Home ଓଡ଼ିଶା ରାଜ୍ୟସ୍ତରୀୟ ଶିଶୁଉତ୍ସବ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଶିଶୁଉତ୍ସବ ଉଦ୍‌ଘାଟିତ

133

କଟକ୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ(ଓଷ୍ଟା)ର ୩୮ ତମ ଶିଶୁଉତ୍ସବ କଟକ ସ୍ଥିତ ଶହୀଦ ଭବନ ଠାରେ ଉଦ୍‌ଘାଟି ହୋଇଯାଇଛି । ଏହି ଉତ୍ସବ ୨୭,୨୮ ଓ ୨୯ ତିନିଧରି ଚାଲିବାର ସ୍ଥିରୀକୃତ ହୋଇଛି । ଅପରାହ୍‌ଣ ୨ଘଟିକା ସମୟରେ ସଂଗଠନର ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଦ୍ୱାରା ସଂଘୀୟ ପତାକା ଉତ୍ତୋଳନ କରାଯାଇଛି । ଓଡ଼ିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ଦୈତାରୀ ନାଏକ ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ଓଷ୍ଟାର ଶିକ୍ଷାପ୍ରଦୀପ ବିଶେଷାଙ୍କ “ଆମରି ଶିଶୁ’ ପୁସ୍ତକ ଉନ୍ମୋଚନ କରିଥିଲେ । ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ଅସୀମ ଅମିତାଭ ଦାଶ ମାନ୍ୟବର ସଦସ୍ୟ ଓଡ଼ିଶା ମାନବାଧିକାର ଆୟୋଗ ମୁଖ୍ୟଅତିଥି ଭାବେ ରାଜ୍ୟସ୍ତରୀୟ ଅଂଶଗ୍ରହଣ କରି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତ ଶିଶୁ ସମାନ । ସବୁ ଶିଶୁ ମୁଖ୍ୟଧାରାକୁ ନ ଆସିଲେ ଅଧୁରା ରହିବ ପୃଥିବୀ । ସରକାର, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ, ସାଧାରଣ ଜନତା ସମସ୍ତେ ଏହି ଶିଶୁମାନଙ୍କର ସମନ୍ୱିତ ବିକାଶ ବିଧାନକୁ ନିଜର ନୈତିକ କର୍ତ୍ତବ୍ୟବୋଲି ଗ୍ରହଣ କରିବା ଉଚିତ । ଶିଶୁମାନଙ୍କର ନିଯୁକ୍ତି ନୁହେଁ ସଶକ୍ତିକରଣ ଆମସମସ୍ତଙ୍କର ଧ୍ୟେୟ ହେବା ଉଚିତ ବୋଲି ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟବକ୍ତା ଅଶ୍ୱିନୀ ମିଶ୍ର, ଅବସରପ୍ରାପ୍ତ ପ୍ରଶାସନିକ ସେବା ତାଙ୍କର ବକ୍ତବ୍ୟରେ କହିଲେ, ଶିଶୁ ବିଶ୍ୱର ସମ୍ପତି, ତା’ କଳ୍ପନାରେ ଚିତ୍ରିତ ହେବ ଧରା, ପ୍ରତିଷ୍ଠିତ ହେବ ବିଶ୍ୱମାନବତା, ସେ ସୁଗଠିତ ହେଉ ଏବଂ ଓଡ଼ିଶାର ପାଠ୍ୟଖସଡ଼ାର ଦାୟିତ୍ୱ ଓଷ୍ଟା ବହନ କରିବା ସହିତ ଶିକ୍ଷାନୀତିର ନିର୍ଦ୍ଧାରଣରେ ଗୁରୁଦାୟିତ୍ୱ ବହନ କରୁ । ଓଷ୍ଟା ଦ୍ୱାରା ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ଉତ୍ସବରେ ଯୋଗଦେଇ ସମସ୍ତ ଶିଶୁପାଇଁ ସୁଯୋଗ ସୃଷ୍ଟି କରାଯାଉ । ଆଜିର ଶିଶୁର ଅନ୍ତର୍ନିହିତ ଶକ୍ତିକୁ ଆଜି ହିଁ ବିକଶିତ କରାଯାଉ, ତାକୁ କାଲିର ଭବିଷ୍ୟତ କହି ଦୁର୍ବଳ ନ କରାଯାଉ । ଓଷ୍ଟାର ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଶିଶୁ ପ୍ରତିଭା ବିକାଶରେ ଓଷ୍ଟାର ପ୍ରତିବଦ୍ଧତା ଓ ଗ୍ରହଣ କରାଯାଇଥିବା ବିଭିନ୍ନ କାର‌୍ୟ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଏହାକୁ ସଫଳ କରିବା ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଓଷ୍ଟାର କାର‌୍ୟ୍ୟକାରୀ ସଭାପତି ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ଶିଶୁମାନଙ୍କୁ ଉତ୍ସାହ ଓ ଆଶୀର୍ବାଦ ପ୍ରଦାନ କରିଥିଲେ । ଓଷ୍ଟାର କୋଷାଧ୍ୟକ୍ଷ ଶ୍ରୀ ପ୍ରେମାନନ୍ଦ ଜେନା ଛାତ୍ରଛାତ୍ରୀମାନଙ୍କୁ ପଢ଼ାଚାପରୁ ମୁକ୍ତ କରି ଅନ୍ତର୍ନିହିତ ଶକ୍ତିର ବିକାଶ କରିବା ପାଇଁ ଅଭିଭାବକମାନେ ସଦାସର୍ବଦା ଚେଷ୍ଟିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଓଷ୍ଟାର ଯୁଗ୍ମ ସାଧାରଣ ସଂପାଦକ ଶ୍ରୀ ଅକ୍ଷୟ କୁମାର ମିଶ୍ର ନିଜ ବକ୍ତବ୍ୟରେ କହିଲେ- “ଶିଶୁର ଶିଶୁତ୍ୱ ଅତୁଟ ରହୁ, ଓଷ୍ଟାର ଶିଶୁ ଉତ୍ସବ ପ୍ରତିଭା ଅନ୍ୱେଷଣ ଏକ ପ୍ରକୋଷ୍ଠ ମାଧ୍ୟମ ।’ ଶିଶୁର ନିରାପଦ ଓ ନିରୁପଦ୍ରବ ଶୈଶବର ସଂସ୍ଥାନ ସକାଶେ ସବୁ ସମୟରେ ଆମେ ଚିନ୍ତା କରିବା ଉଚିତ, ସଭାସମିତି କର୍ମଶାଳା ଆଦି ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉ ଓ ଶିଶୁର ସ୍ୱାଧୀନତା, ସାମାଜିକ, ଶୈକ୍ଷିକ, ସାଂସ୍କୃତିକ ଅଧିକାର ସଂପର୍କରେ ସ୍ୱତନ୍ତ୍ର ଭାବେ ନୀତି ନିର୍ଦ୍ଧାରଣ ହେଉ ବୋଲି ଶିକ୍ଷାପ୍ରଦୀପ ସଂପାଦକ ଶ୍ରୀ ଭିକାରି ଚରଣ ସାହୁ ବକ୍ତବ୍ୟ ରଖିଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୧୦ ଜଣ ପ୍ରତିଯୋଗୀ ୬୨ଜଣ ଗାଇଡ୍ ଶିକ୍ଷକ ଓ ଓଷ୍ଟାର କର୍ମକର୍ତ୍ତାମାନଙ୍କୁ ନେଇ ଏହି ଉତ୍ସବ ଅନୁଷ୍ଠିତ ହୋଇଅଛି । ଓଷ୍ଟାର ସଭାପତି ଶ୍ରୀଯୁକ୍ତ ବିନୋଦ ବିହାରୀ ପାଣିଗ୍ରାହୀ ସଭାପତି ଅଭିଭାଷଣରେ କହିଥିଲେ ଯେ ଏହି କାର‌୍ୟ୍ୟକ୍ରମରେ ସ୍ଥାନୀୟ ଅଭିଭାବକ, ଜନସାଧାରଣ, ବୁଦ୍ଧିଜୀବିମାନଙ୍କୁ ସାମିଲ କରାଯାଇପାରୁ ଥିବାରୁ ଏହା ଏକ ଲୋକାଭିମୁଖି କାର୍ଯ୍ୟକ୍ରମ ରୂପେ ପରିଗଣିତ ହୋଇ ଜନସାଧାରଣଙ୍କ ଦ୍ୱାରା ଆଦୃତ ଲାଭକରିଛି । ଏହି ଅବସରରେ ଶ୍ରୀ ଶଙ୍କର ସୁବୁଦ୍ଧି ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ, ଅକ୍ଷୟ କୁମାର ହୋତା ଅତିଥିପରିଚୟ ପ୍ରଦାନ କରିଥିଲେ ଓ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.