Home ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

89

ପୁରୀ, ୨୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ପ୍ରଶାସନିକ ଅଧିକାରୀ, ଜଳସଂପଦ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ବର୍ତ୍ତମାନ ଜିଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ସଂପର୍କରେ ବିସ୍ତୁତ ସମୀକ୍ଷା କରିଥିଲେ। ପୁରୀ ଜିଲାରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ଅଣାଯାଇ ପାରିବ ଓ ଆଗାମୀ ଦିନରେ ଅଧିକ ବର୍ଷା ହେଲେ କିପରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଜିଲାପାଳ ବଲବନ୍ତ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ସୁବାଶ ନାଥ ଶର୍ମା, ଉପଜିଲାପାଳ ଭବତରଣ ସାହୁ, ଜଳସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରାଉତ୍, ଡ୍ରେନେଜ ବିଭାଗ ଏକଜୁକ୍ୟୁଟିଭ ଇଞ୍ଜିନିୟର ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଦାସ ବର୍ମା ଜିଲାରେ ଥିବା ଦୟା, ଭାର୍ଗବୀ, ରତ୍ନଚୀରା, ଲୁଣା ଏବଂ ମକରା ନଦୀର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ନଦୀବନ୍ଧ ଗୁଡିକ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହାନଦୀରୁ ଉପରୋକ୍ତ ନଦୀ ଗୁଡିକୁ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାହାକି ଚିଲିକା ହ୍ରଦରେ ମିଶିବ। ପୁରୀ ଜିଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ଶ୍ରୀ ଦାସ ବର୍ମା ଆଶଙ୍କା ପ୍ରକାଶ କରିଥିଲେ ଏବଂ ଏହାର ମୁକାବିଲା ନିମନ୍ତେ ଏନଡିଆରଏଫ ଓ ଓଡରାଫ ଟିମ ମୃତୟନ କରିବା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ଅତ୍ୟାବଶୀୟ ସ୍ୱାସ୍ଥ୍ୟ ସେବା ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥିସହ ରିଲିଫ ଓ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବା ପାଇଁ ଶ୍ରୀ ଦାସ ବର୍ମା ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ରାଜସ୍ୱ ଅଧିକାରୀମାନଙ୍କୁ ବନ୍ୟା ପରେ ଅତି ଶୀଘ୍ର ଫସଲ କ୍ଷୟକ୍ଷତିର ଆକଳନ କରିବା ପାଇଁ କୁହାଯାଇଥିଲା। ଜିଲାପାଳ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାର ସମସ୍ତ ଗୋଷ୍ଠୀ ଉନୟନ ଅଧିକାରୀ, ତହସିଲଦାର ଏବଂ ଥାନା ଅଧିକାରୀ ମାନଙ୍କ ସହ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଜିଲାପ୍ରଶାସନ ସମସ୍ତ ପରିସ୍ଥିତିର ଦୃଢ ମୁକାବିଲା ପାଇଁ ସଂପୂର୍ଣ୍ଣ ସଜାଗ ଏବଂ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.