Home ଓଡ଼ିଶା ସରିଲା ବିଜେପୁର ଲଢେଇ: ଷ୍ଟ୍ରାଟେଜି ବୁଝିପାରିଲେ ନାହିଁ ଧର୍ମେନ୍ଦ୍ର !

ସରିଲା ବିଜେପୁର ଲଢେଇ: ଷ୍ଟ୍ରାଟେଜି ବୁଝିପାରିଲେ ନାହିଁ ଧର୍ମେନ୍ଦ୍ର !

143

ଭୁବନେଶ୍ୱର ୨୮-୨ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ବହୁ ଚର୍ଚ୍ଚିତ ବିଜେପୁର ଉପ ନିର୍ବାଚନର ସରିଲା। ଫଳ ପ୍ରକାଶ ପାଇଲା। ବାଜି ମାରିଲା ଶାସକ ବିଜେଡି। ବହୁ ବ୍ୟବଧାନରେ ୪୧, ୯୩୩ ଖଣ୍ଡ ଭୋଟରେ ବିଜେପିକୁ ହରାଇଲା ବିଜେଡି। ଆଶା ଠାରୁ ବହୁ ଅଧିକା ଭୋଟ୍ ପାଇଲା ବିଜେଡି। ପ୍ରଚାର ସରିବା ପରେ ନିଶ୍ଚିତ ହୋଇ ଯାଇଥିଲା ବିଜେଡି ଏହି ଆସନ କରାୟତ କରିବ। ଭୋଟ୍ ର ବ୍ୟବଧାନ ୧୦ ରୁ ୧୫ ହଜାର ଭିତରେ ରହିବ। ବିଜେପି ଶିବିର ମଧ୍ୟ ଜାଣିଥିଲା ପରାଜୟ ସୁନିଶ୍ଚିତ। ପରାଜୟର ବ୍ୟବଧାନ ବହୁ କମ୍ ରହିବ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ସୌନ୍ୟ ବାହିନୀ ଯଥା ମନ୍ତ୍ରୀ, ବିଧାୟକ, କର୍ମୀ ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ଏହି ନିର୍ବାଚନ ଦାୟିତ୍ୱରେ ଥିଲେ ସେମାନେ ବି ଜାଣିଥିଲେ ବିଜୟ ବିଜେଡିର ହେବ ଏବଂ ବ୍ୟବଧାନ ୧୫ ରୁ ୨୦ ହଜାର ଭିତରେ ହେବ। ମାତ୍ର ୪୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜେଡି ଜିତିବ ବୋଲି କେହି ଭାବି ନଥିଲେ। ମାତ୍ର ପରୋକ୍ଷରେ ଏହି ନିର୍ବାଚନ ପାଇଁ କାମ କରୁଥିବା ନବୀନଙ୍କ ତିନୋଟି ବିଭାଗ ଜାଣିଥିଲେ ଯେ, ପରାଜୟର ବ୍ୟବଧାନ ବହୁ ଅଧିକା ହେବ। ଏହି ତିନି ବିଭାଗ ହେଲା ତୃତୀୟ ମହଲା, ଗୋଇନ୍ଦା ବିଭାଗ ଓ ସୁଜିତ୍ କୁମାର ଆଣ୍ଡ କଂପାନୀ। ବିଜେପି ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ରଣନିତୀ ଭଲ କରିଥିଲେ। ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥିଲେ। ମାତ୍ର ନବୀନଙ୍କ ଏହି ତ୍ରୀସ୍ତରୀୟ ରଣନିତୀକୁ ଭେଦ କରି ପାରିନଥିଲେ। ବିଜେଡିର ଯେତେ ନେତା ବିଜେପୁର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନେ ଏବେ ନିଜ ଚେଲାଚାମୁଣ୍ଡାଙ୍କୁ ଧରି ନିଜ ନିଜର ପ୍ରଶଂସା କରିବାରେ ବ୍ୟସ୍ତ। ଆମେ ଖେଳ କଲୁ ବୋଲି ଧର୍ମେନ୍ଦ୍ର ପାଣି ପିଇଲେ। ସେମାନେ ବି ଭଲ ଭାବରେ ଜାଣିଛନ୍ତି ପ୍ରକୃତରେ ଖେଳ କେଉଁମାନେ କଲେ।

