Home ଓଡ଼ିଶା ଶୀତଳଷଷ୍ଠୀ ନଗର ପରିକ୍ରମା ଯାତ୍ରାରେ ବାହାରିଲେ ଦେବଦମ୍ପତି : ଉଛୁଳିଲା ସମ୍ବଲପୁର ସହର

ଶୀତଳଷଷ୍ଠୀ ନଗର ପରିକ୍ରମା ଯାତ୍ରାରେ ବାହାରିଲେ ଦେବଦମ୍ପତି : ଉଛୁଳିଲା ସମ୍ବଲପୁର ସହର

254

ସମ୍ବଲପୁର, ୯/୬ (ଓଡ଼ିଆ ପୁଅ) – ଦେବଦେବ ମହାଦେବ ଏବଂ ଜଗତ୍ ଜନନୀ ମାତା ପାର୍ବତୀଙ୍କ ଶୁଭପରିଣୟ ବୈଦିକ ରୀତିନିତି ଅନୁସାରେ ସମ୍ପନ୍ନ ହୋଇଛି। ବ୍ରାହ୍ମ ମୁହୁର୍ତରେ ମହାଦେବ-ପାର୍ବତୀଙ୍କ ହସ୍ତବନ୍ଧନ ପରେ ନବବିବାହିତ ଦେବଦମ୍ପତି ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାହାରିଛନ୍ତି। ଏହି ବହୁପ୍ରତିକ୍ଷିତ ଶୀତଳଷଷ୍ଠୀ ଶୋଭାଯାତ୍ରା ମଧ୍ୟରାତ୍ରରେ ପ୍ରାରମ୍ଭ ହୋଇଛି। ବବାହ ପରେ ନବବଧୂ ପାର୍ବତୀ ଏବଂ ମହାଦେବ ଦେବଦମ୍ପତି ରୂପେ ନିଜ ନିଜ ମନ୍ଦିର ବେଢ଼ାକୁ ବିମାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ବିବାହ ମଣ୍ଡପ୍ ରୁ ଦେବ ଦମ୍ପତିଙ୍କ ସହ ଆସୁଥିବା କନ୍ୟାପକ୍ଷ ଏହି ସମୟରେ ଭାବବିହ୍ୱଳ ହୋଇ ଉଠିଥିଲେ। ମନ୍ଦିରମାନଙ୍କର ଦ୍ୱାରରେ ଦେବଦମ୍ପତିଙ୍କୁ ସ୍ୱତନ୍ତ୍ର ଆଳତୀ କରାଯାଇଥିଲା। ପରେ ସୁସଜ୍ଜିତ ବେଶରେ ଆକର୍ଷଣୀୟ ପରଭା ଖଚିତ ରଥରେ ଆରୁଢ଼ ହୋଇ ପାଶ୍ୱର୍ଦେବାଦେବୀଙ୍କ ସହିତ ଶୀତଳ ଷଷ୍ଠୀ ଯାତ୍ରାରେ ନଗର ପରିକ୍ରମା ଆରମ୍ଭ କରିଥିଲେ। ବଭିନ୍ନ ପଡ଼ାର ମୁଖ୍ୟ ପରଭା ସମ୍ମୁଖରେ ହନୁମାନ ଏବଂ ନୃସିଂହ ପରଭା, ପଂଚବକ୍ତ୍ର ଓ ଗୋପୀନାଥ, ନାନା କିସମର ସୁଶୋଭିତ ପ୍ରଜ୍ଞାପନ ମେଢ଼, ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ହଜାର ହଜାର କଳାକାରଙ୍କ ବିଭିନ୍ନ ପ୍ରକାରର ଲୋକନୃତ୍ୟ, ସଙ୍ଗୀତ, ବାଦ୍ୟ ଆଦିର ସମାହାର ରହିଛି। ମୁଖ୍ୟ ରାସ୍ତାରେ ଉଭୟ ପଟେ ବହୁଲୋକ ଯାତ୍ରା ଉପଭୋଗ କରୁଛନ୍ତି। ଏହା ବାହାରେ ମଧ୍ୟ ସହରର ବିଭିନ୍ନ ମୁଖ୍ୟରାସ୍ତାରେ ଲୋକଙ୍କର ଯିବାଆସିବା ଲାଗିରହିଛି। ବର୍ଷକରେ ଥରେ ରଥାରୁଢ଼ ହୋଇ ମନ୍ଦିର ଭିତରୁ ନଗର ପରିକ୍ରମାରେ ବାହାରୁଥିବା ଦେବଦମ୍ପତିଙ୍କ ଯୁଗଳ ବିଗ୍ରହ ଦର୍ଶନ ଓ ପୂଜା ପାଇଁ ଅସଂଖ୍ୟ ଭକ୍ତ ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ମାର୍ଗରେ ପୋଲିସ ଜଗି ରହିଛନ୍ତି।

ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହ ସତ୍ୱେ ସହରକୁ ଆସୁଥିବା ସମସ୍ତ ଟ୍ରେନ୍, ବସ ଓ ଅନ୍ୟାନ୍ୟ ଯାନବାହନରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରର ୯ ହଜାରରୁ ଉର୍ଦ୍ଧ୍ୱ କଳାକାର ଅଂଶଗ୍ରହଣ କରୁଛନ୍ତି।

ସେହିପରି ବଡ଼ବଜାର ଶୀତଳେଶ୍ୱର ବାବା ଓ ଠାକୁରପଡ଼ା ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଗୁଢ଼େଶ୍ୱର ବାବା, ବାଲିବନ୍ଧା ସୋମନାଥ ବାବା, ମାନେଶ୍ୱର ମାନ୍ ଧାତା ବାବାଙ୍କ ଶୀତଳଷଷ୍ଠୀ ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି।

ଐତିହାସିକ ଶୈବପୀଠ ବୁଢ଼ାରଜାର କୋଶଳେଶ୍ୱର ମହାଦେବ, ବଡ଼ବଜାରର ଶ୍ରୀଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀଶ୍ରୀ ଗୁପ୍ତେଶ୍ୱର ବାବା, ଦୁର୍ଗାପାଲିର ଶ୍ରୀଶ୍ରୀଗୁଡ଼େଶ୍ୱର ବାବା, ସାଲିହାବଗିଚା, ସାକ୍ଷୀପଡ଼ା, ଫାଟକ, ସହର ଉପକଣ୍ଠସ୍ଥ ମାନେଶ୍ୱରର ମାନ୍ ଧାତା ବାବା, ସିନ୍ଦୁରପଙ୍କର ମହାକାଳେଶ୍ୱର ବାବା ସୁନା ଓ ରୂପା ଅଳଙ୍କାରରେ ସଜେଇ ହୋଇ ଶୀତଳଷଷ୍ଟୀ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଘଂଟ, ଶଂଖ, ଢ଼ୋଲ, ଦୁଲଦୁଲି, ସଂର୍ପଦା ଓ ଘୁମୁରା ବାଦ୍ୟରେ ରାଜରାସ୍ତା ଉଛୁଳି ଉଠିଥିଲା। ଅନ୍ୟପକ୍ଷରେ ନିରନ୍ତର ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ, ସହରକୁ ପରିସ୍କାର ପରିଚ୍ଛନ୍ନ ରଖିବା ଓ ଲୋକଙ୍କୁ ପ୍ରାଥମିକ ସ୍ୱାାସ୍ଥ୍ୟସେବା ଯୋଗେଇ ଦେବା ପାଇଁ ଜିଲ୍ଲା ପ୍ରଶାସନ୍, ମହାନଗର ନିଗମ, ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ ଓ ବିଦ୍ୟୁତ୍ ବିଭାଗ ସହିତ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସହରକୁ ଆସୁଥିବା ରାସ୍ତା ମାନଙ୍କ ପାଶ୍ୱର୍ରେ ବିଭିନ୍ନ ସଂଗଠନ ଥଣ୍ଡା ପାନୀୟ ଜଳ ଓ ଖାଦ୍ୟ ବିତରଣ କରୁଥିବା ଦେଖାଯାଇଥିଲା।

ଲୋକାଚାର, ରୀତିନୀତି ଓ ପରମ୍ପରାରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ଶନିବାର ଭୋର୍ ରେ ସମ୍ପନ୍ନ ହୋଇଛି। ବ୍ରାହ୍ମମୁହୂର୍ତରେ ଦେବଦମ୍ପତିଙ୍କ ହସ୍ତବନ୍ଧନ ହୋଇଥିଲା। ବେଲପତ୍ର, କୁଶରଜୁ ଓ ପଦ୍ମମାଳରେ କନ୍ୟା ପିତାମାତା ଜଳଦାନ କରିଥିଲେ। ପଣ୍ଡିତଙ୍କ ମହାମନ୍ତ୍ର ଉଚ୍ଚାରଣରେ ବିବାହ ଉତ୍ସବ ହୋଇଥିଲା। ରଙ୍ଗୀନ ଆତଶବାଜିରେ ମୁକ୍ତାକାଶ ଝଟକୁ ଥିଲା। ରବିବାର ସନ୍ଧ୍ୟା ପୂର୍ବରୁ ଶିବ-ପାର୍ବତୀ ନିଜ ନିଜ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.