Home ଓଡ଼ିଶା ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ କାଟି ମିଛ ବିଜ୍ଞାପନ ଦେଇ ଆଦର୍ଶ ସଙ୍ଘୀୟ ବ୍ୟବସ୍ଥାକୁ...

ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ କାଟି ମିଛ ବିଜ୍ଞାପନ ଦେଇ ଆଦର୍ଶ ସଙ୍ଘୀୟ ବ୍ୟବସ୍ଥାକୁ ଉଲଙ୍ଘନ କରୁଛନ୍ତି: ବିଜେପି

870

ମୁଖ୍ୟଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
– ରାଜ୍ୟସରକାର ପକ୍କା ଘର ସମ୍ବନ୍ଧୀୟ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଲେଖନ୍ତୁ
– ନିର୍ମାଣ ହେଉଥିବା ପକ୍କାଘରରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଫଳକ ଲଗାନ୍ତୁ
– ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ମୋଦି ସରକାର
– ବିଗତ ୩ ବର୍ଷର ରାଜ୍ୟସରକାରଙ୍କ ବଜେଟରେ ବିଜୁ ପକ୍କା ଘର ପାଇଁ ଟଙ୍କାଟିଏ ବି ନାହିଁ
– କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ଯୋଜନା କହି ନାଁ ନେବା ରାଜ୍ୟସରକାରଙ୍କ ପୁରୁଣା ରୋଗ
– ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ

ଭୁବନେଶ୍ୱର, ତା.୧୭/୦୯ (ଓଡ଼ିଆ ପୁଅ) : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି। ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି। ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହାର ପ୍ରତିବାଦ କରି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅବଗତ କରାଇଛନ୍ତି। ହୀନ ରାଜନୀତିରୁ ନିବୃତି ରଖି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଲେଖିବା ସହ ନିର୍ମାଣ ହେଉଥିବା ପକ୍କାଘରରେ ବି “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ବୋଲି ଲେଖନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି।

ଏବେ ମୁଖ୍ୟମନ୍ତ୍ରୀ ଗ୍ରାମାଚଂଳରେ ୪ ଲକ୍ଷ ପକ୍କା ଘର ନିର୍ମାଣର ଶୁଭ ଦେବେ ବୋଲି ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଇଛି। ଚିରାଚରିତ ଢଙ୍ଗରେ ସଂଘୀୟ ବ୍ୟବସ୍ଥାକୁ ଭୃକ୍ଷେପ ନକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର କହିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଏହି ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ। ଚଳିତ ବଜେଟରେ ବିଜୁ ପକ୍କାଘର ଯୋଜନାରେ ଟଙ୍କା ଟିଏ ଅର୍ଥ ବରାଦ ନାହିଁ। ରାଜ୍ୟରେ ଗରୀବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି। ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚତୁର ଭାବେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଗାରେ “ବିଜୁ ପକ୍କାଘର” ବୋଲି କହି ବିଜ୍ଞାପନ ଦେଉଛନ୍ତି। ଏହା ସଂଘୀୟ ବ୍ୟବସ୍ଥାରେ ରୁଗଣ ମାନସିକତାର ପରିଚୟ। ପୁର୍ବରୁ ରାଜ୍ୟ ସରକାର ଯେତେ ବିଜ୍ଞାପନ ଛପାଇଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରଧାନମନ୍ତ୍ରୀ ଶବ୍ଦଟିକୁ ବାଦ ଦେଇ ସାଧାରଣ ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ବିଜ୍ଞପ୍ତିରେ କେବଳ ପକ୍କା ଘର କହି ଲୋକମାନଙ୍କୁ ରାଜ୍ୟସରକାରଙ୍କ ଯୋଜନା ବୋଲି କହି ଭ୍ରମିତ କରିବା ରାଜ୍ୟସରକାରଙ୍କ ପୁରୁଣା ରୋଗ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି। ଏହି ଯୋଜନାରେ ସିଂହ ଭାଗ ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର କାହିଁକି ପ୍ରଧାନମନ୍ତ୍ରୀଙ୍କ ନାଁ ନେଉନାହାଁନ୍ତି କି ଧନ୍ୟବାଦ ଦେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଆଜିବି ରାଜ୍ୟରେ ୩୦ଲକ୍ଷ ଲୋକଙ୍କ ପାଖରେ ପକ୍କା ଘର ନାହିଁ। ୧୧ ସେପ୍ଟେମ୍ବର ୨୦୧୮ ରେ ବିଧାନସଭା ପ୍ରଶ୍ନର ଉତରରେ ରାଜ୍ୟସରକାର କହିଥିଲେ କି, ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘର ରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି। ୨୦୧୭-୧୮ରୁ ୨୦୧୯-୨୦ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ବି ବ୍ୟୟବରାଦ କରିନଥିବା ବେଳେ କେନ୍ଦ୍ରସରକାର ୨୦୧୭-୧୮ରେ ୩ ହଜାର ୧୦୦ କୋଟି, ୨୦୧୮-୧୯ରେ ୩ହଜାର ୬୦୦ କୋଟି, ୨୦୧୯-୨୦ରେ ୪ ହଜାର ୮୨୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ଅନ୍ୟ ଏକ ବିଜ୍ଞାପନରେ ‘ରୁରାଲ ହାଉସିଂଙ୍ଗ ଫର ଅଲ’ ରେ ରାଜ୍ୟ ସରକାରଙ୍କ ଲୋଗୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। କେନ୍ଦ୍ର ସରକାରଙ୍କ ପଇସାରେ ନିଜ ଲୋଗୋ ଲଗାଇ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ। କେନ୍ଦ୍ରସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ। ସେହିପରି ଗରୀବ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟ ସରକାର କରିଆସିଛନ୍ତି। ରାଜ୍ୟସରକାର ପର ଘର ତିଅଣରେ ଅତିଥୀ ସକ୍ରାର କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ପ୍ରତିନିଧୀ ଦଳରେ ପୂର୍ବତନ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ, ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଜୟନ୍ତ ଷଡଙ୍ଗୀ, ରାଜ୍ୟ ସଂପାଦକ ଡ. ଯତୀନ ମହାନ୍ତି ଓ ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.