
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ସରକାର ଏବେ କେଜି ରୁ ପିଜି ଯାଏ ମାଗଣା ଶିକ୍ଷାଦାନର ବ୍ୟବସ୍ଥା ଘୋଷଣା କରିଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ଏବେ ଏହି ମାଗଣା ଶିକ୍ଷାଦାନ ବ୍ୟବସ୍ଥା କେବଳ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅଣଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଏଥିରୁ ବଂଚିତ ରହିଛନ୍ତି। ଏଣୁ ଆଜି ଭଦ୍ରକ ଜିଲାର ଅର୍ଣ୍ଣପାଳସ୍ଥିତ ଆରକେବି ଡିଗ୍ରୀ କଲେଜର ଛାତ୍ରୀ ସଂଘମିତ୍ରା ପରିଡା, ଶୁଭଲକ୍ଷ୍ମୀ ଖିଲାର, ଶୁଭସ୍ମିତା ଓଝା, ଶୁଭସ୍ମିତା ମହାନ୍ତି, ସସ୍ମିତା ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାକୁଳ ପ୍ରମୁଖ ପ୍ରମୁଖ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିକଟରେ ଏଥିପାଇଁ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ମୂଳେ କେବଳ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇଥିବାବେଳେ ସେମାନେ କଣ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପାଠପଢି ଭୁଲ୍ କରିଛନ୍ତି କି। ଚଳିତବର୍ଷ ବନ୍ୟାର ବିଭୀଷିକା ଏପର୍ଯ୍ୟନ୍ତ ସେମାନଙ୍କର ଆର୍ଥିକ ମାନଦଣ୍ଡ ଭାଙ୍ଗିଦେଇଥିବାବେଳେ କଲେଜ କର୍ତୃପକ୍ଷ ସେମାନଙ୍କୁ ରିଆଡମିଶନ ପାଇଁ ଟଙ୍କା ମାଗୁଛନ୍ତି। ଏଭଳି ସ୍ଥଳେ ଯଦି ସରକାର ସେମାନଙ୍କ ପାଇଁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ଲାଗୁ ନକରନ୍ତି, ତେବେ ବାଧ୍ୟହୋଇ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।







