Home ଓଡ଼ିଶା ରାଫେଲ ଯୁଦ୍ଧ ବିମାନ କ୍ରୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ : ପୁନଃସମୀକ୍ଷା ଆବେଦନ ଆଧାରହୀନ :...

ରାଫେଲ ଯୁଦ୍ଧ ବିମାନ କ୍ରୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ : ପୁନଃସମୀକ୍ଷା ଆବେଦନ ଆଧାରହୀନ : ସର୍ବୋଚ୍ଚ ନ୍ୟାୟାଳୟ

174

– ସରକାରଙ୍କ ନିଷ୍ପତି ପ୍ରକ୍ରିୟା ଯଥାର୍ଥ
– ସମସ୍ତ ଦିଗକୁ ବିଚାର କରିଛନ୍ତି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ
ନୂଆ ଦିଲ୍ଲୀ ୧୪-୧୧ (ଓଡ଼ିଆ ପୁଅ) ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟର ତଦନ୍ତ କରିବାକୁ ଆଗତ ଏକ ମାମଲାରେ ୧୪ ଡିସେମ୍ବର, ୨୦୧୮ରେ ସୁପ୍ରିମକୋର୍ଟ ଏକ ସ୍ପଷ୍ଟ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପୁନଃସମୀକ୍ଷା ଆବେଦନକୁ ଆଧାରହୀନ ବୋଲି ଆଜି ରାୟ ଦେଇ ନିର୍ଦ୍ଦିଷ୍ଟ ଭାବେ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହିତ ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା ଉପରେ ସନ୍ଦେହ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରାଯାଇ ଭାରତୀୟ ସେନାର ମନୋବଳକୁ ପ୍ରଭାବିତ କରିବା ଲାଗି ହେଉଥିବା ଉଦ୍ୟମର ଅନ୍ତ ଘଟିଛି।

୧୪ ନଭେମ୍ବର ୨୦୧୯ରେ ଆସିଥିବା ରାୟରେ ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ଭାବେ ଦର୍ଶାଇଛନ୍ତି ଯେ ପୁନଃଆବେଦନ ମାମଲାଗୁଡ଼ିକର କୌଣସି ଅଧାର ନଥିବାରୁ ସେଗୁଡ଼ିକୁ ଖାରଜ କରାଯାଉଛି।

ପୁନଃସମୀକ୍ଷା ଆବେଦନଗୁଡ଼ିକୁ ଖାରଜ କରି ଆବେଦନକାରୀଙ୍କ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ “ଆବେଦନକାରୀମାନେ ପ୍ରତିରକ୍ଷା ଚୁକ୍ତିର ପ୍ରତ୍ୟେକ ଦିଗକୁ ବିବେଚନା କରିବା ଲାଗି ନିଜକୁ ପୁନର୍ବିଚାର କର୍ତ୍ତୃପକ୍ଷ ଭାବେ ଉପସ୍ଥାପନ କରୁଥିଲେ ଏବଂ ଅଦାଲତ ସେପରି କରନ୍ତୁ ବୋଲି ଚାହୁଁଥିଲେ।” ଏପରି କ୍ଷେତ୍ରାଧିକାର ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ଜୋର ଦେଇ କହିଛନ୍ତି।

