Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ସିଏସ୍‌ପି + ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଦାବି, ଜିଲା ସିଏସ୍‌ପି ସଂଘର...

ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ସିଏସ୍‌ପି + ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଦାବି, ଜିଲା ସିଏସ୍‌ପି ସଂଘର ବିକ୍ଷୋଭ

14

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୂଆ ସିଏସ୍‌ପି + (କଷ୍ଟମର ସର୍ଭିସ୍ ପଏଣ୍ଟ) ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦାବିନେଇ ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଯୋଜନାରେ କାର୍ଯ୍ୟ କରୁଥିବା ସିଏସ୍‌ପି ପରିଚାଳକ ମାନେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ଭଦ୍ରକ ଜିଲା ସିଏସ୍‌ପି ସଂଘର ପ୍ରତିନିଧି ଦଳ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ଦେଇଛନ୍ତି । ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ସମସ୍ତ ବ୍ଲକ୍ ଅଧୀନରେ ଥିବା ପଂଚାୟତରେ ଏସ୍‌ବିଆଇ ବ୍ୟାଙ୍କ ଦ୍ୱାରା ସିଏସ୍‌ପିମାନେ ନିଯୁକ୍ତ ହୋଇଥିଲେ । ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ୱ ଧରି ଏସ୍‌ବିଆଇ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ସିଏସ୍‌ପିମାନେ ବିଭିନ୍ନ ଜନହିତକର କାର୍ଯ୍ୟରେ ଗ୍ରାମାଞ୍ଚଳରେ ସେବା ଯୋଗାଇ ଦେଇଆସୁଛନ୍ତି । ଜନଧନ ଯୋଜନାରେ ଘର ଘର ବୁଲି ଖାତା ଖୋଲିବା, ଏମ୍‌ଜିଏନ୍‌ଆରଇଜିଏସ୍ ଯୋଜନାରେ ଆସିଥିବା ଅର୍ଥ, ମମତା ଯୋଜନାରେ ଆସିଥିବା ଅର୍ଥ, ବାର୍ଦ୍ଧକ୍ୟ-ବିଧବା-ଭିନ୍ନକ୍ଷମ ଯୋଜନାରେ ଭତ୍ତା, କାଳିଆ ଓ ପିଏମ୍ କିସାନ ଯୋଜନା, ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୋଭିଡ୍ ୱମେନସ୍ ବେନିଫିଟ୍ ଯୋଜନାରେ ଆସିଥିବା ଅର୍ଥ ସମସ୍ତ ସିଏସ୍‌ପି ସେଣ୍ଟର ମାଧ୍ୟମରେ ବଣ୍ଟନ କରାଯାଇଥିଲା ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଓ ଅଟଳ ପେନସନ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ସିଏସ୍‌ପି ଦ୍ୱାରା ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଏସ୍‌ଏଚ୍‌ଜିମାନଙ୍କର ଋଣରାଶି ଜମା ଓ ବଣ୍ଟନ, ୨୦୧୬ ମସିହା ନୋଟ୍ ବନ୍ଦୀ ସମୟରେ ସୂଚାରୁ ରୂପେ ସେବା ତୁଲାଇବା ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ । ତେବେ ଓଡ଼ିଶା ସରକାର ଏବେ ନୂଆ ସିଏସ୍‌ପି + ଖୋଲିବାକୁ ଯାଉଛନ୍ତି । ଏହି ଯୋଜନାରେ ନୂଆ ସିଏସ୍‌ପି ପରିଚାଳକମାନଙ୍କୁ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାର ଭିତିରିଆ ସୂତ୍ରରୁ ଜଣାଯାଇଛି । ଫଳରେ ଦୀର୍ଘ ୧୦ ବର୍ଷ ଧରି ଖୋଲାଯାଇଥିବା ସିଏସ୍‌ପି (ଏସ୍‌ବିଆଇ) ମାନଙ୍କ ଜୀବିକା ଉପରେ ଘୋର ଆଘାତ ସୃଷ୍ଟି କରିବ । ଅପରପକ୍ଷରେ ବୟସ ଅତିକ୍ରାନ୍ତ ହୋଇଯିବା ସହ ଏହାକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଆସୁଥିବା ପରିଚାଳକମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ପୁରୁଣା ସିଏସ୍‌ପି ମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ପଂଚାୟତସ୍ତରରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା କାର୍ଯ୍ୟରତ ସିଏସ୍‌ପି ପରିଚାଳକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ନିବେଦନ କରିଛି । ସଂଘ ପକ୍ଷରୁ ସଂଗ୍ରାମ କେଶରୀ ପାଣିଗ୍ରାହୀ, ଦିଲ୍ଲୀପ କୁମାର ବଳ, ଶିବପ୍ରସାଦ ସ୍ୱାଇଁ, ପ୍ରଦୀପ୍ତ କୁମାର ନାୟକ, ଗୋଲକ ପଣ୍ଡା, ପ୍ରସନ୍ନ କୁମାର ବାରିକ, ସବିତା ସିଂ, ଅଜୟ କୁମାର ଦାସ, ରମେୟା ରଂଜନ ମହାନ୍ତି, ଶୁଭ୍ରାଂଶୁ ବେହେରା, ରାଜକିଶୋର ସାହୁ, କ୍ଷୀରୋଦ ବାରିକ, ସରୋଜ ସାମଲ, ସରୋଜ ମଲ୍ଲିକ, ଲକ୍ଷ୍ମୀପ୍ରିୟା ନାୟକ, ମିତାରାଣୀ ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.