Home ଜିଲ୍ଲା ପରିକ୍ରମା ‘ସେବା ଓ ତ୍ୟାଗ ହିଁ ଜୀବନର ସର୍ବଶ୍ରେଷ୍ଠ ସଂପଦ’

‘ସେବା ଓ ତ୍ୟାଗ ହିଁ ଜୀବନର ସର୍ବଶ୍ରେଷ୍ଠ ସଂପଦ’

29

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରତିଟି ଧାର୍ମିକ ପରଂପରାରେ ସେବା ଓ ତ୍ୟାଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ବିଶେଷ କରି ଭାରତୀୟ ଧର୍ମ ଦର୍ଶନରେ ମାନବ ସେବାକୁ ମାଧବ ସେବା ଭାବେ ଅଭିହିତ କରାଯାଇଛି। ସେବାର ଦୁଇଟି ପର୍ଯ୍ୟାୟ ରହିଛି – ଯେଉଁମାନଙ୍କ ନିମନ୍ତେ ସେବା ଉଦ୍ଦିଷ୍ଟ, କେତେଦୂର ସେମାନଙ୍କର ଆବଶ୍ୟକତା ପୂରଣ କରାଯାଉଛି ଏବଂ ସେବା ପ୍ରଦାନକାରୀ ବ୍ୟକ୍ତି କେତେ ପରିମାଣରେ ସେମାନଙ୍କ ସହିତ ଏକାତ୍ମ ଭାବ ପ୍ରତିଷ୍ଠା କରିପାରୁଛନ୍ତି। ଅନେକଙ୍କର ଧାରଣା ରହିଛି କେବଳ ଧନ ବଳରେ ସେବା ପ୍ରଦାନ କରିହେବ। କିନ୍ତୁ ବାସ୍ତବ କ୍ଷେତ୍ରର ଚିତ୍ର ସଂପୂର୍ଣ୍ଣ ଭିନ୍ନ। ପ୍ରଚୁର ଅର୍ଥ ବଳରେ ଯେଉଁ ସେବା ପ୍ରଦାନ କରାଯାଏ, ତାହା ଅହମିକାର ପରିଚୟ। ଜଣେ ବ୍ୟକ୍ତି ପ୍ରତି ସପ୍ତାହରେ ଗୋଟିଏ ଅନ୍ଧ ମୂକ ବଧିର ବିଦ୍ୟାଳୟକୁ ଯାଇ ସେଠାକାର ଅନ୍ତେବାସୀଙ୍କ ତରଫରୁ ସେମାନଙ୍କ ଘରକୁ ପତ୍ର ଲେଖୁଥିଲେ ଏବଂ ଯେଉଁ ଉତ୍ତର ଆସୁଥିଲା, ତାହା ମଧ୍ୟ ପିଲାମାନଙ୍କୁ ପଢ଼ି ଶୁଣାଉଥିଲେ। କିଛି ମାସ ପରେ ସେହି ବ୍ୟକ୍ତି ତାଙ୍କ ଅନ୍ତରରେ ଯେଉଁ ସନ୍ତୋଷ ଓ ଆନନ୍ଦ ଅନୁଭବ କଲେ, ତାହା ପ୍ରଚୁର ଅର୍ଥ ବ୍ୟୟରେ ସେ ପାଇ ପାରି ନ ଥାନ୍ତେ। କାରଣ ପତ୍ର ଲେଖିବା ଏବଂ ତାହାର ଉତ୍ତର ଶୁଣାଇବା ସମୟରେ ସେହି ବ୍ୟକ୍ତିଙ୍କର ଅନ୍ତେବାସୀଙ୍କ ସହ ଯେଉଁ ଏକାତ୍ମ ଭାବ ପ୍ରତିଷ୍ଠା ହେଲା, ତାହା ହିଁ ସନ୍ତୋଷ ଓ ଆନନ୍ଦର ମୂଳ ଉତ୍ସ।