ନିଷ୍ପତି ପ୍ରକ୍ରିୟାକୁ ଯଥାର୍ଥ ବୋଲି ଦର୍ଶାଇବା ସହ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ “ସମସ୍ତ ଦିଗ ପ୍ରତି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ବିଚାର କରିଛନ୍ତି ଏବଂ ଭିନ୍ନ ଭିନ୍ନ ମତକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନିଷ୍ପତି ପ୍ରକ୍ରିୟାରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ସ୍ୱାଭାବିକ। ତେବେ ଚୁକ୍ତିରେ ଅନୁବନ୍ଧିତ ହେବା ପୂର୍ବରୁ ଯଦି ପ୍ରତ୍ୟେକ ଭିନ୍ନ ଭିନ୍ନ ମତକୁ ଗୁରୁତ୍ୱ ଦିଆଯିବ ତା’ହେଲେ ଏହା ନିଷ୍ପତି ନେବାର ପ୍ରକ୍ରିୟାରେ ବିତର୍କର ଉଦ୍ଦେଶ୍ୟକୁ ବିଫଳ କରିବ।” ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ଆହୁରି ବିସ୍ତୃତ ଭାବେ ଦର୍ଶାଇଛନ୍ତି ଯେ “ନିଃସନ୍ଦେହରେ ନିଷ୍ପତି ନେବାର ପ୍ରକ୍ରିୟାରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ତେବେ ନିଆଯାଇଥିବା ନିଷ୍ପତି ଏହାଠାରୁ ଭିନ୍ନ ହୋଇଛି। ପ୍ରତ୍ୟେକ ନିଷ୍ପତି ନେବାର ପ୍ରକ୍ରିୟାରେ ବିତର୍କ ଏବଂ ବିଶେଷଜ୍ଞଙ୍କ ମତାମତ ନିଆଯାଇଥାଏ, କିନ୍ତୁ ଚୁଡ଼ାନ୍ତ ନିଷ୍ପତି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ନେଇଥାନ୍ତି।

ନିଷ୍ପତି ନେବାର ପ୍ରକ୍ରିୟା, ମୂଲ୍ୟ ଏବଂ ଅଫସେଟ ଉପରେ ୧୪.୧୨.୨୦୧୯ରେ ଆମେ ଦେଇଥିବା ରାୟରେ ଆମେ ବିସ୍ତୃତ ଭାବେ ସମସ୍ତ ପକ୍ଷର ଯୁକ୍ତିକୁ ଅନୁଧ୍ୟାନ କରିଛୁ।

ଯୁଦ୍ଧ ବିମାନର ଆବଶ୍ୟକତା ଏବଂ କ୍ରୟ ପ୍ରକ୍ରିୟାରେ ବିଳମ୍ବକୁ ଅଦାଲତ ହୃଦବୋଧ କରିବା ସହିତ ରାୟରେ ପ୍ରକାଶ କରିଥିଲେ ଯେ “ଆମେ ଯୁଦ୍ଧିବିମାନ କ୍ରୟ ଚୁକ୍ତି ପ୍ରସଙ୍ଗକୁ ଅଣଦେଖା କରିପାରିବୁ ନାହିଁ। ଏହା ଦୀର୍ଘ ସମୟ ଧରି ବିଭିନ୍ନ ସରକାରଙ୍କ ଅମଳରେ ପଡ଼ିରହିଥିଲା। ଏହି ଯୁଦ୍ଧ ବିମାନ କ୍ରୟ ଯେ ଜରୁରି, ଏହାକୁ ନେଇ କୌଣସି ବିବାଦ ନାହିଁ।”

ମୂଲ୍ୟ ପ୍ରସଙ୍ଗରେ ଅଦାଲତ ସରକାରଙ୍କ ସ୍ଥିତିକୁ ସଠିକ ବୋଲି ଦର୍ଶାଇବା ସହ ପୂର୍ବ ଚୁକ୍ତି ଅପେକ୍ଷା ଏହି ଚୁକ୍ତିରେ ଯୁଦ୍ଧ ବିମାନର ମୂଲ୍ୟ କମ ବୋଲି ଦର୍ଶାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଥିଲେ ଯେ “ଯୁଦ୍ଧ ବିମାନର ପ୍ରାରମ୍ଭିକ ମୂଲ୍ୟ ଅପେକ୍ଷାକୃତ କମ। ତେବେ ଏହି ଯୁଦ୍ଧବିମାନରେ କେଉଁ ଯୁଦ୍ଧାସ୍ତ୍ର ସଂଯୋଗ କରାଯିବ ଏବଂ ଏହାର ମୂଲ୍ୟ କେତେ ଅଧିକ ହେବ ସେ ବିଚାର କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ।

