍ରେସ ଆନ୍ଦୋଳନ କରିବ

ସ୍କୁଲ ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ କଂଗ୍ରେସ ଆନ୍ଦୋଳନ କରିବ

40

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲା୍ଲରେ ଛାତ୍ର ଛାତ୍ରୀ ଉପସ୍ଥାନ କମ୍ ଥିବା ଦର୍ଶାଇ କେତେକ ପ୍ରାଇମେରୀ ଏବଂ ଅପରପ୍ରାଇମେରୀ ସ୍କୁଲକୁ ବନ୍ଦ କରିଦିଆଯାଇଛି । ବନ୍ଦ କରିଦିଆଯାଇଥିବା ସ୍କୁଲ ଗୁଡିକରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ହେଉଥିବା ବିଦ୍ୟାଳୟ (ସାଟେଲାଇଟ ସ୍କୁଲ)ର ପ୍ରଧାନ ଶିକ୍ଷକ ମାନଙ୍କୁ ସେମାନଙ୍କ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ସରକାରଙ୍କ ଦ୍ୱାରା ସ୍ଥିତିକୃତ ଲିଡ୍ (ପାଖ) ସ୍କୁଲରେ ନାମ ଲେଖାଇବା ସହିତ ସେମାନଙ୍କ ସ୍କୁଲର ସମସ୍ତ ରେକର୍ଡ ଏବଂ ଆସବାବପତ୍ର ଲିଡ୍ ସ୍କୁଲକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ଜିଲ୍ଳାବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ମାଧ୍ୟମରେ ସ୍କୁଲ ବନ୍ଦ ନ କରିବାକୁ ଅନୁରୋଧ କରାଯାଇଛି । ୭ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ମଧ୍ୟ ଦେଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ନୂଆ ଶିକ୍ଷାନୀତି ଅନୁଯାୟୀ ୧୫ ଅଥବା ଏହା ଠାରୁ କମ୍ ଛାତ୍ର ଉପସ୍ଥାନ ଥିବା ଏବଂ ଏକ କିମି ଦୂରତା ମଧ୍ୟରେ ୨୦ ରୁ କମ୍ ପିଲା ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦେଇ ସେହି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ପାଖ ସ୍କୁଲରେ ଆଡମିଶନ କରିବାକୁ ଘୋଷଣା କରିଛନ୍ତି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସକାସେ ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ସାଟେଲାଇଟ ସ୍କୁଲ ଏବଂ ଲିଡ ସ୍କୁଲ ଗୁଡିକର ଦୁରତା ଏବଂ ଯାତାୟତ ଅସୁବିଧାକୁ ନେଇ ଅବିଭାବକ ମାନେ ତୀବ୍ର ଆପତ୍ତି ଉଠାଇଛନ୍ତି । ସରକାରଙ୍କ ଏହି ନିଷ୍ପତି ଆଗାମୀ ଦିନରେ ଏକ ଝଡ ହୋଇ ଠିଆହେବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ କହିଛନ୍ତି । ଭଦ୍ରକ ଜିଲ୍ଲାର କୌଣସି ଗୋଟିଏ ବୋଲି ସ୍କୁଲ ଯେପରି ବନ୍ଦ ନହୁଏ ସେ ନେଇ ଏକ ଦାବୀପତ୍ର ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ସ୍କୁଲ ବନ୍ଦ ହେଲେ ଜିଲ୍ଲାର ଶାସନ କଳକୁ ବନ୍ଦ କରିଦିଆଯିବ ବୋଲି ଗଣମାଧ୍ୟମକୁ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଆଜି ଏହି ଦାବୀପତ୍ର ପ୍ରଦାନରେ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ବରିଷ୍ଠ ନେତା ଦିଲିପ ନାୟକ, ଅବଦୁଲ ମୁକିତ ଖାଁ, ଅସ୍‌ରପ୍ ଅଲ୍ଲି ଖାଁ, ରାଜକିଶୋର ସ୍ୱାଇଁ, ନିରଞ୍ଜନ ମଲ୍ଲିକ, ଅମୂଲ୍ୟ କୁମାର ବେହୁରିଆ, ନରେନ୍ଦ୍ର କୁମାର ମହାନ୍ତି, ଦେବାଶିଷ ବେହେରା, ସତ୍ୟନାରାୟଣ ପୁହାଣ, ରାଜିବଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଟାଉନ ସଭାପତି ବିଜୟ ବାରିକ, ରାଜକିଶୋର ପଣ୍ଡା, ଶରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.