Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣା ଘଟି ଦୀପାବଳିରେ ଲିଭିଗଲା ୨ ଜୀବନ ଦୀପ

ସଡକ ଦୁର୍ଘଟଣା ଘଟି ଦୀପାବଳିରେ ଲିଭିଗଲା ୨ ଜୀବନ ଦୀପ

20

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି କାଳୀପୂଜା ଓ ଦୀପାବଳି ପରିବାର ଲୋକେ ପାଳୁଥିବାବେଳେ ଏପଟେ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ପରିବାରଙ୍କ ଦୁଇଟି ଭେଣ୍ଡିଆ ପୁଅର ଜୀବନ। ସୂଚନା ଅନୁସାରେ ଖଣ୍ଡାୟତ ପଞ୍ଚାୟତର ଜୟପ୍ରକାଶ ପ୍ରଧାନ ମୁମ୍ବାଇରେ ରହି ଇଂଜିନିୟରିଂ ପଢୁଥିଲେ। ଦୀପାବଳି ଅବସରରେ ଘରକୁ ଆସିବା ପାଇଁ ମୁମ୍ବାଇରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏବଂ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଘରକୁ ଫୋନ୍ ଯୋଗେ ‘ମା’ ମୁଁ ଭୁବନେଶ୍ୱରରେ ପହଞ୍ଚିଗଲିଣି, ଆଉ ଅଳ୍ପ ସମୟ ଲାଗିବ ଘରେ ପହଞ୍ଚିବାକୁ। ମୋ ପାଇଁ ଖାଇବ ରଖିବନାହିଁ, ମୁଁ ହୋଟେଲରେ ଖାଇକରି ଯିବି। ଆଉ ଗଲାବେଳେ ଏଠାରୁ ବାଣ କିଣିନେବି, ଘରେ ଦୀପାବଳି ପାଳିବା। ମୋ ସାଙ୍ଗ ହାତୀସାହିର ମୀନକେତନ ବିନ୍ଧାଣୀ ତା ବୁଲେଟ୍ ନେଇ ଆସିଗଲାଣି, ଆଉ ୨ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବି, ମୋ ପାଇଁ ଚିନ୍ତା କରନି, ମୁଁ ଘରକୁ ଗଲେ କଥାହେବି’ ବୋଲି ଜୟପ୍ରକାଶ ତାର ମା’ କୁ କହିଥିଲା। ଜୟପ୍ରକାଶ ତା ସାଙ୍ଗ ମୀନକେତନ ସହ ବୁଲେଟ୍‌ରେ ବସି ଭୁବନେଶ୍ୱରରୁ ଘରକୁ ଆସୁଥିବ ସମୟରେ ଭଦ୍ରକର ଗେଲପୁର ଛକ ନିକଟରେ ଏକ କଣ୍ଟେନର ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଲରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଟାୟାର ଜାଳି ରାସ୍ତାରୋକ କରିଥିବାବେଳେ ଡିବିଏଲ୍ କଂପାନୀର ମନମୁଖୀ କାର୍ଯ୍ୟ ପାଇଁ ୨ଟି ଶିକ୍ଷିତ ଯୁବକଙ୍କ ଜୀବନ ଚାଲିଯାଇଥିବାର କହିଛନ୍ତି। ସେଠାରେ ଟାଉନ୍ ଥାନାଧିକାରୀ ଉମାଶଙ୍କର ନାୟକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କ ଜୀବନ ଦୀପ ଲିଭିଯାଇଥିବାରୁ ଭଦ୍ରକ ଜିଲାରେ ଏକ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.