Home ଜିଲ୍ଲା ପରିକ୍ରମା ରାସ୍ତା ପାଶ୍ୱର୍ରେ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବାକୁ ନେଇ ତେଜିଲା ଅସନ୍ତୋଷ

ରାସ୍ତା ପାଶ୍ୱର୍ରେ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବାକୁ ନେଇ ତେଜିଲା ଅସନ୍ତୋଷ

41

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପାଶ୍ୱର୍ରେ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଫୁଟ୍‌ଫାଥ ଉପରେ ଏହି ପାଇପ୍ ବିଛାଯାଉଥିବାବେଳେ ରାସ୍ତାକୁ ଲଗାଇ ମେସିନ୍ ଦ୍ୱାରା ଗଭୀର ନାଳ ଖୋଳାଯିବା ଫଳରେ ତାର ସ୍ଥାୟୀତ୍ୱ ଉପରେ କୁପ୍ରଭାବ ପକାଇବା ବୋଲି ଅଭିଯୋଗ ହୋଇଛି । ପାଇପ୍ ବିଛାଇବା ପାଇଁ ମାଟି ଖୋଳାଯିବା ପରେ ସେଗୁଡିକୁ ମୁଖ୍ୟ ରାସ୍ତା ଉପରେ ପକାଯିବା ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ବହୁ ସମସ୍ୟା ଉପୁଜୁଥିବା ନେଇ ସ୍ଥାନୀୟ ଲୋକେ ଠିକାଦାରଙ୍କ କାର୍ଯ୍ୟଙ୍କୁ ବନ୍ଦ କରିଛନ୍ତି । ଅଚକ ପଂଚାୟତର ପୂର୍ବତନ ନାଏବ ସରପଞ୍ଚ ଗଣେଶ ପ୍ରସାଦ ବିଶ୍ୱାଳଙ୍କ ସମେତ ପାଳିଆବିନ୍ଧା ପଂଚାୟତର ପୂର୍ବତନ ସରପଞ୍ଚ ମଣ୍ଟୁ ଜେନା ଓ ସ୍ଥାନୀୟ ଲୋକେ ଏହି କାମ ବନ୍ଦ କରି ପୂର୍ତ୍ତ ବିଭାଗ ଏସ୍‌ଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେମାନଙ୍କ ଅଭିଯୋଗ ମୂଳେ ଏହି ପାଇପ୍ ବିଛାଇବା ସମୟରେ ରାସ୍ତାରେ ଚଳାଚଳ କରୁଥିବା ଯାନବାହନ ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଠିକାଦାର ଦୃଷ୍ଟି ଦେଉନାହାଁନ୍ତି । ଏଥିସହ ସଡକ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ପାଇପ୍ ଲାଇନ୍ ପାଇଁ ଖୋଳାଯାଉଥିବା ଗାତରେ ବାଲି ଦିଆଯାଉନଥିବାରୁ କିଛିଦିନ ପରେ ଉକ୍ତ ଅଂଶ ଦବିଯିବା ସହ ବିପଦପୂର୍ଣ୍ଣ ଅବସ୍ଥା ସୃଷ୍ଟି ହେବ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ ସଂପର୍କରେ କୌଣସି ସୂଚନା ଫଳକ ନଥିବାରୁ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବାବେଳେ ପୂର୍ତ୍ତ ବିଭାଗ ମୁହଁ ଖୋଲୁନଥିବା ନେଇ ଚର୍ଚ୍ଚା ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ପରେ ରାସ୍ତାରୁ କିଛି ମାତ୍ରାରେ ମାଟି ଉଠାଯାଇଥିଲେ ମଧ୍ୟ ବର୍ଷା ଯୋଗୁଁ ପ୍ରାୟ ୬ ଶହ ମିଟର ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି । ଫଳରେ ୨ ଚକିଆ ଯାନର ଆରୋହୀମାନେ ଦୁର୍ଘଟଣାଗ୍ରସ୍ତ ହେଉଥିବାର ନଜରକୁ ଆସିଛି । ପାଳିଆବିନ୍ଧା ସେବା ସମବାୟ ସମିତି ସମ୍ମୁଖରେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବାବେଳେ ବର୍ଷା ଯୋଗୁଁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଜିଲା ପ୍ରଶାସନ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.