Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀଙ୍କ ବେଦମାତା ଓ ମହାକାଳୀ ବେଶ

ମା’ ଭଦ୍ରକାଳୀଙ୍କ ବେଦମାତା ଓ ମହାକାଳୀ ବେଶ

22

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା’ଙ୍କର ବେଦମାତା ବେଶ ସହିତ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଛି। ସକାଳଠାରୁ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଧାଡ଼ିବାନ୍ଧି ଭକ୍ତମାନେ ଧୂପ, ଦୀପ ଦେଇ ମା’ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ବେଦମାତା ବେଶରେ ମା’ଙ୍କର ମୁଖମଣ୍ଡଳ ହଳଦୀ ବର୍ଣ୍ଣ ଥିବା ବେଳେ ମା’ ହଳଦିଆ ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଥିଲେ। ହଂସ ବାହନରେ ପଦ୍ମାସନରେ ବିରାଜମାନ କରି ମା’ ଉପର ହସ୍ତ ଯୁଗଳରେ ଜପାମାଳୀ ଓ ତଳ ହସ୍ତ ଯୁଗଳରେ କମଣ୍ଡଳୁ ଓ ପଦ୍ମ ଧାରଣ କରି ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସକାଳ ୯ ଘଟିକା ସମୟରେ ମନ୍ଦିର ମଧ୍ୟରୁ ମାନସିକଧାରୀ ଭକ୍ତମାନେ ବାଦ୍ୟ, ନୃତ୍ୟ ଓ ଆତସବାଜୀ ସହ ଏକ ବିରାଟ ପଟୁଆରରେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକ ଧାରୀ ଭକ୍ତମାନେ ଜଳ ଉଠାଇ ମନ୍ଦିର ଯଜ୍ଞ ମଣ୍ଡପ ଚତୁର୍ପାଶ୍ୱର୍ରେ ପରିକ୍ରମା କରିବା ପରେ କଳସ ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା।

ବିଶ୍ୱଶାନ୍ତି ଯଜ୍ଞର ଶୁଭାରମ୍ଭ ପୂର୍ବରୁ ମନ୍ଦିରରେ ସୂର୍ଯ୍ୟପୂଜା, ଗୁରୁପୂଜା, ପଞ୍ଚ ଦେବତା ପୂଜା ଓ ମଙ୍ଗଳ ଆଳତୀ ପରେ ବେଦ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ବେଦପାଠ କରାଯାଇଥିଲା। ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦାନରେ ଯଜ୍ଞର ଶୁଭାରମ୍ଭ ଅବସରରେ ହଜାର ହଜାର ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ବଌକ୍ଷଗ୍ଧ;ନ କରାଯାଇଥିଲା। ସେହପରି ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ସୂର୍ଯ୍ୟ ପରାଗ ପାଇଁ ମା’ଙ୍କର ପହଡ଼ ବନ୍ଦ ରହିଥିଲା। ସନ୍ଧ୍ୟା ପରେ ମା’ଙ୍କର ମହାକାଳୀ ବେଶକୁ ଦର୍ଶନ କରିବା ପାଇଁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ମା’ ଭଦ୍ରକାଳୀ କୋଳରେ ବାଳଗୋପାଳଙ୍କୁ ଧାରଣ କରି ସ୍ନେହମୟୀ ଶାନ୍ତା ହେଲେ ମଧ୍ୟ ବର୍ଷକରେ ଥରଟିଏ ଏହି ଅମାବାସ୍ୟା ସମୟରେ ଗୋଟିଏ ଦିନ ଉଗ୍ରରୂପ ଧାରଣ କରିଥାନ୍ତି। ମହାକାଳୀ ବେଶରେ ମା’ ମୁକ୍ତକେଶା, ରକ୍ତଜିହ୍ୱା, ମୁଣ୍ଡମାଳ ଓ ଖଡ୍‌ଗ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପାପୀ ଓ ଅଧର୍ମୀଙ୍କୁ ଧର୍ମ ମାର୍ଗରେ ପରିଚାଳିତ ହେବା ପାଇଁ ବାର୍ତ୍ତା ଦେଇଥାନ୍ତି। ଆସନ୍ତାକାଲି ମା’ଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.