Home ଜିଲ୍ଲା ପରିକ୍ରମା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ନିର୍ମାଣାଧୀନ ଆଦର୍ଶ...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ନିର୍ମାଣାଧୀନ ଆଦର୍ଶ ସ୍କୁଲ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱାରୋପ

31

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ଭଦ୍ରକ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ପ୍ରଥମେ ମାନ୍ୟବର ମନ୍ତ୍ରୀ ଭଣ୍ଡାରିପୋଖରୀ ବ୍ଲକର ଉତ୍ତରବାଡଠାରେ ଓଡ଼ିଶା ଆଦର୍ଶ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଜିଲ୍ଳାପାଳଙ୍କ ସଦ୍‌ଭାବନା ସଭାଗୃହରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଭଦ୍ରକର ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିର ମାନ୍ୟବର ବିଧାୟକ ଡ. ବ୍ୟୋମକେଶ ରାୟ, ଧାମନଗରର ମାନ୍ୟବର ବିଧାୟକ ବିଷ୍ଣୁ ଚରଣ ସେଠୀ, ଭଦ୍ରକର ମାନ୍ୟବର ବିଧାୟକ ସଂଜିବ କୁମାର ମଲ୍ଲିକ, ବାସୁଦେବପୁରର ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଓ ଇନ୍ଦ୍ରମଣି ନାୟକ, ପିଡି ଡିଆର୍‌ଡିଏ ମଧୁସୂଦନ ଦାସ, ଜିଲ୍ଳା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ ବ୍ଲକର ଶିକ୍ଷାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ଜିଲ୍ଲାରେ ଥିବା ମଦ୍ରାସା ଗୁଡ଼ିକର ସୁବିଧା ଅସୁବିଧା ସମ୍ପର୍କରେ ରାଜ୍ୟ ଉର୍ଦ୍ଦୁ ବୋର୍ଡ ସହିତ ଆଲୋଚନା କରି ସମାଧାନ କରିବାକୁ ପରମର୍ଶ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଶତପ୍ରତିଶତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ଛଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ନିର୍ମାଣାଧୀନ କାର୍ଯ୍ୟକୁ ଯଥା ଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ ରଖି ଶିକ୍ଷାଦାନର ସମୟରେ ପରିବର୍ତ୍ତନ କରାଯିବା ସହିତ ଆଗାମୀ ମାଟ୍ରିକ ପରୀକ୍ଷାର ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷାରେ ମନ୍ତ୍ରୀଙ୍କୁ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ଦିଆ ଯାଇଥିବା ପରିସଂଖ୍ୟାନ ଅନୁଯାୟୀ ବନ୍ତ, ଭଦ୍ରକ ଓ ଧାମନଗର ବ୍ଳକର ଆଦର୍ଶ ବିଦ୍ୟାଳୟ ପୂର୍ଣ୍ଣାଙ୍ଗୀକରଣ ହୋଇଥିବା ବେଳେ ବାସୁଦେବପୁରରେ କାର୍ଯ୍ୟ ଜାରି ରହିଛି । ଚାନ୍ଦବାଲି ଓ ତିହିଡ଼ିରେ ସ୍ଥାନ ନିରୂପଣ କରାଯାଇ ମାଟି ପରୀକ୍ଷଣ ଶେଷ ହୋଇଛି । ଭଣ୍ଡାରିପୋଖରୀରେ ଆଜି ଭିତ୍ତିି ପ୍ରସ୍ତର ସ୍ଥାପନ ହୋଇଥିବା ସୂଚନା ଦିଆ ଯାଇଥିଲା । ୩ଟି ସମ୍ପୂର୍ଣ୍ଣ ହୋଇଥିବା ଆଦର୍ଶ ବିଦ୍ୟାଳୟ ନିମନ୍ତେ ଆବଶ୍ୟକ ୩୬ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୧୭ଜଣ ରହିଥିବା ବେଳେ ୧୯ଟି ପଦ ଖାଲି ରହିଛି । ଟାଲେଣ୍ଟ ଆୱାର୍ଡ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାବୃତ୍ତି ୮୪ ଜଣ, ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ୮୩୯ଜଣ, ବେଷ୍ଟ ସ୍କୁଲ ଭାବେ ୨୫ଟି ବିଦ୍ୟାଳୟକୁ ମୋଟ ୭୧ଲକ୍ଷ ୧୫ହଜାର ଟଙ୍କା ଯୋଗାଣ ହୋଇଛି । ୨୦୧୯-୨୦ ଶିକ୍ଷାବର୍ଷର ପଠାଣି ସାମନ୍ତ ଗଣିତ ବୃତ୍ତି ଷଷ୍ଠ ଶ୍ରେଣୀ ପାଇଁ ୧୦୦ଜଣ ଓ ନବମ ଶ୍ରେଣୀ ପାଇଁ ୫୪ଜଣଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାର ୨୦୨୦-୨୧ ଶିକ୍ଷା ବର୍ଷରେ ନବମ ଶ୍ରେଣୀ ପାଇଁ ୬୭୫୦ ଓ ଦଶମ ଶ୍ରେଣୀ ପାଇଁ ୭୦୬୧ ସେଟ ବହି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆ ଯାଇଛି । ଦଶମ ଶ୍ରେଣୀର ପିଲାଙ୍କ ପାଇଁ ପରୀକ୍ଷା ଦର୍ପଣ ମୋଟ ୨୩ହଜାର ୬୦୭ଜଣଙ୍କୁ ଯୋଗାଣ ହୋଇଛି । ମୋ ସ୍କୁଲ ଅଭିଯାନରେ ଜିଲ୍ଳାର ମୋଟ ୯ଟି ବିଦ୍ୟାଳୟକୁ ବିଭିନ୍ନ ଅଧିକାରୀମାନେ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ବ୍ରହ୍ମପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଓକରା ହାଇସ୍କୁଲ, ଜିଲ୍ଳା ସ୍କୁଲ, ସାଇ ହାଇସ୍କୁଲ, ବହୁଦରଡ଼ା ନୋଡ଼ାଲ ହାଇସ୍କୁଲ, ନୃସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଞ୍ଚାୟତ ନୋଡ଼ାଲ ହାଇସ୍କୁଲ ବେତଡା, ଆଖଣ୍ଡଳମଣି ନୋଡ଼ାଲ ହାଇସ୍କୁଲ ରହିଛି । ଏହି ଅଭିଯାନରେ ୨୦୨୧-୨୨ ପାଇଁ ମୋଟ ୩ କୋଟି ଟଙ୍କାର ସଂଗ୍ରହ ଟାର୍ଗେଟ ରହିଥିବା ବେଳେ ୪କୋଟି ୭୩ ଲକ୍ଷ ୬୨ହଜାର ୬୬୯ଟଙ୍କା ସଂଗୃହିତ ହୋଇଥିବା ସଂକ୍ରାନ୍ତରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚନା ଦିଆ ଯାଇଥିଲା । ଶେଷରେ ପିଡ଼ି ଶ୍ରୀଯୁକ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.