ମାମଲା ରୁଜୁ କରାଯିବା, ସିବିଆଇ ଦ୍ୱାରା ତଦନ୍ତ କରାଯିବା ଏବଂ ନ୍ୟାୟପାଳିକା ଦ୍ୱାରା ଆଗୁଆ ଚୁକ୍ତିର ସମୀକ୍ଷା କରାଯିବା ଲାଗି ପୁନଃସମୀକ୍ଷା ଆବେଦନରେ ହୋଇଥିବା ଅନୁରୋଧ ପ୍ରସଙ୍ଗରେ ଅଦାଲତ ରାୟ ଦେଇଥିଲେ ଯେ “ଏହାକୁ ଏକ ନିରପେକ୍ଷ ଦଲିଲ ବୋଲି ଆମେ ବିବେଚନା କରୁନାହୁଁ, କାରଣ ଆବେଦନକାରୀଙ୍କ ଓକିଲଙ୍କ ସମେତ ସମସ୍ତ ଓକିଲ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ଦଲିଲ ଉପସ୍ଥାପନ କରିସାରିଛନ୍ତି। ତେବେ ମାମଲା ରୁଜୁ କରି ପୁନଃ ତଦନ୍ତ ପାଇଁ ହୋଇଥିବା ଆବେଦନର କୌଣସି ଆଧାର ନଥିବାରୁ ଏପରି କୌଣସି ଆଦେଶ ଦେବା ଅଦାଲତଙ୍କ ପକ୍ଷେ ଅନୁପଯୁକ୍ତ ହେବ।

୧୪ ଡିସେମ୍ବର, ୨୦୧୮ରେ ପ୍ରକାଶ ପାଇଥିବା ରାୟର ଅନୁଚ୍ଛେଦ ୨୫ରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି। ଏହା ହିଁ ଆବେଦନକାରୀମାନଙ୍କୁ ପୁନଃସମୀକ୍ଷା ଆବେଦନ ପାଇଁ ପ୍ରମୁଖ ଆଧାର ଦେଇଥିଲା। ତେବେ ଏହାକୁ ନିମ୍ନମତେ ସଂଶୋଧିତ କରାଯାଇଛି :

“ସରକାର ପୂର୍ବରୁ ମୂଲ୍ୟ ବିବରଣୀ ସିଏଜିଙ୍କୁ ପ୍ରଦାନ କରିସାରିଛନ୍ତି। ସିଏଜିଙ୍କ ରିପୋର୍ଟକୁ ପିଏସି ଦ୍ୱାରା ସ୍ୱଭାବିକ ପ୍ରକ୍ରିୟାରେ ନିରୀକ୍ଷଣ କରାଯାଇସାରିଛି। ରିପୋର୍ଟର ଏକ ସଂଶୋଧିତ ସଂସ୍କରଣ ସଂସଦରେ ଏବଂ ସର୍ବସାଧାରଣରେ ପ୍ରକାଶ ପାଇଛି।”

ସୂଚନାଯୋଗ୍ୟ ଯେ ୧୪ ଡିସେମ୍ବର ୨୦୧୮ରେ ଅଦାଲତ ଦେଇଥିବା ରାୟରେ ଉଲ୍ଲେଖ କରିଥିଲେ ଯେ :

“ବାହ୍ୟ ଆକ୍ରମଣକୁ ପ୍ରତିହତ କରିବା ଏବଂ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା ଲାଗି ଯଥେଷ୍ଟ ସାମରିକ କ୍ଷମତା ଏବଂ ଶକ୍ତିର ଆବଶ୍ୟକତା ରହିଛି। ନିଃସନ୍ଦେହରେ ଏହା ରାଷ୍ଟ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପର୍ଯ୍ୟାପ୍ତ ଭୌତିକ ସମ୍ବଳ ଏବଂ ପ୍ରଯୁକ୍ତି ଦ୍ୱାରା ପ୍ରତିରକ୍ଷା ବାହିନୀର ସଶକ୍ତିକରଣ ନିହାତି ଜରୁରି”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.