ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶିବ ବିବାହ ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଦେଶ ସେବା ସଂଗଠନର ଟାଇଟଲ ସଙ୍ଗୀତ “ସଂକଳ୍ପ ଯାହାର ସେବା ମନୋଭାବ” ରିଲିଜ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ସମାଜସେବୀ ସତ୍ୟନନ୍ଦ ରାଉତ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମାଜସେବା ଓ ମାନବିକତାର ବାର୍ତାକୁ ନେଇ ପ୍ରସ୍ତୁତ ଏହି ସଙ୍ଗୀତ ଦର୍ଶକ ଓ ଶ୍ରୋତାଙ୍କ ମନକୁ ସ୍ପର୍ଶ କରିବ ବୋଲି ସଂଗଠନର ଉପଦେଷ୍ଟା ତଥା ସମାଜସେବୀ ଶ୍ରୀ ରାଉତ କହିଛନ୍ତି। ଶିବ ବିବାହ ଉତ୍ସବର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ସଙ୍ଗୀତର ଲୋକାର୍ପଣ ଉତ୍ସବକୁ ଆହୁରି ଭବ୍ୟ ଓ ସ୍ମରଣୀୟ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି। ଇଂ. ଦୁଃଶାସନ ବାରିକ ଏହି ଟାଇଟଲ ସଙ୍ଗୀତ ରଚନା କରିଥିବା ବେଳେ ରୁଦ୍ରମାଧବ ବାରିକ ସଙ୍ଗୀତ ସଂଯୋଜନା କରିଛନ୍ତି ।କଣ୍ଠଶିଳ୍ପୀ ଅଶ୍ୱନୀ କୁମାର ମହାନ୍ତି କଣ୍ଠଦାନ କରିଛନ୍ତି । ସଂଗଠନର ମୂଳମନ୍ତ୍ର ଅସହାୟର ଆଶାର ବାଡ଼ି କୁ ଏହି ସଙ୍ଗୀତରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ପ୍ରଦେଶ ସେବା ସଂଗଠନ ଦୀର୍ଘଦିନ ଧରି ସମାଜସେବା, ମାନବିକ ସହାୟତା ଓ ସାମାଜିକ ସଚେତନତା କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ଟାଇଟଲ ସଙ୍ଗୀତ ସଂଗଠନର ଆଦର୍ଶ ଓ ସେବାଭାବକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାରେ ସହାୟକ ହେବ ବୋଲି ସଂଗଠନର ସଭାପତି ରଂଜନ ମିଶ୍ର କହିଛନ୍ତି । ଉପଦେଷ୍ଟା ଧୃବ ଚରଣ ପାଣିଗ୍ରାହୀ, ସମ୍ପାଦିକା ସୁଭଦ୍ରା ଭାରତୀ, କୋଷଦକ୍ଷ ଆର୍ତ ବଲ୍ଲବ ବାରିକ,ଅକ୍ଷୟ ରଣା,ଗୋଲକ ବିହାରୀ ସେଠୀ, ନରେନ୍ଦ୍ର ମହାନ୍ତି, କମଳା କାନ୍ତ ବାରିକ, ପବିତ୍ର ମୋହନ ବେହେରା, ଧୀରେନ୍ଦ୍ର ବାରିକ ଓ ମାନସ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।