ସୁବଳ ସାହୁଙ୍କ ମୃତ୍ୟୁ ପରେ ହିଁ ବିଜେଡି ତାର ଷ୍ଟ୍ରାଟେଜି ଆରମ୍ଭ କରିଥିଲା। ତାଙ୍କ ପରିବାରକୁ ବିଜେଡିରେ ସାମିଲ କରିବା ଦିନ ଠୁ ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନବୀନଙ୍କ ଏହି ତିନି କୋଟରୀ ବିଭାଗ। କାମରେ ଲାଗି ଯାଇଥିଲା ତୃତୀୟ ମହଲା, ଗୁଇନ୍ଦା ବିଭାଗ ଓ ସୁଜିତ୍ କୁମାରଙ୍କ ଟିମ୍। କଂଗ୍ରେସ ଉପର ମହଲାକୁ କରାୟତ କରି ପ୍ରଣୟ ସାହୁଙ୍କୁ କଂଗ୍ରେସ ଟିକେଟ୍ କରାଇବା ଥିଲା ପ୍ରଥମ ଷ୍ଟ୍ରାଟେଜି। ଏହା ଆମେ ବହୁ ପୂର୍ବରୁ ଆଭାସ ପାଇ ପ୍ରକାଶ ଓଡ଼ିଆ ପୁଅରେ କରିଥିଲୁ। ଏହା ପରେ ସୁଜିତ୍ କୁମାରଙ୍କ ୧୦ ଜଣିଆ ଟିମ୍ ଯାଇ ବିଜେପୁର ସର୍ଭେ କାମ ଆରମ୍ଭ କରି ଦେଇଥିଲେ। ସୁଜିତ୍ କୁମାରଙ୍କ ରିପୋର୍ଟ ଉପରେ କାମ ଆରମ୍ଭ କରି ଦେଇଥିଲା ତୃତୀୟ ମହଲା। ସେହି ରିପୋର୍ଟକୁ ଆଧାର କରି ନେତା ଚୟନ କରାଗଲା ବିଜେପୁର ପାଇଁ। କେଉଁ ବିଜେଡି ନେତାଙ୍କ କେଉଁ ବ୍ଲକ ଦାୟିତ୍ୱ ଦିଆଯିବ ତାହା ସବୁ ପ୍ରସ୍ତୁତ କଲା ତୃତୀୟ ମହଲା। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ କାମ ସାରି ଦେଇଥିଲେ ନବୀନଙ୍କ ଏହି କୋର୍ ଟିମ୍। ତାରିଖ ଘୋଷଣା ପରେ ନବୀନଙ୍କ ପଲିଟିକାଲ୍ ଟିମ୍ ଯାଇ ଡେରା ପକାଇଲେ ବିଜେପୁରରେ। ସୁଜିତ୍ କୁମାର ଓ ଗୁଇନ୍ଦା ବିଭାଗର ରିପୋର୍ଟ ଯାଉଥାଏ ତୃତୀୟ ମହଲାକୁ ଏବଂ ତୃତୀୟ ମହଲାର ନିର୍ଦ୍ଦେଶକୁ କାର୍ଯ୍ୟରେ ଲଗାଉଥିଲେ ବିଜେଡି ନେତାମାନେ। ଏକ ସୁଚିନ୍ତିତ ଓ ସୁଦୃଢ ଚକ୍ରବ୍ୟୁହ ପ୍ରସ୍ତୁତ କରିଥିଲା ବିଜେଡି। ତା ମଧ୍ୟକୁ ଧର୍ମେନ୍ଦ୍ର ପ୍ରଧାନ ପଶି ପାରିଥାନ୍ତେ। ମାତ୍ର ବାହାରିବା ମୁସ୍କିଲ। ବାହାରି ପାରିଥିଲେ ବିଜୟ ସୁନିଶ୍ଚିତ ହୋଇଥାନ୍ତା। ନବୀନ ପଟ୍ଟନାୟକଙ୍କ ପରି ମହାଦୃମଙ୍କୁ ସାମନା କରିବା ପାଇଁ ଧର୍ମେନ୍ଦ୍ର ଆଣ୍ଡ କଂପାନୀ ବହୁତ ନ୍ୟୁନ ମନେ ହେଉଥିଲେ। ଠିକ୍ ଅଛି ଧର୍ମେନ୍ଦ୍ର ପ୍ରଧାନ ଆଜିକା ଦିନରେ କେନ୍ଦ୍ରରେ ଜଣେ ପ୍ରଭାବଶାଳୀ ରାଜନେତା। ସୁଚିନ୍ତିତ ରାଜନୈତିକ ଯୋଜନା ଉପରେ ତାଙ୍କର ଦଖଲ ଅଛି। ମାତ୍ର ତାଙ୍କ ଟିମ୍ର ଅଧିକାଂଶ ସଦସ୍ୟଙ୍କ ରାଜନୈତିକ ଚିନ୍ତାଧାରା ସଂପୂର୍ଣ୍ଣ ହାସ୍ୟସ୍ପଦ।

