Home ଜିଲ୍ଲା ପରିକ୍ରମା ସିପିଆଇ(ଏମ୍‌) ଭଦ୍ରକ ଆଞ୍ଚଳିକ କମିଟିର ୧୩ତମ ସମ୍ମିଳନୀ, କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ

ସିପିଆଇ(ଏମ୍‌) ଭଦ୍ରକ ଆଞ୍ଚଳିକ କମିଟିର ୧୩ତମ ସମ୍ମିଳନୀ, କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ

28

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଆଞ୍ଚଳିକ କମିଟିର ୧୩ତମ ସମ୍ମିଳନୀ ସ୍ଥାନୀୟ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀକୁ ପୂର୍ଣ୍ଣ ମାଝୀ, ରାଧାଶ୍ୟାମ ନାୟକ, ପ୍ରଭାତୀ ଜେନାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ । ଏଥିପୂର୍ବରୁ ବନ୍ତଛକ ବସ୍‌ଷ୍ଟାଣ୍ଡ ଠାରେ ପାର୍ଟିର ଲାଲ ପତାକାକୁ ଚନ୍ଦ୍ରଶେଖର ନାୟକ ସାଥୀ ରାଧା ଦାସ, ନିରଂଜନ ପାଣି, ଅଭିନ୍ନ ରାୟ, ସେକ୍ କମର, ସେକ୍ କାଲୁ, ସେକ୍ ସତ୍ତାରୁଦ୍ଦିନ୍‌ଙ୍କ ଉପସ୍ଥିତିରେ ଉତ୍ତୋଳନ କରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହାକୁ ସିପିଆଇ(ଏମ୍‌) ର ରାଜ୍ୟ ନେତା ସନ୍ତୋଷ ଦାସ ଉଦ୍‌ଘାଟନ କରି କରୋନା ମହାମାରୀରେ ଦେଶବାସୀ ଭୟଙ୍କର ବିପଦରେ ପଡିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ଜାତୀୟ ସଂପତ୍ତି ଯେଭଳି କର୍ପୋରେଟ୍ କଂପାନୀକୁ ବିକ୍ରି କରିବା ସହ ଡିଜେଲ୍‌, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍ ଦରଦାମ ବୃଦ୍ଧି କରୁଛନ୍ତି, ତାହାକୁ ତୀବ୍ର ସମାଲୋଚନା କରିଥିଲେ ।

ଏବଂ ୩ଟି କଳା କୃଷି ଆଇନ୍ ଓ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ କରିବାକୁ ଆହ୍ୱାନ ଦେଇଥିଲେ । ଆଞ୍ଚଳିକ କମିଟିର ସଂପାଦକ ରାଧା ଦାସ ଏକ ଲିଖିତ ରିପୋର୍ଟ ଉପସ୍ଥାପନ କରିବା ପରେ ତାହା ଉପରେ ୧୦ ଜଣ ସାଥୀ ଆଲୋଚନା କରିଥିଲେ । ବିଶେଷକରି ଦରଦାମ ବୃଦ୍ଧି, ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ସଂସଦରେ ମହିଳା ବିଲ୍ ପାରିତ ଓ କୃଷକ ବିରୋଧୀ କଳା କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ୩ଟି ପ୍ରସ୍ତାବକୁ ପ୍ରଭାତୀ ଜେନା, ଚକ୍ରଧର ପାତ୍ର, ଡ. ପ୍ରହ୍ଲାଦ ପତି ପ୍ରମୁଖ ଆଗତ କରିଥିଲେ । ଏହି ସମ୍ମିଳନୀରେ ଦିବଂଗତ ନେତା ରବି ମହାନ୍ତି, ମଂଗୁଳି ଦାସ, ଚନ୍ଦ୍ରକାନ୍ତ ବିଶ୍ୱାଳ, ଉପେନ୍ଦ୍ରନାଥ ଦାସ, ବଂଶୀଧର ଦାସଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ଜିଲା ସଂପାଦକ ଦିବ୍ୟସିଂହ ନାୟକ । ସମ୍ମିଳନୀରେ ଏକ ନୂତନ ୧୩ ଜଣିଆ ସଦସ୍ୟଙ୍କୁ ନେଇ କମିଟି ନିର୍ବାଚିତ ହୋଇଥିଲା । ଏଥିରେ ସଂପାଦକ ଭାବେ ରାଧା ଦାସ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀକୁ ରାଜ୍ୟ ନେତା ନିର୍ମଳ ନାୟକ ଉଦ୍‌ଯାପିତ କରି ତାଙ୍କ ବକ୍ତବ୍ୟରେ ଆମ ଦେଶ ଓ ରାଜ୍ୟରେ ଚାଲିଥିବା ଜନ ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ଦିନରେ ଶ୍ରମିକ ଓ କୃଷକମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ବିନୋଦ ସାହୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.