ଡାକ୍ତର ହରେକୃଷ୍ଣ ନାୟକଙ୍କ ନେତୃତ୍ୱରେ କଳ୍ପନା ଦେବୀ ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଭଦ୍ରକର ଦଇସିଂ ଠାରେ ପ୍ରତିଷ୍ଠିତ ଜରାଶ୍ରମରେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଖ୍ୟାତିସଂପନ୍ନ, ସ୍ୱନାମଧନ୍ୟ ସ୍ତ୍ରୀରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫେସର ଡାକ୍ତର ଶରତ ଚନ୍ଦ୍ର ମହାପାତ୍ର ଏବଂ ପ୍ରଫେସର ଡାକ୍ତର ଜଗଦୀଶ ମିଶ୍ର ମତ ବ୍ୟକ୍ତ କରିଛନ୍ତି। ବକ୍ତବ୍ୟ ଛଳରେ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସେବା ଓ ତ୍ୟାଗ ସଂପର୍କରେ ଚମତ୍କାର ଅନୁଭୂତି ବଖାଣିଥିଲେ। ମଦର ଟେରେସାଙ୍କ ଜୀବନର ଏକ ଦୃଷ୍ଟାନ୍ତ ଦେଇ ସେ କହିଥିଲେ – ରାସ୍ତା କଡରୁ ଉଠାଇ ଆଣିଥିବା ଜଣେ ମୂର୍ମୂଷୂ ବ୍ୟକ୍ତିର ସେବା କରୁଥିବାବେଳେ, ଜଣେ ନର୍ସ ମଦର ଟେରେସାଙ୍କୁ କହିଥିଲେ, ଏ ବ୍ୟକ୍ତିଙ୍କର ସମୟ ଆସିଗଲାଣି। ତାଙ୍କ ପାଇଁ ଆଉ ଚିକିତ୍ସାର ଆବଶ୍ୟକତା ନାହିଁ। ସେହି ମୁହୂର୍ତ୍ତରେ ମଦର ଟେରେସା କହିଥିଲେ, ତମାମ ଜୀବନ ଭୋକ ଶୋଷରେ ଆଉଟୁ ପାଉଟୁ ଏବଂ ରୋଗରେ ହନ୍ତସନ୍ତ ହୋଇ ଏ ବ୍ୟକ୍ତିର ଈଶ୍ୱର ଏବଂ ସମାଜ ଉପରୁ ବିଶ୍ୱାସ ତୁଟି ଯାଇଥିବ। ସୁଖରେ ସିନା ବଞ୍ôଚ ପାରିଲା ନାହିଁ, ଆମର ସ୍ନେହର ପରଶରେ ଶାନ୍ତିରେ ତ ମରିପାରିବ। ଏହା ହିଁ ହେଉଛି ସେବାର ଅନ୍ତର୍ନିହିତ ସତ୍ୟର ଉଦ୍ଦେଶ୍ୟ।

ଡାକ୍ତର ହରେକୃଷ୍ଣ ନାୟକଙ୍କର ଏହି ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବରିଷ୍ଠ ନାଗରିକଙ୍କ ସମସ୍ୟା ଆହୁରି ଉତ୍କଟ ହେବ ବୋଲି ସୂଚନା ଦେଇଥିଲେ। ସମାଜରେ ବିଶେଷଜ୍ଞ ଡାକ୍ତରମାନେ ଜରାଶ୍ରମ ଅନ୍ତେବାସୀଙ୍କୁ ସ୍ୱାସ୍ଥ୍ୟସେବା ସଂପର୍କରେ ପରାମର୍ଶ ଦେଇଥିଲେ। ଏହି ସ୍ୱତନ୍ତ୍ର ସମାରୋହରେ ଡାକ୍ତର ହରେକୃଷ୍ଣ ନାୟକ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ଏବଂ ଡାକ୍ତର ରବୀନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଭଦ୍ରକର ବିଭିନ୍ନ ଅନୁଷ୍ଠାନ ଯଥା : ଭାରତୀୟ ଚିକିତ୍ସକ ସଂଘ, ଭଦ୍ରକ ବୁଦ୍ଧିଜୀବୀ ଫୋରମ୍, ଶହୀଦ ଭଗତ ସେନା, ରୋଟାରୀ କ୍ଳବ, ଲାୟନ୍ସ କ୍ଳବ, ଲାୟନ୍ସ କ୍ଳବ ଡିଭାଇନ୍, ତେଜସ୍ୱିନୀ ମହିଳା ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଗାନ୍ଧି ବିଚାର ମଞ୍ଚ, ବାର୍ ଆସୋସିଏସନ୍, ପ୍ରେସ୍ କ୍ଳବ ତରଫରୁ ଅତିଥିମାନଙ୍କୁ ମାନପତ୍ର, ଉପଢ଼ୌକନ ଓ ଫୁଲତୋଡା ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା। ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସୀତାଂଶୁ ମହାପାତ୍ର, ସନ୍ତୋଷ ପତି, ଅଭିଜିତ ନାୟକ, ଦିଲ୍ଲୀପ ମହାପାତ୍ର, ଅଞ୍ଜନା ମିଶ୍ର, ଡାକ୍ତର ସନ୍ତୋଷ ନାୟକ, ପ୍ରଭାତ ନାୟକ, ବିକାଶ ନନ୍ଦ, ସୁଧାକର ରାଉତ, ଡଃ ରାଧାରାଣୀ ମହାପାତ୍ର, ନଳିନୀକାନ୍ତ ନାୟକ, ରିତୁନ ନାୟକ, ସୋନୁ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.