ବିଜେପୁର ଉପ ନିର୍ବାଚନ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା। କଂଗ୍ରେସ ତ ପ୍ରଥମ ଦିନରୁ ହିଁ ହାତ ଟେକି ଦେଇଥିଲା। ବିଜେପୁର ବାହାରେ ଜନ ସାଧାରଣଙ୍କର ଧାରଣା ଥିଲା ଦୁଇ ଦଳ ଭିତରେ ଲଢେଇ ଜୋର୍ଦାର ହେବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ସେମିଫାଇନାଲ ବୋଲି ଅନେକ ମିଡିଆରେ ପ୍ରକାଶ ପାଇଲା। ମାତ୍ର ନବୀନ ଥିଲେ ନିଶ୍ଚିତ ଓ ନିର୍ବିକାର। ୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରେ ମୋଦି ଯାଦୁ କାମ ଦେଇଥିଲା ବେଳେ ଓଡିଶାରେ ତାହା କାମ ଦେଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା କାମ ମଧ୍ୟ ଦେଉ ନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ଅସନ୍ତୁଷ୍ଟ କଂଗ୍ରେସ ଭୋଟ ବିଜେପି ଖାତାକୁ ଯିବାରୁ ବିଜେପି ଦୁତୀୟ ସ୍ଥାନକୁ ଯାଇ ପାରିଥିଲା। ପଞ୍ଚାୟତ ନିର୍ବାଚନ ପରେ ବିଜେଡି ଏହା ବୁଝି ପାରିଲା। ତେଣୁ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କୁ ନିଜ ଆଡକୁ ଆଣି କଂଗ୍ରେସ ଶିବିରକୁ ଭେଦ କରିବାରେ ସକ୍ଷମ ହେଲା। ସେହି ସମୟରେ ଅନେକ ରାଜନୈତିକ ବିଶେଷଜ୍ଞ ଟେଲିଭିଜନରେ ବୟାନ ଦେଲେ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରି ଭୁଲ କଲା। ମାତ୍ର କଂଗ୍ରେସକୁ କରାୟତ କରିବା ପାଇଁ ଏହା ବିଜେଡିର ପ୍ରଥମ ଚାଲ୍ ଥିଲା।

ଏଥର ନିର୍ବାଚନ ସଂପୂର୍ଣ୍ଣ ସ୍ୱଚ୍ଛ ଓ ନିର୍ମଳ ଥିଲା। ଏହା ଉପରେ କେହି ଆଙ୍ଗୁଳି ନିର୍ଦ୍ଦେଶ କରି ପାରିବେ ନାହିଁ। ଏପରିକି କେନ୍ଦ୍ରରୁ ସିଆରପିଏଫ୍ ଯବାନ୍ ଆସି ସଂପୂର୍ଣ୍ଣ ରୂପେ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ ଦେଇଥିଲେ। ତେଣୁ ବିଜେପି ଆଉ ସେ ଅଭିଯୋଗ ଆଣି ପାରିବ ନାହିଁ। ବାକି ରହିଲା ଭୋଟରଙ୍କୁ ବିଭିନ୍ନ ପ୍ରଲୋଭନ ଦେବା କଥା। ଏହା ଉଭୟ ବିଜେଡି ଓ ବିଜେପି ସମସ୍ତେ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ। ବିଜେପୁର ଧର୍ମେନ୍ଦ୍ରଙ୍କ ପାଇଁ ଏକ ଶିକ୍ଷା। ଆଗକୁ ଚାରି ପାଖରେ ଥିବା ଅନଭିଜ୍ଞ, କଥାକୁହା ରାଜନେତାଙ୍କୁ ଦୂରେଇ ନୂଆ ରଣନିତୀ ନ ଆପଣେଇଲେ ବିଜେଡିର ସମକକ୍ଷ ହେବା ତ ଦୂରର କଥା ୧୨୦ ଆସନ ସ୍ୱପ୍ନ ଦେଖୁଥିବା ବିଜେପି ୧୨ରେ ସିମୀତ ରହିଯିବ ଏଥିରେ ସନ୍ଦେହ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.