Home ଜିଲ୍ଲା ପରିକ୍ରମା ରାସ୍ତାକାମ ଚାଲୁଥିଲା ବେଳେ ଯନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ତାଗିଦ୍‌, ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା...

ରାସ୍ତାକାମ ଚାଲୁଥିଲା ବେଳେ ଯନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ତାଗିଦ୍‌, ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ

32

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ସବୁର ସଠିକ୍ ଓ ଉଚିତ୍ ଢଙ୍ଗରେ କାର୍ଯ୍ୟାଦ୍ୱୟନ ପାଇଁ ସମୀକ୍ଷା, ମତାମତ, ଅଭିଯୋଗ ଆଦି ଉଦ୍ଦେଶ୍ୟରେ ତୃତୀୟ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ ବା “ଦିଶା” ବୈଠକ ଗତକାଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏବଂ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ଏହି ବୈଠକରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରିଥିଲେ । ପୂର୍ତ୍ତ ଓ ଆର.ଡ଼ି.ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ଭଦ୍ରକ ଜିଲ୍ଲାର ରାସ୍ତା ସବୁର ଗୁଣାତ୍ମକମାନ ଉପରେ ପ୍ରଶ୍ନ ଲଗାଇଥିଲେ ଯୋଜନାବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାୟ ।

ରାସ୍ତାକାମ ଚାଲୁଥିଲା ବେଳେ କୌଣସି ଜେ.ଇ.କି.ଏସ୍‌.ଡ଼ି.ଓ କ୍ଷେତ୍ର ସ୍ଥଳରେ ଉପସ୍ଥିତ ରହୁନଥିବାରୁ ଠିକାଦାରଙ୍କ ମନମାନିରେ କାମ ଚାଲୁଛି । ରାସ୍ତା ତିଆରି ସରୁ ସରୁ କେଉଁଠି ପିଚୁ ଉଠିଯାଉଛି ତ କେଉଁଠି କଂକ୍ରିଟ୍ ରାସ୍ତା ଫାଟି ଯାଉଛି । ଦୋଳ ସାହି ବୋଡ଼କ ରାସ୍ତା ଭଳି ଧାମନଗର ବ୍ଲକ୍‌ରେ ଅନେକ ରାସ୍ତା କାମ ଅଧାପନ୍ତରିଆ, ଅସମ୍ପୂର୍ଣ୍ଣ ଓ ଖରାପ ଅବସ୍ଥାରେ ଥିବା ନେଇ ଅଭିଯୋଗ ଆସିଥିଲା । ଖରାପ କାମ କରୁଥିବା ଠିକାଦାର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ଏନେଇ ଭିଜିଲାନସ୍ ବିଭାଗକୁ ଅବଗତ କରାଯିବ ବୋଲି ଶ୍ରୀଯୁକ୍ତ ରାୟ ବୈଠକରେ ଉପସ୍ଥିତ ପୂର୍ତ୍ତ, ଆର.ଡ଼ି.-୧ ଓ ଆର.ଡ଼ି.-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ । କ୍ଷେତ୍ରକୁ ଯାଉନଥିବା ଜେଇ, ଏସ୍‌.ଡ଼ି.ଓ.୍ ମନାଙ୍କ କ୍ଷେତ୍ରରେ ସସ୍‌ପେଣ୍ଡ, ଡ଼ିସ୍‌ମିସ୍ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ । ବାଉଦ୍‌ପୁର ଓଭରବ୍ରିଜ୍ ପାଇଁ ଆପ୍ରୋଚ ରୋଡ଼, ନଳାଙ୍ଗରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ୭ ନଂ କେନାଲ ବନ୍ଧ ରାସ୍ତା ପିଚୁ କରାଯିବା, ଦୁର୍ବଳ ନଦୀ ବନ୍ଧ ଚିହ୍ନଟ କରାଯାଇ ପ୍ରତିକାର କରାଯିବା ଧାମନଗର ଏନ୍‌.ଏ.ସି. ଅଞ୍ଚଳରେ ଯ ନାଳ ସଫେଇ କରାଯିବା, ଓଲଙ୍ଗ୍ ପଞ୍ଚାୟତରେ ବାଣିତିଆ, ଆମ୍ବରୁଳି, କାଉପୁର, ବାଉଦପୁର ଆଦି ଅଞ୍ଚଳକୁ ଯୋଗାଯୋଗ ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ ପରେ ବି ଜମି ମାଲିକଙ୍କୁ ଅର୍ଥ ନମିଳିବା ଯୋଗୁଁ ରାସ୍ତା କାମ ହୋଇପାରୁ ନଥିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଆଗାମୀ ଡ଼ିସେମ୍ବରରୁ ଆଖୁଆପଦା ବ୍ୟାରେଜ କାମ ଆରମ୍ଭ ହେବା ଓ କୋଚିଳା ବ୍ୟାରେଜ୍ କାମ ଶେଷ ହେବା ବିଷୟରେ ସୂଚନା ଦିଆଯାଇଥିଲା । ୨୦୨୫ ସୁଦ୍ଧା ରବିଚାଷ ପାଇଁ ଭଦ୍ରକ ଜିଲ୍ଲାକୁ ଜଳସେଚନ ହୋଇପାରିବ ବୋଲି ବିଭାଗତରଫରୁ ପ୍ରକାଶ କରାଯାଇଥିଲା । ଶାଳପଡ଼ା ଜଳସେଚନ ଦ୍ୱାରା ଭଣ୍ଡାରିପୋଖରୀର ସର୍ବାଧିକ ଅଞ୍ଚଳ ୨୭,୯୧୩ ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯାଉଥିବା ନେଇ ସଂପୃକ୍ତ ଯନ୍ତ୍ରୀ ପ୍ରକାଶ କରିଥିଲେ ।

