Home ଜିଲ୍ଲା ପରିକ୍ରମା ସଚେତନତା ହିଁ ଖାଉଟି ସୁରକ୍ଷାର ଚାବିକାଠି, ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ସୁରକ୍ଷା ଦିବସ ପାଳିତ

ସଚେତନତା ହିଁ ଖାଉଟି ସୁରକ୍ଷାର ଚାବିକାଠି, ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ସୁରକ୍ଷା ଦିବସ ପାଳିତ

11

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଉପନିୟନ୍ତ୍ରକ, ବୈଧ ମାପ ବିଜ୍ଞାନ ଭଦ୍ରକ କାର୍ଯ୍ୟାଳୟର ସଂଯୋଜନାରେ ଇଚ୍ଛାପୁର, ଭଦ୍ରକର ସଂଗଠନ ‘ପେଡ଼଼’ ଦ୍ୱାରା ଆୟୋଜିତ ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ଦିବସ ଜିଲ୍ଲା ସଂସ୍କୃତି ଭବନରେ ପାଳିତ ହୋଇଯାଇଛି । ପ୍ରତିଦିନ ପ୍ରତିମୁହୂର୍ତ୍ତରେ ଆମ୍ଭର ଆବଶ୍ୟକତା ଅନୁଯାୟୀ କୌଣସି ନା କୌଣସି ଦ୍ରବ୍ୟ ବା ସେବା କ୍ରୟ କରିବା ଆଧାରରେ ଆମେ ସମସ୍ତେ ଜଣେ ଜଣେ ଖାଉଟି । ଖାଉଟି ହିସାବରେ କ୍ରୟ ଜନିତ ଠକାମିରୁ ବର୍ତ୍ତିବାପାଇଁ ପ୍ରଣୀତ ଖାଉଟି ସୁରକ୍ଷା ଅଧିକାର ଆଇନ୍ ସମ୍ବନ୍ଧରେ ସଚେତନ ହେବା ସମସ୍ତଙ୍କ ପାଇଁ ଜରୁରୀ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ । ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଲିଙ୍ଗରାଜ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂପୃକ୍ତ ବିଭାଗୀୟ ସେବା ପ୍ରଦାନରେ ଖାଉଟିମାନେ କିପରି ସଚେତନ ହେବେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଉପଭୋକ୍ତା କମିଶନ୍ ର ସଭାପତି ଆଇନଜ୍ଞ ଶିବ ପ୍ରସାଦ ମହାନ୍ତି ଖାଉଟି ସୁରକ୍ଷା ଆଇନ କେତେ ସରଳ, ଏହାର ଆଶ୍ରୟ ନେବା କେତେ ସହଜ, ଅଭିଯୋଗ ଦାଖଲ କରିବାର ତରିକା, ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶୁଳ୍କ ଅଭିଯୋଗ ଦାଖଲ ବ୍ୟବସ୍ଥା, ଘରେବସି ଅନ୍‌ଲାଇନ୍‌ରେ ପୁଣି ଖାଉଟିର ଇଚ୍ଛାମୁତାବକ ଯେକୌଣସି ସ୍ଥାନରେ ଥାଇ ଅଭିଯୋଗ ଦାଖଲ କରିପାରିବାର ସୁବିଧା, ୩ ମାସ ମଧ୍ୟରେ ଅଭିଯୋଗ ଫଇସଲା ହେବାର ଧାର୍ଯ୍ୟ ଅବଧି, ଓକିଲ କିମ୍ବା ବିନା ଓକିଲ ସାହାଯ୍ୟରେ ସାମାନ୍ୟ ହାତଲେଖା ଦରଖାସ୍ତ ଜରିଆରେ ଅଭିଯୋଗ ଦାଖଲ ପାଇଁ ଥିବା ସୁଯୋଗ ଆଦି ବିଷୟରେ ପଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭୁଦତ୍ତ ଦାସ, ଆଇନଜ୍ଞ ବିଷ୍ଣୁମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ଖାଉଟି ଅଧିକାର ସୁରକ୍ଷା ନେଇ ସଂପୃକ୍ତ ବିଭାଗୀୟ ସଚେତନତା, ଆଇନ୍‌ର ଉପାଦେୟତା, ଖାଉଟି ଅଧିକାର ଜାହିର ପାଇଁ ସଚେତନତା କେତେ ଜରୁରୀ ଆଦି ବିଷୟରେ ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳକ ତଥା ଏହି କାର୍ଯ୍ୟକ୍ରମର ସଂଯୋଜକ ବୈଧ ମାପ ବିଜ୍ଞାନ ବିଭାଗର ଉପନିୟନ୍ତ୍ରକ ପ୍ରିୟବ୍ରତ ଜେନା ଖାଉଟି ସଚେତନତାର ବିଭିନ୍ନ ଦିଗ ଉପରେ ବ୍ୟାଖ୍ୟା କରିବା ସହ ଓଜନ ମାପ ଯନ୍ତ୍ର ବ୍ୟବହାରରେ ବିଭିନ୍ନ ଉପାୟରେ ଠକାମିର ଶିକାର ହେବା ପଦ୍ଧତି ସମ୍ବନ୍ଧରେ ପ୍ରଦର୍ଶନ କରି ଠକାମିରୁ ବର୍ତ୍ତିକା ପାଇଁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମର ଆୟେ।।ଜକ ପେଡ଼ ସଂଗଠନର ସମ୍ପାଦକ ଦିବାକର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ଅଧ୍ୟକ୍ଷ କାର୍ତ୍ତିକ ଜେନା, କୋଷାଧ୍ୟକ୍ଷ, ଜଗତଜ୍ୟୋତି ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ଅଙ୍ଗନବାଡ଼ି କର୍ମୀ, ଏସ୍‌.ଏଚ୍‌.ଜି. ମହିଳା ଓ ସଂଗଠନର ସଦସ୍ୟା ବିଭିନ୍ନ ବର୍ଗର ମହିଳା ଖାଉଟି, ଗଣମାଧ୍ୟମ ପ୍ରତିନିଧି ଆଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.