Home ଓଡ଼ିଶା ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବୃହତ ଖଣିଗୁଡିକୁ ନିଜ ଅଧିନରେ ରଖନ୍ତୁ – ନିରଞ୍ଜନ...

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବୃହତ ଖଣିଗୁଡିକୁ ନିଜ ଅଧିନରେ ରଖନ୍ତୁ – ନିରଞ୍ଜନ ପଟ୍ଟନାୟକ

401

ଭୁବନେଶ୍ୱର ତା ୭.୧୦ (ଓଡ଼ିଆ ପୁଅ) – ସଂପ୍ରତି ରାଜ୍ୟରେ ୨୦୨୦ ମାର୍ଚ୍ଚ ୩୧ ରିଖ ପୂର୍ବରୁ ପାଖାପାଖି ୨୦ଟି ଖଣିର ନିଲାମ ନିମନ୍ତେ ରାଜ୍ୟ ସରକାର ଖଣି ଏବଂ ଖଣିଜ ସଂପଦ ବିକାଶ ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୫୭କୁ ଆଳ କରି ବିଜ୍ଞପ୍ତି ପ୍ରକାଶ କରିବାରେ ଲାଗିଛନ୍ତି।

ପ୍ରକାଶଥାଉକି ଉକ୍ତ ଲୁହାପଥର ଖଣିଗୁଡିକ ୫୦ ବର୍ଷରୁ ପ୍ରାୟ ଉର୍ଦ୍ଧ୍ୱ ହେବ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ଖଣି ମାଲିକମାନେ ଖଣିଗୁଡିକୁ ବିକଶିତ କରି ନିଜସ୍ୱ ଉଦ୍ୟୋଗ ବିନା ଖଣି ବ୍ୟବସାୟ କରି ଆସୁଛନ୍ତି। ଉକ୍ତ ଖଣି ଗୁଡିକରେ ନିର୍ଦ୍ଦିଷ୍ଟ ପରିମାଣରେ ଗଚ୍ଛିତ ଖଣିଜ ସଂପଦକୁ ନୂଆ କରି ନିଲାମ କରି ନୂତନ ଖଣି ମାଲିକଙ୍କ ଅକ୍ତିଆରରେ ପରିଚାଳନା ମୂଲ୍ୟହୀନ ସଦୃଶ। ଅପରପକ୍ଷେ ରାଜ୍ୟରେ ନୂତନ ଲୁହାପଥର ଖଣିଗୁଡିକୁ ଯଥାଶୀଘ୍ର ଚିହ୍ନଟ କରିବା ସହ ଏହାକୁ ବିକଶିତ କରିବା, ସମସ୍ତ ଆଇନଗତ ଅନୁମତି ପାଇବା ଯଦିଓ ବହୁ ଅର୍ଥ ବ୍ୟୟ ଓ ସମୟ ସାପେକ୍ଷ ମାତ୍ର ଗଢି ଉଠିଥିବା ଶିଳ୍ପକୁ କଂଚାମାଲ ଯୋଗାଇ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଇ ପାରିବେ।

ଏମ୍.ଏମ୍.ଡି.ଆର. ଅଧିନିୟମ ୧୯୫୭ ଅଧିନସ୍ଥ ନିୟମାବଳୀକୁ ବିଶ୍ଳେଷଣ କରାଗଲେ ରାଜ୍ୟ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ପାଇଁ ମଧ୍ୟ ଖଣିକୁ ସଂରକ୍ଷିତ କରିପାରିବେ। ଏହା ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର କରେ। ଅବିକଶିତ ନୂତନ ଖଣିଗୁଡିକୁ ରାଜ୍ୟ ସରକାର ଘରୋଇ ଖଣି ବ୍ୟବସାୟୀମାନଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଇ ନିଲାମ ଡାକି ନିର୍ଦ୍ଧାରିତ ସମୟ ଅବଧି ପରେ ରାଷ୍ଟ୍ରାୟତ ଉଦ୍ୟୋଗ ହାତକୁ ଦେଇ ପାରିବେ। ଯଦ୍ୱାରା ରାଜ୍ୟରେ ଗଢି ଉଠିଥିବା ଶିଳ୍ପ ଓ ସହଯୋଗୀ ଶିଳ୍ପସଂସ୍ଥା କଂଚାମାଲ ପାଇବାରୁ ବଂଚିତ ହେବେନାହିଁ ଏବଂ ନିରାପଦ ଓ ନିର୍ଭୟରେ ଖଣି ବ୍ୟବସାୟ କରିବାରେ କୌଣସି ଅନ୍ତରାୟ ସୃଷ୍ଟି ହେବନାହିଁ।

ରାଜସ୍ଥାନ ଓ ଗୁଜରାଟ ସରକାରଙ୍କ ପରି ରାଜ୍ୟ ସରକାର ସ୍ୱଳ୍ପ ଖର୍ଚ୍ଚରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ଅନୁବନ୍ଧିତ କଲେ ଅଧିକ ଆୟ କରିବା ସହ ରାଜ୍ୟ ରାଜସ୍ୱକୁ ବୃଦ୍ଧି କରିପାରିବେ। ଉପରୋକ୍ତ ଦିଗଗୁଡିକୁ ରାଜ୍ୟ ସରକାର ରାଜ୍ୟବାସୀଙ୍କର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ପୁନଃବିଚାର କଲେ ସମସ୍ତଙ୍କର ମଙ୍ଗଳ ହୋଇପାରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ଏ ଦିଗରେ ପ୍ରଯତ୍ନ ହେବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.