ରବି ଫସଲ ପାଇଁ ଚାଷୀ ଆଗ୍ରହୀ ଓ ସେଚତନ ହେବାର ଆବଶ୍ୟକ ଅଛି ବୋଲି ଆଲୋଚନା କରାଯାଇଥିଲା । ୨୦୧୧ ପରେ ଆସିଥିବା ବୋହୁ ଓ ଜନ୍ମ ନେଇଥିବା ପିଲାମାନଙ୍କୁ ରେସନକାର୍ଡ଼ ଭୁକ୍ତ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଆଗାମୀ ଦିନରେ ତାଲିକାଭୁକ୍ତ ହେବାକୁ ଥିବା ନୂଆ ରେସନକାର୍ଡ଼ ପାଇଁ ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ଚାଳଘର ଥିବା ସମସ୍ତ ଲୋକ୍‌୍ ମାନଙ୍କ ତାଲିକା ନିହାତି ପ୍ରସ୍ତୁତ କରିବାକୁ ଯୋଗାଣ ଅଧିକାରୀ ଓ ବି.ଡ଼ି.ଓ.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଏକକ ଶିକ୍ଷକ ନେଇ ଚାଲୁଥିବା ୮୯ ଟି ସ୍କୁଲର ସମସ୍ୟା ଗ୍ରୀଷ୍ମ ଛୁଟି ଖୋଲିବା ପୂର୍ବରୁ ସମାଧାନ ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାଂସଦ ଓ ବିଧାୟକ ମାନଙ୍କ ପାଣ୍ଠି ଅର୍ଥ ବ୍ୟୟ କରି ୟୁ.ସି. ଦିଆନଗଲେ ୨୩-୨୪ ବର୍ଷ ପାଇଁ ଅର୍ଥ ଆସିବାରେ ସମସ୍ୟା ଥିବାରୁ ବି.ଡ଼ି.ଓ.ମାନେ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ମିଶନ ଶକ୍ତିର ଉଲ୍ଲେଖନୀୟ ସଫଳତାରେ ୩୦ ଜିଲ୍ଲା ମଧ୍ୟରେ ଭଦ୍ରକ ୨ୟ ସ୍ଥାନ ନେବା, ଉକ୍ତ ଯୋଜନାରେ ଋଣ ପ୍ରଦାନ, ତାଲିମ କେନ୍ଦ୍ର, ଗୃହ ନିର୍ମାଣ ଆଦି ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା । ଦୀନଦୟାଲ ଉପାଧ୍ୟାୟ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶାନ୍‌ରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରଦାନ ନେଇ ବିଭିନ୍ନ ସମସ୍ୟା ଓ ନୂତନ ଡି଼.ଏଚ୍‌.ଏଚ.ରେ ଆଗାମୀ ଦିନରେ ଉପଲବ୍‌ଧ ହେବାକୁ ଥିବା ସୁବିଧା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ସି.ଡ଼ି.ଓ ପ୍ରତାପ ପ୍ରୀତିମୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.