Home ଓଡ଼ିଶା ସୁନୀଲ ସେଠୀର ହତ୍ୟାକାରୀକୁ ଗିରଫ ଦାବିରେ ଚନ୍ଦ୍ରଶେଖରପୁର ଥାନା ଘେରାଉ

ସୁନୀଲ ସେଠୀର ହତ୍ୟାକାରୀକୁ ଗିରଫ ଦାବିରେ ଚନ୍ଦ୍ରଶେଖରପୁର ଥାନା ଘେରାଉ

463

ଭୁବନେଶ୍ୱର, ୨୦.୦୧ (ଓଡ଼ିଆ ପୁଅ) : ଗତ ତା ୦୧.୧୨.୨୦୧୯ରିଖରେ ସୁନୀଲ ସେଠୀ ନାମକ ଜଣେ ଦଳିତ ଯୁବକର ଚନ୍ଦ୍ରଶେଖରପୁର, ବର୍ଷାଭିଲ୍ଲା ଆପାର୍ଟମେଣ୍ଟ ନିକଟରେ ଜନୈକ ମନୋହର ଖାଁଙ୍କ ବାସଭବନ ପାଚିରୀ ନିକଟରୁ ମୃତ ଦେହ ମିଳିଥିଲା। ସୁନୀଲ ସେଠୀ ଜଣେ କାର୍ ଚାଳକ। ସେ ପୁରୀର କାର୍ ମାଲିକ ଅମିତ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ମନୋହର ଖାଁ ଏବଂ ତାଙ୍କ ଝିଅକୁ ନେଇ ଭୁବନେଶ୍ୱର ଆସିଥିଲେ। ଗତ ତା ୦୨.୧୨.୨୦୧୯ରିଖରେ ସୁନୀଲଙ୍କ ପରିବାର ଖବର ପାଇଲେ ଯେ ତାଙ୍କ ପୁଅ ମରି ପଡ଼ିଛି। ପରିବାର ଲୋକ ଯାଇ ଦେଖିଲେ ଯେ, ପୁଅର ମୁଣ୍ଡ, ନାକ, କାନ ଓ ହାତ ଖଣ୍ଡିଆ ହୋଇ ରକ୍ତ ବାହାରୁଛି। ମନୋହର ଖାଁଙ୍କୁ ପଚାରିବାରୁ କହିଲେ ଯେ, ସୁନୀଲ ଗାଡ଼ି ରଖିଦେଇ କୁଆଡ଼େ ଯାଇଛି ମୁଁ ଜାଣିନାହିଁ। ତେଣୁ ମୁଁ ଗାଡ଼ି ମାଲିକକୁ ଡାକିଲି ଓ ସେ ଗାଡ଼ି ନେଇ ପଳେଇଗଲା।

ତେଣୁ ଏ ହତ୍ୟାକାଣ୍ଡରେ ମନୋହର ଖାଁ, ତାଙ୍କ ପୁଅ ଏସ୍‌. ଖାଁ ଓ କାର୍ ମାଲିକ ଅମିତ ମହାନ୍ତି ଏବଂ ତାଙ୍କର ସହଯୋଗୀମାନେ ସମ୍ପୃକ୍ତ ଥିବାର ଆମର ଦୃଢ଼ ସନ୍ଦେହ ହେଉଛି। ଗତ ତା ୦୩.୧୨.୨୦୧୯ରିଖରେ ଚନ୍ଦ୍ରଶେଖରପୁର ଥାନାରେ ଏଫ୍‌.ଆଇ.ଆର୍‌. ଦରଜ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ପୋଷ୍ଟମର୍ଟମ ରିପୋର୍ଟ ମିଳିନାହିଁ। ଏହାର ପ୍ରତିବାଦରେ ମୃତକଙ୍କ ଗ୍ରାମ ବ୍ରହ୍ମଗିରି ଅଞ୍ଚଳରୁ ୫୦୦ରୁ ଉର୍ଦ୍ଧ୍ୱ ଲୋକ ଏବଂ ଭୁବନେଶ୍ୱରର ବହୁ ସାମାଜିକ ଅନୁଷ୍ଠାନ ଭୁବନେଶ୍ୱରର ଡମଣା ଛକଠାରୁ ଚନ୍ଦ୍ରଶେଖରପୁର ଥାନା ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ଥାନା ଘେରାଉ କରିଥିଲେ। ଥାନାରେ ଏ.ସି.ପି., ଆଇ.ଆଇ.ସି.ଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ସାତ ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରିବା, ଏସ୍‌.ସି. ନିର୍ଯ୍ୟାତନା ଆଇନ ଲାଗୁ କରିବା ଓ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ମିଳିବା ପ୍ରତିଶୃତି ମିଳିବା ପରେ ଘେରାଉ ପ୍ରତ୍ୟାହାର କରାଯାଇଥିଲା। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରତିଶୃତି ପାଳନ କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଏହି ଆଲୋଚନା ଓ ଘେରାଉରେ ସର୍ବଶ୍ରୀ ଅଶୋକ ମଲ୍ଲିକ, ବନ୍ଧୁ ସେଠୀ, ଶେଖ ଅବଦୁଲ ୱାଲି, ପ୍ରଦୀପ ମଲ୍ଲିକ, ସୋମନାଥ ସାମଲ, ଲକ୍ଷ୍ମଣ ମଲ୍ଲିକ ଓ ରବି ସେଠୀ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.