Home Top News ସମଦୂରତା ନୁହେଁ ଏନଡ଼ିଏରେ ସାମିଲ ହେବ ବିଜେଡ଼ି!

ସମଦୂରତା ନୁହେଁ ଏନଡ଼ିଏରେ ସାମିଲ ହେବ ବିଜେଡ଼ି!

74

ଆଉ ସମଦୂରତା ଚଳିବ ନାହିଁ। ଏନଡ଼ିଏରେ ସିଧାସଳଖ ସାମିଲ ହେବାକୁ ବିଜେଡ଼ିକୁ ଚାପ ପଡୁଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡ଼ିଛି। କେନ୍ଦ୍ରରେ ଏବେ ବିଜେପି ନେତୃତ୍ବାଧୀନ ଏନଡ଼ିଏ ସରକାର ଶାସନ କରୁଛି। କର୍ଣ୍ଣାଟକ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଓ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ଅପୂର୍ବ ସଫଳତା ପରେ ବିଜେପି ଏବେ ଚିନ୍ତାଶୀଳ। ଏହାଛଡା ରାହୁଲଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ବସ୍ତି ମିଳିସାରିଲାଣି। ସେ ଏବେ ତାଙ୍କ ସଭ୍ୟ ପଦ ଫେରି ପାଇବେ। ପୁଣି ସଂସଦ ଭିତରକୁ ପ୍ରବେଶ କରିବେ। ଏହା ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି। ୨୬ ଗୋଟି ରାଜନୈତିକ ଦଳ ମିଶି ନୂଆ ରାଜନୈତିକ ଫୋରମ ଇଣ୍ଡିଆ (I.N.D.I.A) ଗଠନ କରିସାରିଲେଣି। ଦେଶର ସବୁ ବଡ଼ ବଡ଼ ରାଜନୈତିକ ଦଳ ଏଥିରେ ସାମିଲ। ଅପର ପକ୍ଷରେ ବିଜେପି ଦାବି କରୁଛି ଯେ ଏନଡ଼ିଏ ରେ ୩୮ ଗୋଟି ରାଜନୈତିକ ଦଳ ଅଛନ୍ତି। ବିଜେପିକୁ ଛାଡ଼ି ଦେଲେ ଏନଡ଼ିଏରେ ଥିବା ଅନ୍ୟ କୌଣସି ଦଳର ଖାତା ଖତିଆନ ନାହିଁ କହିଲେ ଚଳେ। ଏହି ଖାତା ଖତିଆନ ବିହୀନ ଦଳଙ୍କୁ ନେଇ ଆଗାମୀ ନିର୍ବାଚନ ଲଢ଼ିବା ବିଜେପି ପାଇଁ କଷ୍ଟକର ବ୍ୟାପାର ହେବ ଏଥିରେ ସନ୍ଦେହ ନାହିଁ। ଦେଶରେ ଦରଦାମ ଆକାଶ ଛୁଆଁ ହେଲାଣି। ମଣିପୁର ହିଂସା ଥମିବାର ନାଁ ନେଉନାହିଁ। ହରିୟାଣା ପରି ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସାଂପ୍ରଦାୟୀକ ହିଂସା ବଢ଼ିଲାଣି। ଆସନ୍ତା ନଭେମ୍ବର ଓ ଡ଼ିସେମ୍ବର ମାସରେ ୪ ଗୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ୪ଗୋଟି ରାଜ୍ୟରେ ଏନ ଡ଼ି ଏ କର୍ଣ୍ଣାଟକ ପରି ଅବସ୍ଥା ଭୋଗିବ ବୋଲି କେନ୍ଦ୍ର ସରକାରକୁ ଆଭାସ ମିଳି ସାରିଲାଣି। ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ରାହୁଲ ଗାନ୍ଧୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ। ଏହାର ପ୍ରଭାବ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପଡ଼ିବ ବୋଲି ସାମ୍ପ୍ରତିକ ରାଜନୀତି ପାଣିପାଗ କହୁଛି। ବିପରୀତ ଫଳାଫଳ ହେଲେ ବିଜେପି ହାତରେ ଗୁଜୁରାଟ ଓ ଉତ୍ତରପ୍ରଦେଶ ଛଡା ଆଉ କୌଣସି ବଡ଼ ରାଜ୍ୟ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ମୈଦାନକୁ ଓଲ୍ଲାହାଇବା ବିଜେପି ପାଇଁ ମୁସ୍କିଲ ହେଇ ପଡ଼ିବ। ଏପରି ସ୍ଥିତିରେ ବିଜେପି ପାଖରେ ଦୁଇଟି ବଡ ବିକଳ୍ପ। ଓଡ଼ିଶାରୁ ବିଜେଡ଼ି ଓ ଆନ୍ଧ୍ରରୁ ୱାଇ ଏସ ଆର କଂଗ୍ରେସକୁ ସିଧାସଳଖ ଏନ ଡ଼ି ଏ ରେ ସାମିଲ କରାଇବା। ଏହି ଦୁଇ ଦଳର ସରକାର ଏବେ ଚାଲିଛି। ଏହି ଦୁଇ ଦଳ ସହିତ ଗଠବନ୍ଧନ କରି ବିଜେପି ଆସନ୍ତା ନିର୍ବାଚନ ନ ଲଢ଼ିଲେ ଦଳର ଅଭିମୁଖ୍ୟକୁ ଆଉ ସମ୍ମାନ ମିଳିବ ନାହିଁ।

୨୦୨୪ ସାଧାରଣ ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏ କଥା ସତ୍ୟ ଯେ ବିଜେଡ଼ି ଆଜି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରି ଆସୁଛି। ବାହାରେ କହୁଛି ଆମେ ସମଦୂରତା ବଜାୟ ରଖୁଛୁ। ଏବେ ଏହି ପରମ୍ପରା ଆଉ ବର୍ତ୍ତମାନ ପରିସ୍ଥିତିରେ ଚାଲି ପାରିବ ନାହିଁ ବୋଲି ବିଜେପି ଅନୁଭବ କରିସାରିଲେଣି। ବିଜପିର ଅବସ୍ଥା ବିଭିନ୍ନ ରାଜ୍ୟରେ ଲେଡ଼ି ଗୁଡ କହୁଣିକୁ ବୋହି ସାରିଲାଣି। ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟ ପାରି କଠୋର ପଦକ୍ଷେପ ନେବାର ସମୟ ଆସିଗଲାଣି। କର ବା ମର ପରିସ୍ଥିତି ସୃଷ୍ଟି କରି ବିଜେଡ଼ିକୁ ସିଧାସଳଖ ଏନ ଡ଼ି ଏ ରେ ସାମିଲ କରିବା ଲକ୍ଷ୍ୟରେ ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଅଚାନକ ଓଡ଼ିଶା ଗସ୍ତ ଏହାର ପ୍ରାରମ୍ଭିକ ସୂଚନା ବୋଲି ସୂତ୍ର କହୁଛି। ଓଡ଼ିଶାରେ ଶାସକ ବିଜେଡ଼ିର ଅର୍ଦ୍ଧାଧିକ ନେତା ବିଭିନ୍ନ ମାମଲାରେ ଜଡ଼ିତ। ତେଣୁ ଏକ ପ୍ରକାର ବନ୍ଧୁକ ମୁନରେ ଗୋଟି ଚଳାଇବା ଲକ୍ଷ୍ୟରେ ଏବେ ବିଜେପି। ସିବିଆଇ ଓ ଇଡ଼ି ତୟାର। ଅମିତ ସାହା ପୂର୍ବରୁ ଯେତେ ଥର ଓଡ଼ିଶା ଆସି ଯାଇଛନ୍ତି କିଛି ନା କିଛି ଅଘଟଣ ଘଟିଛି। ଏଥର କିନ୍ତୁ ଆର ୟା ପାର ସ୍ଥିତି। ଆସ ନ ହେଲେ ଫସ। ତେଣୁ ଅମିତ ସାହା ଦିଲ୍ଲୀ ଫେରିବା ପରେ ନିଶ୍ଚିତ ଭାବରେ କିଛିଟା ରାଜନୈତିକ ହଟଚମଟ ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.